ଭୁବନେଶ୍ବର : ଗତ ମେ ୩ ତାରିଖ ଦିନ ସାମୁଦ୍ରିକ ବାତ୍ୟା ‘ଫନି’ ଓଡ଼ିଶାର ପୂର୍ବ ଉପକୂଳ ଜିଲ୍ଲାରେ ତାଣ୍ଡବ ରଚିଥିଲା। ଧୀରେ ଧୀରେ ପରିସ୍ଥିତି ସୁଧୁରିଥିଲେ ବି ବାତ୍ୟା କ୍ଷତିଭରଣା ପାଇଁ ଆହୁରି ଅନେକ ଦିନ ଲାଗିବ। କିନ୍ତୁ ବାତ୍ୟାର ୪୮ ଘଣ୍ଟା ପୂର୍ବରୁ ଓଡ଼ିଶା ସରକାରଙ୍କ ପଦକ୍ଷେପ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ବଞ୍ଚାଇ ପାରିଥିଲା। ଆଜି ନ୍ୟାସନାଲ ଜିଓଗ୍ରାଫି ଚ୍ୟାନେଲରେ ପ୍ରସାରିତ ‘ଫନି’ ସଂକ୍ରାନ୍ତ ପ୍ରାମାଣିକ ଚିତ୍ର ଦେଖି ବିଶ୍ବବାସୀ ବାତ୍ୟା ମୁକାବିଲା ନେଇ ଓଡ଼ିଶା ସରକାରଙ୍କ ସଫଳତା ବିଷୟରେ ଅବଗତ ହୋଇଛନ୍ତି। ବାତ୍ୟା ମୁକାବିଲା କରିବାରେ ସରକାରଙ୍କ ସଫଳତା ସମ୍ପର୍କରେ ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ଅଭିମତ ବ୍ୟକ୍ତ କରୁଥିବା ଦେଖିବାକୁ ମିଳିଥିଲା। ବାତ୍ୟା ସତର୍କତା ପରେ ଲୋକଙ୍କୁ ତଳିଆ ଅଞ୍ଚଳରୁ ସ୍ଥାନାନ୍ତର କରିବା ସରକାରଙ୍କ ପାଇଁ ବଡ଼ ଚାଲେଞ୍ଜ ଥିଲା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
‘ମେଗା ସାଇକ୍ଲୋନ୍ ଫନି: ରେସକ୍ୟୁୟିଂ ଏ ମିଲିୟନ’ ଶୀର୍ଷକ ଏହି ୨୪ ମିନିଟ୍ର ପ୍ରାମାଣିକ ଚିତ୍ରରେ ବାତ୍ୟାର ୨୪ ଘଣ୍ଟା ପୂର୍ବରୁ କିପରି ଲକ୍ଷାଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା ତାର ବିସ୍ତୃତ ଚିତ୍ର ପ୍ରଦର୍ଶନ କରାଯାଇଛି। ରାଜ୍ୟରେ ଥିବା ୮୭୯ଟି ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ଓ ଅନ୍ୟ ନିରାପଦ ସ୍ଥାନରେ ଲୋକଙ୍କୁ ଆଶ୍ରୟ ଦିଆଯାଇଥିଲା। ବାତ୍ୟା ପରବର୍ତ୍ତୀ ରିଲିଫ ଓ ଉଦ୍ଧାର କାର୍ଯ୍ୟରେ ସଂଗଠିତ ଭାବେ ୪୫ ହଜାର ସ୍ବେଚ୍ଛାସେବୀ ଓ ୨ ହଜାର ଜରୁରୀସେବା ପ୍ରଦାନକାରୀ କର୍ମୀମାନଙ୍କୁ ନିୟୋଜିତ କରାଯାଇଥିଲା। ଫନି କ୍ଷତିଗ୍ରସ୍ତ ଲୋକଙ୍କୁ ଉଦ୍ଧାର ଓ ରିଲିଫ ପ୍ରଦାନ କରାଯିବା ସହ ରନ୍ଧା ଖାଦ୍ୟ ଯୋଗାଇବା ପାଇଁ ସରକାର ଯେଉଁସବୁ ବ୍ୟବସ୍ଥା କରିଥିଲେ; ତା’ର ସଫଳତା ସମ୍ପର୍କରେ ସ୍ବତନ୍ତ୍ର ରିଲିଫ କମିସନର ସୂଚନା ପ୍ରଦାନ କରିଛନ୍ତି। ବାତ୍ୟା ସମ୍ପର୍କରେ ସଠିକ ପୂର୍ବାନୁମାନ ଓ ତାର ଗତି ଉପରେ ଘଣ୍ଟାକୁ ଘଣ୍ଟା ସୂଚନା ପ୍ରଦାନ କରିବାରେ ଭାରତୀୟ ପାଣିପାଗ କେନ୍ଦ୍ର ତଥା ବର୍ତ୍ତମାନ ଭାରତୀୟ ପାଣିପାଗ ଗବେଷଣା କେନ୍ଦ୍ରର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ଭୂମିକାକୁ ବି ପ୍ରଂଶସା କରାଯାଇଛି।
ପ୍ରାମାଣିକ ଚିତ୍ର ସମ୍ପର୍କରେ ପ୍ରତିକ୍ରିୟା ରଖି ମୁଖ୍ୟମନ୍ତ୍ରୀ କହିଥିଲେ ଆଜିକୁ ୨୦ ବର୍ଷ ତଳେ ତଥା ୧୯୯୯ ମସିହାରେ ପ୍ରଳୟଙ୍କାରୀ ମହାବାତ୍ୟାରେ ରାଜ୍ୟର ଅନେକ ଧନଜୀବନ ନଷ୍ଟ ହୋଇଥିଲା। ସେବେଠାରୁ ସରକାର ପ୍ରାକୃତିକ ଦୁର୍ବିପାକ ମୁକାବିଲା ପାଇଁ ସ୍ବତନ୍ତ୍ର ପଦକ୍ଷେପ ନେଇ ଆସିଛନ୍ତି। ଫନି ବାତ୍ୟା ପୂର୍ବରୁ ବହୁତ କମ୍ ସମୟ ଭିତରେ ଏତେସଂଖ୍ୟକ ଲୋକଙ୍କୁ ସ୍ଥାନାନ୍ତର କରିବା ଦେଶରେ ରେକର୍ଡ଼ ସୃଷ୍ଟି କରିଛି। ବିପର୍ଯ୍ୟୟ ମୁକାବିଲା କରିବାରେ ରାଜ୍ୟ ସରକାରଙ୍କ ଦକ୍ଷତାକୁ ସବୁ ଦିଗରୁ ପ୍ରଶଂସା କରାଯାଇଛି। ନ୍ୟାସନାଲ୍ ଜିଓଗ୍ରାଫି ଚ୍ୟାନେଲରେ ପ୍ରସାରିତ ଏହି ପ୍ରମାଣିକ ଚିତ୍ର ଅନେକ କ୍ଷେତ୍ରରେ ଶିକ୍ଷଣୀୟ ହେବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆଶା ବ୍ୟକ୍ତ କରିଥିଲେ।