ଅବତାରୀ ପୁରୁଷ ଓ ମୁଖା ରାଜନୀତି
କୁମାର ପ୍ରଶାନ୍ତ
ଦିଲ୍ଲୀ ନିର୍ବାଚନ ଫଳାଫଳ ଭାରତୀୟ ରାଜନୀତିରେ ଚହଳ ସୃଷ୍ଟି କରିଛି। ଏହା ସମସ୍ତ ରାଜନୈତିକ ଦଳକୁ ବିସ୍ମିତ ମଧ୍ୟ କରିଛି। ଏହି ଫଳାଫଳ ଆମ ରାଜନୀତି ପାଇଁ ଏକ ବରଦାନ ହୋଇପାରେ। ଅର୍ଥାତ୍, ଏହା ମାଧ୍ୟମରେ ଆମ ଲୋକତନ୍ତ୍ର ଶକ୍ତିଶାଳୀ ହୋଇପାରେ। ଏଥିରେ କିଏ ଜିତିଲା ଓ କିଏ ହାରିଲା ତାହା କହିବା ଅନାବଶ୍ୟକ। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଭଳି ମୁଁ ଏହା ମଧ୍ୟ କହିବି ନାହିଁ ଯେ ଦିଲ୍ଲୀ ଉପରେ ଶ୍ରୀହନୁମାନଜୀଙ୍କ କୃପାର ବର୍ଷା ହୋଇଛି। ମୁଁ କାହାକୁ ଅବା କାହିଁକି ପଚାରିବି ହନୁମାନଜୀଙ୍କୁ ନିଜ କୃପା ବର୍ଷାଇବା ପାଇଁ ନିର୍ବାଚନର ଆବଶ୍ୟକତା କ’ଣ ଦରକାର? ତାହା ହେଲେ ତ ତାଙ୍କୁ ଆଉ ହନୁମାନ ବୋଲି ଜୀ କୁହାଯାଇ ପାରିବନାହିଁ; କେଜ୍ରିୱାଲଙ୍କ କାଠ ପ୍ରତିମା ବୋଲି କୁହାଯିବ।
Sambad is now on WhatsApp
Join and get latest news updates delivered to you via WhatsApp
ଦିଲ୍ଲୀ ନିର୍ବାଚନର ଫଳାଫଳ ଦେଖି ସାରି ମୁଁ ଏହା ମଧ୍ୟ କହୁନାହିଁ ଯେ ଭାରତୀୟ ରାଜନୀତିରେ ହିନ୍ଦୁତ୍ବବାଦୀ ଶକ୍ତି ଦୁର୍ବଳ ହୋଇଗଲା। ମୁଁ ଖାଲି ଏତିକି କହୁଛି ଯେ ସା˚ପ୍ରଦାୟିକତାର ମୁଖା ଖୋଲିଯାଇଛି। ଏହାର ନଗ୍ନ ସ୍ବରୂପ ଜନତା ଦେଖିଲା। ସାରା ଭାରତ ମଧ୍ୟ ଏହା ଦେଖିଲା। ତେଣୁ, ଏହି ନିର୍ବାଚନର ଫଳାଫଳ ଅବଶିଷ୍ଟ ଭାରତ ଉପରେ ପଡ଼ିବ।
୨୦୧୪ରେ ନରେନ୍ଦ୍ର ମୋଦୀଙ୍କ ମାଧ୍ୟମରେ ଭାରତୀୟ ଜନତା ପାର୍ଟି ଯେଉଁ ଅତିରିକ୍ତ ଚମକ ପାଇଥିଲା, ତାହା ଏବେ ଯେମିତି ମଉଳିବା ଆରମ୍ଭ ହୋଇଛି। ପ୍ରକୃତରେ ଦେଖିଲେ, ସେହି ଚମକ ନା ମୋଦୀଙ୍କର ନା ଭାରତୀୟ ଜନତା ପାର୍ଟିର। ସେ ଚମକ ପ୍ରକୃତରେ ଜନତାର ଥିଲା। ଜନତା କଂଗ୍ରେସ ନେତୃତ୍ବାଧୀନ କେନ୍ଦ୍ର ସରକାରର ଭ୍ରଷ୍ଟ ଓ ଅପରିଣାମଦର୍ଶୀ ରାଜନୀତି ପ୍ରତି ବୀତସ୍ପୃହ ହୋଇଥିଲା। ଫଳରେ ଜନତା ମୋଦୀ ଓ ଭାରତୀୟ ଜନତା ପାର୍ଟି ଆଡ଼କୁ ଢଳିିଥିଲା। ଜନତାର ପାର୍ଶ୍ବ ପରିବର୍ତ୍ତନ ଦ୍ବାରା ୟୁପିଏ ସରକାରର ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସି˚ହଙ୍କର କୌଣସି ବ୍ୟକ୍ତିଗତ କ୍ଷତି ହେଲାନାହିଁ। କାରଣ, ତାଙ୍କୁ ତ କେବଳ ଗାଦିରେ ବସାଇ ଦିଆଯାଇଥିଲା। ସବୁଠାରୁ ଅଧିକ କ୍ଷତି ହୋଇଥିଲା ନେହରୁ ପରିବାରର ଓ କ˚ଗ୍ରେସ ଦଳର। ଜନତା ସେମାନଙ୍କୁ ଏ ଭଳି ଭୁଲିଗଲା ଯେ ଲାଗୁଛି ସତେ ଯେମିତି ସେମାନେ ସ୍ବୟ˚ ନିଜକୁ ଭୁଲିଯାଇଛନ୍ତି।
କ˚ଗ୍ରେସର ଭ୍ରଷ୍ଟାଚାର ଦେଶରେ ଏକ ରାଜନୈତିକ ଶୂନ୍ୟତା ସୃଷ୍ଟି କରିଥିଲା। ଏହି ଭୟାବହ ଶୂନ୍ୟତା ଦୂର କରିବା ଲାଗି ଉଭା ହେଲେ ମୋଦୀ। ତାଙ୍କୁ ଅବତାରୀ ଭାବେ ଚିତ୍ରଣ କରାଗଲା। ଅବତାରକୁ ଗ୍ରହଣ କରିବାର ମାନସ ଏବେ ବି ଆମ ଭିତରେ ଏତେ ମାତ୍ରାରେ ଉଜ୍ଜୀବିତ ଯେ, ଆମର ଦରକାର ଅବତାର ଓ ଅଲୌକିକତା। ତା’ ପରେ ସ୍ଲୋଗାନ୍ ଓ ପ୍ରଚାର। ଏତିକିରେ ଆମେ ସନ୍ତୁଷ୍ଟ ହୋଇଯାଉ। ଭୁଲିଯାଉ ଯେ ଅବତାର ବୋଲି କିଛି ନ ଥାଏ, ଏହା ଗଢ଼ାଯାଏ, ଆମକୁ ଭୁଲାଇବା ପାଇଁ। ଅବତାର ଅଧିକ ଦିନ ତିଷ୍ଠେ ନାହିଁ। ଶୀଘ୍ର ଏହାର ଅନ୍ତ ଘଟେ। ତେଣୁ, ମୋଦୀଙ୍କ କ୍ଷେତ୍ରରେ ମଧ୍ୟ ଏହା ଘଟିବ। ତେବେ, ଏତେ ଶୀଘ୍ର? କେହି ତ ଏପରି ଅନୁମାନ କରି ନ ଥିଲେ? ଯେଉଁମାନେ ମୋଦୀଙ୍କୁ ଅବତାରୀ ଭାବେ ଗଢ଼ିଥିଲେ, ସେମାନେ ସୁଦ୍ଧା ଏତେ ଶୀଘ୍ର, ଏପରି ଘଟିବ ବୋଲି ଅନୁମାନ କରି ନ ଥିବେ! ଦିଲ୍ଲୀର ନିର୍ବାଚନ ଫଳାଫଳ, ଏହାର ଏକ ପ୍ରମାଣ।
କେବେ ଥରେ ବିନୋବା ଭାବେ ଭାରତୀୟ ନିର୍ବାଚନର ଚାରିତ୍ରିକ ବିଶ୍ଳେଷଣ କରିବାକୁ ଯାଇ କହିଥିଲେ- ଏହା ଆତ୍ମ-ପ୍ରଶ˚ସା, ପର-ନିନ୍ଦା, ମିଥ୍ୟା-ଭାଷଣର ବିରାଟ ଆୟୋଜନ। ଏହା କହିବା ବେଳେ କ’ଣ ସେ ଅନୁମାନ କରିଥିଲେ ଯେ, କ୍ଷମତା ହାତରୁ ଯିବା ଭଳି ଲାଗିଲେ ଶାସକ ଗୋଷ୍ଠୀ କେତେ ନିଷ୍ଠୁର ଓ କ୍ରୂର ହୋଇପାରନ୍ତି? ସେ ଆଜି ବଞ୍ଚିଥିଲେ ଅବାକ୍ ହୋଇଥାଆନ୍ତେ! ଦିଲ୍ଲୀ ନିର୍ବାଚନ ବେଳେ ଆମେ ପ୍ରତିଦିନ ଶାସକ ବର୍ଗର ନୂଆ ନୂଆ ପତନ ଦେଖିଲୁ। ଭାରତୀୟ ଜନତା ପାର୍ଟିକୁ ଯେତେ ବେଳେ ଲାଗିଲା, ହିନ୍ଦୁତ୍ବର ଆବେଦନ, ସା˚ପ୍ରଦାୟିକତା, ମନ୍ଦିର, ପାକିସ୍ତାନ ଆଡ଼ୁ ବିପଦ ଆଦି ଆଉ କାମରେ ଲାଗିବାର ସ˚ଭାବନା ନାହିଁ, ଏହି ଦଳର ଶୀର୍ଷ ନେତୃତ୍ବ ଘୃଣାର ପ୍ରସାର ଲାଗି ଯଥା ସମ୍ଭବ ଉଦ୍ୟମ କଲା। ନିର୍ବାଚନ ଜିତିବା ପାଇଁ କୌଣସି ଦଳ ପୂର୍ବରୁ କେବେ ସର୍ବଜନୀନ ଜୀବନରେ ଏତେ ବିଷ ଉଦ୍ଗାରି ନ ଥିଲା, ଯେଉଁ ଭଳି ଏ ଥର ଦିଲ୍ଲୀରେ ଘଟିଲା। ଖରାପ ଭାଷା, ଖରାପ ସ˚କେତ ଏବ˚ ଖରାପ ଉଦ୍ଦେଶ୍ୟ ଏତେ ମାତ୍ରାରେ ପ୍ରସାରିତ ହେଲା, ଭାବିଲେ ବିସ୍ମିତ ହେବାକୁ ପଡ଼େ। ଭାରତୀୟ ଜନତା ପାର୍ଟି ପକ୍ଷରୁ ନିର୍ବାଚନ ଜିତିବା ପାଇଁ ପ୍ରାଣ-ମୂର୍ଚ୍ଛା ଚେଷ୍ଟା କରାଗଲା। ଏହି କାର୍ଯ୍ୟରେ ସାରା ଶାସନ କଳ, ନିର୍ବାଚନ ଆୟୋଗ ଲାଗିଲେ। ଏହା ସତ୍ତ୍ବେ ମିଳିଲା କ’ଣ? ଏବେ ଶାସକ ଦଳ ଯେ କେବଳ ଲୋକପ୍ରିୟତା ହରାଇଚାଲିଛି, ତାହା ନୁହେଁ; କ˚ଗ୍ରେସ ସମେତ ଅନେକ ଦଳର ଅବସ୍ଥା ମଧ୍ୟ ସ˚କଟମୟ। ସବୁ ଦଳ ପାଇଁ ନିଜର ମତି-ଗତି, ଚାଲି-ଚଳନ, ଚେହେରା-ଚରିତ୍ରରେ ପରିବର୍ତ୍ତନ ଜରୁରୀ।
ଭାରତୀୟ ଜନତା ପାର୍ଟିର ସଫଳ ମୁକାବିଲା ପାଇଁ ଆମ ଆଦମୀ ପାର୍ଟି ଅଧିକ ସ˚ଯମ ଓ ରାଜନୈତିକ ଚାତୁର୍ଯ୍ୟ ଦେଖାଇଲା। ତେବେ, ଏହା ଯେ ରାଜନୀତିର କୌଣସି ଏକ ନୂଆ ଚେହେରା ଗଢ଼ୁଛି, ଏହା ମଧ୍ୟ ଧରି ନେବା ଠିକ୍ ନୁହେଁ। ଏହା ଏକ ନୂଆ ମୁଖା ବ୍ୟବହାର କଲା, ଯାହା କାମ ଦେଲା। ମୁଖା କେବେ ହେଲେ ଅସଲ ଚେହେରା ନୁହେଁ। ତେଣୁ, ମୁଖାକୁ ଚେହେରା ବୋଲି କୁହାଯାଇପାରିବନାହିଁ। ଆମେ ୨୦୧୪ରେ ଗୋଟିଏ ମୁଖା ଦେଖିଥିଲୁ, ୨୦୧୯ ପରେ ତାହାର ରଙ୍ଗ ଫିକାପଡ଼ିବା ଆରମ୍ଭ ହୋଇଯାଇଛି। ଯେତେ ବେଳେ ମୁଁ ମୁଖା କଥା କହୁଛି, କ˚ଗ୍ରେସ କଥା ମଧ୍ୟ କହିବି। କ˚ଗ୍ରେସର ଶୀର୍ଷ ନେତୃତ୍ବ ମଧ୍ୟ ମୁଖାଧାରୀ। ଆମ ଆଦମୀ ପାର୍ଟି ସହ କୌଣସି ଏକ ବୁଝାମଣା କ˚ଗ୍ରେସ ପାଇଁ ରାଜନୈତିକ ଦୃଷ୍ଟିରୁ ଭଲ ହୋଇଥାଆନ୍ତା। ଏହା ଦ୍ବାରା ଉଭୟ ଦଳ ଅଧିକ ମଜଭୁତ ହୋଇଥାଆନ୍ତେ ଏବ˚ ଭାରତୀୟ ଜନତା ପାର୍ଟିର ମାର୍ଗ ଆହୁରି ଅଧିକ କଠିନ ହୋଇଥାଆନ୍ତା। କିନ୍ତୁ, ଏ ଭଳି ରାଜନୈତିକ ଦୂରଦର୍ଶିତା ଏବ˚ ନବ ପ୍ରୟୋଗର ସାହସ କ˚ଗ୍ରେସ ନେତୃବୃନ୍ଦଙ୍କ ପାଖରେ ନାହିଁ। ଏହି ନିର୍ବାଚନରେ କ˚ଗ୍ରେସ କେବଳ ନିଜର ଧନ-ଜନ ବରବାଦ କଲା। ଯେଉଁ ଲଢ଼େଇରେ ଏହି ଦଳ ଜିତିବାର ନ ଥିଲା, ତାହା ଲଢ଼ିବା ବଦଳରେ ଆମ ଆଦମୀ ପାର୍ଟିକୁ ସହଯୋଗ କରିବା ଅଧିକ ବୁଦ୍ଧିମାନର କାମ ହୋଇଥାଆନ୍ତା। ଗତ ନିର୍ବାଚନରେ କ˚ଗ୍ରେସ୍ ଖାତା ଖୋଲିପାରି ନ ଥିଲା। ଏହି ନିର୍ବାଚନରେ ସମାନ ଘଟିଲା। ତାହା ହେଲେ, ପାଇଲା କ’ଣ? ବୋଧହୁଏ ଶୂନ୍ୟ ଆସନ ବି ଏହାକୁ ବଞ୍ଚାଇରଖିଲା, ଆଗାମୀ ରାଜନୈତିକ ରଣ ଲଢ଼ିବା ପାଇଁ।
ଆମ ଆଦମୀ ପାର୍ଟି ପାଇଁ ବି ଏବେ ସତର୍କ ଘଣ୍ଟି। ଏହି ଦଳ ଚାହୁଁ ବା ନ ଚାହୁଁ, ଆଜିର ବିଜୟ କାଲି ପରାଜୟକୁ ବଦଳିଯାଇପାରେ। ତେଣୁ, ଏହାକୁ ଏବେ ହିଁ ଜାଗ୍ରତ ହେବାକୁ ପଡ଼ିବ। ଭାଷଣ ମାରିବା ବଦଳରେ କାମ ଏବେ ସମସ୍ତଙ୍କ ପାଇଁ ଅତି ଜରୁରି ହୋଇପଡ଼ିଛି। କାମ ଦିଶେ ଏବ˚ ଏହା ମଧ୍ୟ କଥା କହେ। କାମ ବନ୍ଦ ହେଲେ ବିଜୟ ଧାରା ବି ବନ୍ଦ। କାମ ପାଇଁ ହିଁ ନାନା ପ୍ରତିକୂଳ ପରିସ୍ଥିତି ସତ୍ତ୍ବେ ଏହି ଦଳ ଏତେ ବଡ଼ ବିଜୟ ହାସଲ କରିପାରିଛି। ତେଣୁ, ଏଣିକି ନିର୍ବାଚନରେ ବିଜୟ ଲାଭ ପାଇଁ ସମସ୍ତଙ୍କୁ କାମ କରିବାକୁ ହେବ। ଭାଷଣରେ ଦେଶ ସବୁ ଦିନ ଚାଲି ନ ପାରେ। ଜନତା ଏବେ କାମ ଦେଖିବାକୁ ଚାହୁଁଛି; ଆଗକୁ ମଧ୍ୟ ଦେଖିବାକୁ ଚାହିଁବ।
ଅଧ୍ୟକ୍ଷ, ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ, ଦିଲ୍ଲୀ