ଭୁବନେଶ୍ବର: ରାଜଧାନୀରେ ବୁଲୁଛନ୍ତି ନକଲି ପୁଲିସ। ନୂଆ ମୋଟରଯାନ ଆଇନ୍ ଲାଗୁ ପରେ ଲୋକଙ୍କ ମନରେ ଥିବା ଭୟରୁ ସେମାନେ ଫାଇଦା ଉଠାଉଛନ୍ତି। ଆଉ ତାଲା ଭାଙ୍ଗି କି ଚେନ୍ କାଟି ନକଲି ଚାବିରେ ଚୋରି କରିବାକୁ ପଡ଼ୁନି। ଏଣିକି ଭଦ୍ର ବେଶରେ ପୁଲିସ ସାଜି ଲୋକଙ୍କ ଠାରୁ ସହଜରେ ନେଇ ଯାଉଛନ୍ତି ବାଇକ୍। ବାଇକ୍ ଚୋରି କରିବା ପାଇଁ ବିଭିନ୍ନ ନିୟମ ଆଳ ଦେଖାଇ ପ୍ରଥମେ ଲୋକଙ୍କୁ ଭୟଭୀତ କରାଉଛନ୍ତି ଓ ପରେ ତାଙ୍କ ଠାରୁ ବାଇକ୍ ନେଇଯାଉଛନ୍ତି। ଏଭଳି ଏକ ଲୁଟ ଘଟଣାର ପର୍ଦାଫାସ କରିଛି ଖାରବେଳନଗର ଥାନା ପୁଲିସ। ନିଜକୁ ପୁଲିସ କହି ବାଇକ ଲୁଟ କରିଥିବା ଯୁବକକୁ ଗିରଫ କରିଛି। ତା ନାଁ ସୋମନାଥ ଖୁଣ୍ଟିଆ(୨୪)। ଘର କଟକ ଜିଲ୍ଲା ଶଗଡ଼ିଆସାହି ଅଞ୍ଚଳରେ। ଆଜି ତାକୁ କୋର୍ଟ ଚାଲାଣ କରାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଗତ ୨୭ ତାରିଖ ସନ୍ଧ୍ୟାରେ କଟକ ଓଲଟପୁର ଅଞ୍ଚଳର ସନ୍ତୋଷ ପ୍ରଧାନ କୌଣସି ଏକ କାମରେ ମାଳିସାହି ଆସିଥିଲେ। ସେ ରାସ୍ତା କଡ଼ରେ ବାଇକ୍ ପାର୍କିଂ କରୁଥିବା ସମୟରେ ଜଣେ ବ୍ୟକ୍ତି ସାଦା ପୋଷାକରେ ଆସି ହଠାତ୍ ତାଙ୍କ ଉପରେ ଚଢ଼ଉ କରିଥିଲେ। ନିଜକୁ ପୁଲିସ ଅଫିସର ପରିଚୟ ଦେଇ ଧମକ ଦେଇ ଚାଲିଥିଲେ। ତମେ ଟ୍ରାଫିକ୍ ନିୟମ ଜାଣିନ! କେତେ ଦିନ ହେବ ଭୁବନେଶ୍ବର ଆସିଲଣି? ନୂଆ ନିୟମ ବିଷୟରେ ଜଣା ଅଛି ନା ନାହିଁ? ନୋ ପାର୍କିଂରେ ଗାଡ଼ି ରଖିଲେ ଫାଇନ୍ ଦେବାକୁ ପଡ଼େ? ଫାଇନ୍ କାଢ଼। ଗାଡ଼ି କାଗଜପତ୍ର ଦେଖାଅ। ଏଭଳି ତାଗିଦ ଦେଖି ସନ୍ତୋଷ ଡରି ଯାଇଥିଲେ। ସାର୍ ଗାଡ଼ି କାଗଜପତ୍ର ଆଣିନି ଘରେ ଛାଡ଼ିଦେଇ ଆସିଛି। ଯାହା ଫାଇନ୍ କହିବେ କାଟିଦେବି। ହେଲେ ନକଲି ପୁଲିସ ଅଫିସର ଜଣଙ୍କ କିଛି ଶୁଣି ନ ଥିଲେ। ପାଲଟା ସନ୍ତୋଷ ଠାରୁ ଗାଡ଼ି ଚାବି ନେଇଯାଇ ଥିଲେ। କହିଥିଲେ ତମେ ସିଆର୍ପି ଥାନାକୁ ଆସ। ସେଠାରେ ଗାଡ଼ି କାଗଜପତ୍ର ଦେଖାଇ ଗାଡ଼ି ନେଇଯିବ। ଏହାପରେ ଗାଡ଼ି ଧରି ନକଲି ପୁଲିସ ସାଜିଥିବା ସେହି ଯୁବକ ଜଣକ ଚାଲି ଯାଇଥିଲେ। ସନ୍ତୋଷ ଘରକୁ ଯାଇ ଗାଡ଼ି କାଗଜପତ୍ର ଆଣି ଭୁବନେଶ୍ବରରେ ସିଆର୍ପି ଥାନା ଖୋଜିଥିଲେ। ହେଲେ ସେ କମିସନରେଟ୍ ପୁଲିସରେ ସିଆର୍ପି ଥାନା ପାଇ ନ ଥିଲେ। ଜାଣିବାକୁ ପାଇଥିଲେ ଯେ ସିଆର୍ପି ଥାନା ବୋଲି କିଛି ନାହିଁ। କେହି ଲୁଟେରା ତାଙ୍କୁ ଏଭଳି ଭୂଆଁ ବୁଲାଇ ବାଇକ୍ ନେଇ ଯାଇଛି। ଏ ନେଇ ସେ ଖାରବେଳନଗର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଜାରି ରଖିଥିଲା। ସିସିଟିଭି ଫୁଟେଜ୍ ଯାଞ୍ଚ ପରେ ପୁଲିସ ଲୁଟେରାକୁ ଚିହ୍ନଟ କରିଥିଲା।