ଶୁକ୍ରବାରଠୁ ଭାରତ-ଇଣ୍ଡିଜ୍ ‘ଟ୍ବେଣ୍ଟି-୨୦’
ହାଇଦ୍ରାବାଦ : କିଛି ଦିନର ବିଶ୍ରାମ ପରେ ପୁଣି ଥରେ ଭାରତରେ ଅନ୍ତର୍ଜାତୀୟ କ୍ରିକେଟ୍ ଲଢ଼େଇ ଆରମ୍ଭ ହେବ। ବାଂଲାଦେଶକୁ ଧୂଳି ଚଟାଇଥିବା ଭାରତୀୟ କ୍ରିକେଟ୍ ଦଳ ଏଥର କାରବୀୟ ରାଷ୍ଟ୍ର ୱେଷ୍ଟଇଣ୍ଡିଜ୍ର ମୁକାବିଲା କରିବ। ଏହି ଲଢ଼େଇ ହାଇଦ୍ରାବାଦଠାରୁ ଆରମ୍ଭ ହୋଇ କଟକରେ ସରିବ। ସେଥିମଧ୍ୟରେ ଉଭୟ ଦଳ ତିନିଟି ଲେଖାଏଁ ଟ୍ବେଣ୍ଟି-୨୦ ଏବଂ ଦିନିକିଆ ଖେଳିବେ। ଚଳିତ କ୍ୟାଲେଣ୍ଡର ବର୍ଷରେ ଏହା ମଧ୍ୟ ଭାରତୀୟ କ୍ରିକେଟ୍ ଦଳର ଶେଷ ପୂର୍ଣ୍ଣାଙ୍ଗ ଶୃଙ୍ଖଳା ହେବ। ଟ୍ବେଣ୍ଟି-୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯିବ। ଏହା ପରେ କେରଳର ଥିରୁବନ୍ତପୁରମ୍ସ୍ଥିତ ଗ୍ରିନ୍ ଫିଲ୍ଡ ଷ୍ଟାଡିୟମ ସହ ମୁମ୍ବାଇର ୱାଙ୍ଖଡ଼େ ଷ୍ଟାଡିୟମରେ ଦ୍ବିତୀୟ ଏବଂ ତୃତୀୟ ଟ୍ବେଣ୍ଟି-୨୦ ଖେଳାଯିବ। ଦିନିକିଆ ଶୃଙ୍ଖଳା ଚଳିତ ମାସ ୧୫ ତାରିଖରେ ଚେନ୍ନାଇରୁ ଆରମ୍ଭ ହୋଇ ୧୮ ଓ ୨୨ ତାରିଖରେ ଯଥାକ୍ରମେ ବିଶାଖାପାଟଣା ଏବଂ କଟକରେ ଶେଷ ହେବ।
Sambad is now on WhatsApp
Join and get latest news updates delivered to you via WhatsApp
ହାଇଦ୍ରାବାଦରେ ବର୍ଷା ଆଶଙ୍କା
ହାଇଦ୍ରାବାଦରେ ଦୁଇବର୍ଷ ତଳେ ଖେଳାଯିବାକୁ ଥିବା ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଟ୍ବେଣ୍ଟି-୨୦କୁ ଲଗାଣ ବର୍ଷା ଧୋଇ ନେଇଥିଲା। ଏଥର ମଧ୍ୟ ଭାରତ-ଇଣ୍ଡିଜ୍ ପ୍ରଥମ ଟ୍ବେଣ୍ଟି-୨୦ ଅବସରରେ ବର୍ଷା ହେବାର ଯଥେଷ୍ଟ ଆଶଙ୍କା ରହିଛି। କାରଣ ଶୁକ୍ରବାର ଏଠାରେ ପାଗ କୋହଲା ରହିବା ସହ ବର୍ଷା ହେବାର ପୂର୍ବାନୁମାନ ଲଗାଇଛି ଏଠାକାର ପାଣିପାଗ ବିଭାଗ। ମ୍ୟାଚ୍ ପାଇଁ କିରଣ ପୋଲାର୍ଡଙ୍କ ନେତୃତ୍ବାଧୀନ ଇଣ୍ଡିଜ୍ ଦଳ କିନ୍ତୁ ଏଠାରେ ପହଞ୍ଚି ସାରିଛି। ପ୍ରଶିକ୍ଷକ ଫିଲ୍ ସିମନ୍ସଙ୍କ ତତ୍ତ୍ବାବଧାନରେ ସେମାନେ ଅଭ୍ୟାସ ବି ଆରମ୍ଭ କରି