ଅନ୍ଧାରରେ ଐତିହାସିକ ଧର୍ମପୀଠ : କଦମ୍ରସୁଲ, ଇଦ୍ଗା ପରିସର ବିପର୍ଯ୍ୟସ୍ତ, ଜାମା ମସ୍ଜିଦରୁ ବିଦ୍ୟୁତ ସଂଯୋଗ କାଟିଛି ସିଏମସି
କଟକ : କଟକର କଦମ୍-ଇ-ରସୁଲରେ ରହିଛି ମହାପୁରୁଷ ମହମ୍ମଦଙ୍କ ପାଦ ଚିହ୍ନ। ଜାତୀୟ, ଅନ୍ତର୍ଜାତୀୟ ସ୍ତରରେ ରହିଛି ଏହି ପୀଠର ଖ୍ୟାତି। ଏହି ପୀଠ ପରିଦର୍ଶନ ପାଇଁ ବିଶିଷ୍ଟ ସଂଗୀତକାର ଏ.ଆର.ରହେମାନ, ମୁକ୍ତାର ଆବାସ ନକଭି, ଗୁଲାମ ନବୀ ଆଜାଦଙ୍କ ଭଳି ବିଶିଷ୍ଟ ବ୍ୟକ୍ତି ମଧ୍ୟ ନିକଟ ଅତୀତରେ ଆସିଛନ୍ତି। କିନ୍ତୁ କଟକର ଏହି ଐତିହାସିକ ପୀଠର ଦୁସ୍ଥିତିକୁ ନେଇ ଏବେ ବିଭିନ୍ନ ମହଲରେ ପ୍ରତିକ୍ରିୟା ବଢିବାରେ ଲାଗିଛି। ଫନି ପରଠାରୁ କଦମରସୁଲ ଏକପ୍ରକାର ଅନ୍ଧାର। ବିଭିନ୍ନ ସ୍ଥାନରେ ପଡ଼ି ରହିଛି ବଡ଼ ବଡ଼ ଗଛ। ଅଳ୍ପ କେତୋଟି ବତୀଖୁଣ୍ଟକୁ ଛାଡିଦେଲେ ଭିତର ସଂପୂର୍ଣ୍ଣ ଅନ୍ଧାର।
Sambad is now on WhatsApp
Join and get latest news updates delivered to you via WhatsApp
କଦମରସୁଲର ଏଭଳି ସ୍ଥିତି ରହିଥିବା ବେଳେ କଟକର ଅନ୍ୟତମ ଐତିହାସିକ ସ୍ଥାନ ଇଦ୍ଗା କବରସ୍ଥାନରେ ଗୋଟିଏ ବି ଆଳୁଅ ଜଳୁନାହିଁ। ଇଦ୍ଗା କବରସ୍ଥାନରୁ ଏବେ ବି ଉଠିନି ଉପୁଡି ପଡିଥିବା ଗଛ। ନିମଚୌଡ଼ିରେ ଥିବା ଜାମା ମସ୍ଜିଦରେ ତ ସିଏମ୍ସି ଲଗାଇଥିବା ଲାଇଟରୁ ବିଦ୍ୟୁତ କାଟି ଦେଇଛି। ମସ୍ଜିଦ ମଧ୍ୟରେ ସିଏମ୍ସି ଲଗାଇଥିବା ଗୋଟିଏ ବି ଆଲୁଅ ଜଳୁନାହିଁ। ଫନି ବାତ୍ୟା ଯିବାର ୬ମାସ ପରେ ସଂଖ୍ୟାଲଘୁ ସଂପ୍ରଦାୟଙ୍କ ଧର୍ମପୀଠରେ ଏପରି ଅବସ୍ଥା ଦେଖିବାକୁ ମିଳୁଛି। ଏସବୁ ଧର୍ମପୀଠର ପରିଚାଳନା କମିଟି ପକ୍ଷରୁ ବାରମ୍ବାର ଦାବି ହେଉଥିଲେ ମଧ୍ୟ ସିଏମ୍ସି ବା ଜିଲ୍ଲା ପ୍ରଶାସନ କେହି ତାହାକୁ ଗୁରୁତ୍ବ ଦେଉନଥିବା ଅଭିଯୋଗ ହୋଇଛି।
ଦରଘାବଜାରସ୍ଥିତ ସର୍ବପୁରାତନ ଇସ୍ଲାମ୍ ଧର୍ମପୀଠ ‘କଦମ-ଇ-ରସୁଲ ଗତ ମେ ୩ତାରିଖରେ ହୋଇଥିବା ଫନି ବାତ୍ୟାରେ ବିପର୍ଯ୍ୟସ୍ତ ହୋଇ ପଡିଥିଲା। ପୀଠ ପରିସରରେ ଥିବା ଅନେକ ବଡ଼ ବଡ଼ ଗଛ ଉପୁଡିଯିବା ସହ ପାଚେରି, ବତି ଖୁଣ୍ଟ, ପୀଠ ସମ୍ମୁଖ ସେଡ୍ ଭାଙ୍ଗିଯାଇଥିଲା। ଏପରିକି ଫନି ପରେ ପୀଠକୁ ପ୍ରବେଶ କରିବା କଷ୍ଟକର ହୋଇଥିଲା। ଏ ସଂକ୍ରାନ୍ତରେ କଦମ୍ରସୁଲ ପରିଚାଳନା କମିଟି ପକ୍ଷରୁ ସରକାରଙ୍କୁ ଅବଗତ କରାଯାଇଥିଲେ ମଧ୍ୟ ପ୍ରତିକାର ବ୍ୟବସ୍ଥା ପାଇଁ କର୍ତ୍ତୃପକ୍ଷ ଆନ୍ତରିକତା ଦେଖାନଥିଲେ। ଶେଷରେ କମିଟି ପକ୍ଷରୁ କଦମରସୁଲ ସଫେଇ କରାଯାଇଥିଲା। କିନ୍ତୁ ଏବେ ମଧ୍ୟ ମହମ୍ମଦଙ୍କ ପାଦଚିହ୍ନ ଥିବା ପୀଠରେ ସମ୍ମୁଖ ସେଡରୁ ଛପର ଉଡିଯାଇଛି। ସିଏମସି ପକ୍ଷରୁ ଉପୁଡି ତଥା ଭାଙ୍ଗିପଡ଼ିଥିବା ଗଛ, ଲାଇଟ୍ ପୋଷ୍ଟ ସଫା କରାଯାଇନ ଥିବା ଅଭିଯୋଗ ହୋଇଛି। ଏସଂକ୍ରାନ୍ତରେ କଦମ୍-ଇ-ରସୁଲ ପରିଚାଳନା କମିଟି ସଭାପତି ରମଜାନ ଖାନ୍ କହିଛନ୍ତି, ୨୦୧୩ରେ ସିଏମସି ଓ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ୧ କୋଟି ୭୦ଟଙ୍କା ବ୍ୟୟରେ କଦମ-ଇ-ରସୁଲର ସୌନ୍ଦର୍ଯ୍ୟକରଣ କରାଗଲା। କବରସ୍ଥାନ ଆଲୋକବ୍ୟବସ୍ଥା ହେଲା। କିନ୍ତୁ ଏହା ପରିଚାଳନା କମିଟିକୁ ଏବେ ସୁଦ୍ଧା ହସ୍ତାନ୍ତର ହୋଇନାହିଁ। ଏବେ ସିଏମ୍ସିର ୬/୭ ବତି ଖୁଣ୍ଟ ବ୍ୟତୀୟ ଗୋଟିଏ ସୌନ୍ଦର୍ଯ୍ୟକରଣ ଆଲୋକ ଜଳୁନାହିଁ ବୋଲି ଶ୍ରୀ ଖାନ କହିଛନ୍ତି।
