ଟାଙ୍ଗରା ଭୂଇଁ ଦେଖି ବିଗିଡ଼ିଲେ ବିଧାନସଭା ଷ୍ଟାଣ୍ଡିଂ କମିଟି, ଲଗାଇଥିଲେ ୫୬ ହଜାର ଗଛ, ଗୋଟିଏ ବି ନାହିଁ
କେନ୍ଦୁଝର : କେନ୍ଦୁଝର ସଦର ବ୍ଲକ ପଦ୍ମପୁର ଭାଟୁଣିଆରେ ୨୦୧୩-୧୪ ଆର୍ଥିକ ବର୍ଷରେ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ବିଭିନ୍ନ କିସମର ୫୬ ହଜାର ବୃକ୍ଷରୋପଣ କରାଯାଇଥିଲା । ଏବେ ସେଠାରେ କୌଣସି ଗଛର ଚିହ୍ନବର୍ଣ୍ଣ ନାହିଁ। ପ୍ରକୃତରେ ଏଠାରେ ଗଛ ଲଗାଯାଇଥିଲା କି ନାହିଁ ସନ୍ଦେହ ସୃଷ୍ଟି ହୋଇଛି। କେନ୍ଦୁଝର ଗସ୍ତରେ ଆସିଥିବା ବିଧାନସଭା ଷ୍ଟାଣ୍ଡିଂ କମିଟି ଆଜି ଟାଙ୍ଗରା ପଡ଼ିଆକୁ ଦେଖି ତାଜୁବ୍ ହୋଇଯାଇଥିଲେ। ବିଭାଗୀୟ ଅଧିକାରୀଙ୍କ ଉପରେ ବର୍ଷିଥିଲେ । ୫୬ ହଜାର ବୃକ୍ଷ ରୋପଣ ହୋଇଥିବା କୁହାଯାଉଥିବାବେଳେ ଏଠାରେ କେବେ କୌଣସି ପ୍ରକାର ବୃକ୍ଷରୋପଣ ହୋଇନଥିବା ପରି ଲାଗୁଛି ବୋଲି ସଦସ୍ୟମାନେ କହିଥିଲେ । ଯଦି ବୃକ୍ଷରୋପଣ ହୋଇଥିଲା ତେବେ ଏହାର ଯତ୍ନ ଆଦୌ ନିଆଯାଇ ନାହିଁ । ନଚେତ ଏପରି ଅବସ୍ଥା ହୋଇନଥାଆନ୍ତା ବୋଲି ସଦସ୍ୟମାନେ କ୍ଷବ୍ଧ ହୋଇଥିଲେ ।
Sambad is now on WhatsApp
Join and get latest news updates delivered to you via WhatsApp
ପ୍ରକାଶଥାଉକି, ମନରେଗା ଯୋଜନାରେ ୨୦୧୩-୧୪ ଆର୍ଥିକ ବର୍ଷରେ ୧୭ଲକ୍ଷ ୭୬ହଜାର ଟଙ୍କା ବ୍ୟୟରେ ବୃକ୍ଷରୋପଣ କରାଯାଇଥିଲା । କିନ୍ତୁ ଏବେ ସେଠାରେ ଗଛର ନାମଗନ୍ଧ ନଥିଲା । ବିଭିନ୍ନ କମ୍ପାନି ପକ୍ଷରୁ ବୃକ୍ଷ ରୋପଣ ଠିକ୍ଠାକ ହେଉଛି କି ନାହିଁ ବନ ବିଭାଗ ତଦାରଖ କରୁଥିବା ବେଳେ ଖୋଦ୍ ବିନ ବିଭାଗ କରିଥିବା ବୃକ୍ଷରୋପଣର ଅବସ୍ଥା ଯଦି ଏପରି ତେବେ ତଦାରଖ କରୁଥିବା କାର୍ଯ୍ୟର ଅବସ୍ଥା କିପରି ଥିବ ଏଥିରୁ ଅନୁମେୟ। ଆଜି ବୌଦ୍ଧ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ କୁମାର ଅମାତଙ୍କ ନେତୃତ୍ୱରେ ଆସିଥିବା ଷ୍ଟାଣ୍ଡିଂ କମିଟି ବୃକ୍ଷରୋପଣ ସ୍ଥଳ ତଦାରଖ କରିଥିଲେ । ପରିଦର୍ଶନ ସମୟରେ ଷ୍ଟାଣ୍ଡିଂ କମିଟିର ସଦସ୍ୟା ବିଧାୟିକା ଉଷା ଦେବୀ, ବିଧାୟକ ଦାଶରଥି ଗମାଙ୍ଗୋ, ବିଧାୟକ ଧ୍ରୁବଚରଣ ସାହୁ, ବିଧାୟକ ବଦ୍ରିନାରାୟଣ ପାତ୍ରଙ୍କ ସମେତ ବିଭିନ୍ନ ସରକାରୀ ପଦାଧିକାରୀମାନେ ଉପସ୍ଥିତ ଥିଲେ। ୧୭ଲକ୍ଷ ୭୬ହଜାର ଟଙ୍କା ବିନିମୟରେ ୫୬ ହଜାର ବିଭିନ୍ନ ପ୍ରଜାତିର ବୃକ୍ଷରୋପଣ କରାଯାଇଥିଲା। ତେବେ ବୃକ୍ଷରୋପଣ ସ୍ଥାନରେ ଗୋଟିଏ ମଧ୍ୟ ଗଛ ଦେଖିବାକୁ ମିଳୁନି। ବୃକ୍ଷରୋପଣ ନାଁରେ ସରକାରୀ ଅର୍ଥର ହରିଲୁଟ ହୋଇଥିବା ସଂଦେହ ପ୍ରକାଶ ପାଇଛି। ଏହାର ଭିଜିଲାନ୍ସ ତଦନ୍ତ କରିବାକୁ ବିଭିନ୍ନ ମହଲରେ ଦାବି ହୋଇଛି ।