ସାରିଛନ୍ତି। ୨୬ ଟେଷ୍ଟ୍ ଏବଂ ୧୪୩ ଦିନିକିଆ ଖେଳିଥିବା ସିମନ୍ସଙ୍କ ମାର୍ଗଦର୍ଶନରେ ହିଁ ଇଣ୍ଡିଜ୍ ୨୦୧୬ ଟ୍ବେଣ୍ଟି-୨୦ ବିଶ୍ବକପ୍ ଜିତିଥିଲା। ଚଳିତ ବର୍ଷର ଆଫଗାନିସ୍ତାନ ବିପକ୍ଷ ଶୃଙ୍ଖଳା ପୂର୍ବରୁ ତାଙ୍କୁ ପୁନର୍ବାର ଇଣ୍ଡିଜ୍ ଦଳର ପ୍ରଶିକ୍ଷକ ନିଯୁକ୍ତ କରାଯାଇଛି। ତେବେ ଭାରତୀୟ ଦଳର ସାଂପ୍ରତିକ ପ୍ରଦର୍ଶନକୁ ଦେଖିଲେ ଇଣ୍ଡିଜ୍ ପାଇଁ ଏହି ଶୃଙ୍ଖଳା ଅଗ୍ନି ପରୀକ୍ଷାଠାରୁ କୌଣସି ଗୁଣରେ କମ୍ ହେବ ନାହିଁ। ଏହାକୁ ଆଖିଆଗରେ ରଖି ସିମନ୍ସ ନିର୍ଧାରିତ (ଅପରାହ୍ନ ୨ରୁ ୫)ଠାରୁ ଅଧିକ ସମୟ ପର୍ଯ୍ୟନ୍ତ ନିଜ ଖେଳାଳିମାନଙ୍କୁ ଖଟାଉଥିବା ଦେଖିବାକୁ ମିଳୁଛି। ଭାରତ ଶୃଙ୍ଖଳାକୁ ଇଣ୍ଡିଜ୍ ଆସନ୍ତାବର୍ଷର ଟ୍ବେଣ୍ଟି-୨୦ ବିଶ୍ବକପ୍ ଲାଗି ପ୍ରସ୍ତୁତି ଭାବେ ନେବ ବୋଲି ସେ ଘୋଷଣା କରିଛନ୍ତି। ହାଇଦ୍ରାବାଦ କ୍ରିକେଟ୍ ସଂଘର ନୂଆ ସଭାପତି ତଥା ପୂର୍ବତନ ଭାରତୀୟ ଅଧିନାୟକ ମହମ୍ମଦ ଆଝାରୁଦ୍ଦିନଙ୍କ ପାଇଁ ମଧ୍ୟ ଏହି ମ୍ୟାଚ୍ ସମ୍ମାନର ପ୍ରଶ୍ନ ହେବ। ଆଝାରଙ୍କ ସଭାପତିତ୍ବରେ ହାଇଦ୍ରାବାଦ କ୍ରିକେଟ୍ ସଂଘ ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ୍ ଆୟୋଜନ କରିବ। ଏହି ମ୍ୟାଚ୍କୁ ସଫଳ କରିବା ଲାଗି ସେ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରିବେ ବୋଲି ଆଝାର କହିଛନ୍ତି।
୧୪ରୁ ଭାରତ ଜିତିଛି ୮
ଭାରତ-ୱେଷ୍ଟଇଣ୍ଡିଜ୍ ଟ୍ବେଣ୍ଟି-୨୦ ପରିସଂଖ୍ୟାନକୁ ଦେଖିଲେ ଭାରତ ତୁଳନାତ୍ମକ ଭାବେ ଆଗରେ ରହିବ। ଉଭୟ ଦଳ ପରସ୍ପର ବିପକ୍ଷରେ ମୋଟ ୧୪ ଟ୍ବେଣ୍ଟି-୨୦ ଖେଳିଛନ୍ତି। ସେଥିମଧ୍ୟରୁ ଭାରତ ୮ ମ୍ୟାଚ୍ ଜିତିଥିଲା ବେଳେ ଇଣ୍ଡିଜ୍ ୫ ମୁକାବିଲାରେ ବିଜୟୀ ହୋଇଛି। ଗୋଟିଏ ମ୍ୟାଚ୍ର ଫଳାଫଳ ମିଳିନାହିଁ। ଇଣ୍ଡିଜ୍ ବିପକ୍ଷରେ ଭାରତର ସଫଳତା ହାର ହେଉଛି ୬୧.