ଫନି ପରଠୁ ଇଦ୍ଗା ସ୍ଥିତ ପ୍ରାର୍ଥନା ସ୍ଥଳ ଓ କବରସ୍ଥାନ ସଂପୂର୍ଣ୍ଣ ଅନ୍ଧାର। ଇଦ୍ଗା କବରସ୍ଥାନ ପରିସରରେ ୧୧ଟି ବତି ଖୁଣ୍ଟ ଭାଙ୍ଗିଯାଇଥିବା ବେଳେ ଏବେ ସୁଦ୍ଧା ମରାମତି ହୋଇନାହଁ। ସଂଧ୍ୟାରେ ଟର୍ଚ ଲାଇଟ୍ ନେଇ କରାଯାଉଛି ଶବ ସତ୍କାର। ଫନିରେ ଇଦ୍ଗାରେ ବହୁ ଗଛ ଭାଙ୍ଗିଥିଲା। ସିଏମ୍ସି, ଏନଡିଆର୍ଏଫ୍ ଆଦି କେହି ଏହାକୁ ସଫା କଲେନି। ଫନି ପରେ ପରେ ରମ୍ଜାନ ଆସିଥିବାରୁ କମିଟି ପକ୍ଷରୁ କେବଳ ନମାଜ ହେଉଥିବା ସ୍ଥାନକୁ ସଫା କଲାଗଲା। ଭିତରେ ଏବେ ବହୁ ଗଛ ଉପୁଡି ପଡ଼ିରହିଛି। କମିଟି ସଭ୍ୟ ମୁକିମ୍ ଖାନଙ୍କ କହିବା ଅନୁସାରେ ଫନି ପରେ ପରିସର ଅତ୍ୟନ୍ତ ବିପର୍ଯ୍ୟସ୍ତ ହୋଇଥିଲା। କେହି ନଶୁଣିବାରୁ କମିଟି ପକ୍ଷରୁ ନିଜ ଖର୍ଚ୍ଚରେ ଏହାକୁ ସଫା କରାଯାଇଛି। କିନ୍ତୁ ଗୋଟିଏ ବି ବତି ଖୁଣ୍ଟରେ ଆଲୁଅ ଜଳୁନଥିବା ଶ୍ରୀ ଖାନ କହିଛନ୍ତି। ଇଦ୍ଗା ପରିସରରେ ନିର୍ମିତ ପ୍ରାର୍ଥନା ଗୃହଟି ଏବେ ଅଧାପନ୍ତରିଆ ହୋଇ ପଡ଼ିରହିଥିବା ଶ୍ରୀ ଖାନ କହିଛନ୍ତି।
ନିମ୍ଚୌଡ଼ିସ୍ଥିତ ସର୍ବପୁରାତନ ମସ୍ଜିଦ ଜାମା ମସଜିଦର ପ୍ରାର୍ଥନା ଗୃହ ଛାତ ଫନିରେ ଉଠିଯିବା ସହିତ ଅନ୍ୟ କିଛି ଆଜ୍ବେଷ୍ଟଟସ୍ ଘରର ଛାତ ମଧ୍ୟ ନଷ୍ଟ ହୋଇଥିଲା। ଏହାକୁ ନିମଚୌଡ଼ି ସାହି ଲୋକ ମିଶି ନିର୍ମାଣ କରିଛନ୍ତି। ମସ୍ଜିଦ୍ ପରିସରରେ ସିଏମ୍ସି ପକ୍ଷରୁ ଦୁଇଟି ଖୁଣ୍ଟରେ ଆଲୋକବ୍ୟବସ୍ଥା କରାଯାଇଥିଲା। କିନ୍ତୁ ସିଏମ୍ସି ପକ୍ଷରୁ ଦୁଇଟି ଯାକ ଆଲୋକ ସମେତ ମସ୍ଜିଦ୍କୁ ଦିଆଯାଇଥିବା ବିଦ୍ୟୁତ ସଂଯୋଗକୁ ସଂପୂର୍ଣ୍ଣ ଭାବେ କାଟିଦିଆଯାଇଛି ବୋଲି କହିଛନ୍ତି ମସ୍ଜିଦ୍ରେ ଆଜାନ କରୁଥିବା ଅବ୍ଦୁଲ ରହେମାନ। ଏହି ମସ୍ଜିଦରେ ଯାହା ବି ଉନ୍ନତିକରଣ ହୋଇଛି, ସେସବୁ ସାହି କମିଟି ଦ୍ବାରା ସଂପାଦିତ ହୋଇଛି ବୋଲି ଶ୍ରୀ ରହେମାନ କହିଛନ୍ତି।