୫୩। ଯାହାକୁ ଆହୁରି ବଢ଼ାଇବାକୁ ଭାରତ ଏହି ଘରୋଇ ଶୃଙ୍ଖଳାରେ ଚେଷ୍ଟା କରିବ। ପୂର୍ଣ୍ଣକାଳୀନ ସଦସ୍ୟଙ୍କ ମଧ୍ୟରୁ ଭାରତ ଶକ୍ତିଶାଳୀ ଅଷ୍ଟ୍ରେଲିଆ ବିପକ୍ଷରେ ସର୍ବାଧିକ ୨୦ ଟ୍ବେଣ୍ଟି-୨୦ ଖେଳିଛି। ସେଥିରୁ ୧୧ ମ୍ୟାଚ୍ରେ ବିଜୟୀ ହୋଇଛି। ଅନ୍ୟପକ୍ଷରେ ଭାରତ ଆଫଗାନିସ୍ତାନ ବିପକ୍ଷରେ ୨, ବାଂଲାଦେଶ ବିପକ୍ଷରେ ୧୧, ଇଂଲଣ୍ଡ ବିପକ୍ଷରେ ୧୪, ଆୟର୍ଲାଣ୍ଡ ବିପକ୍ଷରେ ୩, ନ୍ୟୁଜିଲାଣ୍ଡ ବିପକ୍ଷରେ ୧୧, ପାକିସ୍ତାନ ବିପକ୍ଷରେ ୮, ଦକ୍ଷିଣ ଆଫ୍ରିକା ବିପକ୍ଷରେ ୧୫, ଶ୍ରୀଲଙ୍କା ବିପକ୍ଷରେ ୧୬ ଟ୍ବେଣ୍ଟି-୨୦ ଖେଳିଛି। ଅନ୍ୟସମସ୍ତ ଦଳ ବିପକ୍ଷରେ ଭାରତର ସଫଳତା ପ୍ରତିଶତ ୫୦ରୁ ଅଧିକ ରହିଛି। କେବଳ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତର ସଫଳତା ପ୍ରତିଶତ ମାତ୍ର ୨୭.୧୭ ରହିଛି। ଏହି ଦଳ ବିପକ୍ଷରେ ଭାରତ ମାତ୍ର ୩ ମ୍ୟାଚ୍ ଜିତିଥିଲା ବେଳେ ୮ ହାରିଛି।
କୋହଲି ଚିନ୍ତାମୁକ୍ତ
ୱେଷ୍ଟଇଣ୍ଡିଜ୍ ବିପକ୍ଷ ଶୃଙ୍ଖଳାକୁ ନେଇ ଭାରତୀୟ ଅଧିନାୟକ ବିରାଟ କୋହଲି ସମ୍ଭବତଃ ଆଦୌ ଚିନ୍ତିତ ନାହାନ୍ତି। ଲୋକେଶ ରାହୁଲ ଏବଂ ଶିଭମ ଦୁବେଙ୍କ ସହ ମଙ୍ଗଳବାର ହାଇଦ୍ରାବାଦ ଅଭିମୁଖେ ଯାତ୍ରା କରିବା ପୂର୍ବରୁ ଖୁସି ଗପ କରୁଥିବା ଦେଖିବାକୁ ମିଳିଥିଲା। ଭାରତ ଏହି ଶୃଙ୍ଖଳାରେ ପୂର୍ଣ୍ଣ କ୍ଷମତା ସହ ପଡ଼ିଆକୁ ଓହ୍ଲାଇବ ବୋଲି ମଧ୍ୟ କୋହଲି ସଙ୍କେତ ଦେଇ ସାରିଛନ୍ତି। ଇଣ୍ଡିଜ୍ ଶୃଙ୍ଖଳା ପୂର୍ବରୁ ଭାରତୀୟ କ୍ରିକେଟ୍ ଦଳ ଘରୋଇ ପରିବେଶରେ ଖେଳିଥିବା ବାଂଲାଦେଶ ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳାକୁ ଜିତିଥିଲା।
ଭାରତୀୟ ଦଳ: ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା (ଉପଅଧିନାୟକ), ଲୋକେଶ ରାହୁଲ, ଶ୍ରେୟସ୍ ଆୟର, ମନୀଷ ପାଣ୍ଡେ, ଋଷବ ପନ୍ତ, ଶିଭମ ଦୁବେ, ୱାସିଂଟନ ସୁନ୍ଦର, ରବୀନ୍ଦ୍ର ଜାଦେଜା, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ଦୀପକ ଚହର, ମହମ୍ମଦ ସାମି, ଭୁବନେଶ୍ବର କୁମାର, ସଞ୍ଜୁ ସାମସନ।