ବାଣପୁର: ବାଣପୁରରେ ପୁଜ୍ୟପୂଜାର ଅବମାନନା ପରିଲକ୍ଷିତ ହେଉଛି। ବାଣପୁରର ଗର୍ବ ଓ ଗୈାରବ ପଣ୍ତିତ ଗୋଦାବରୀଶ ମିଶ୍ର ଏବଂ ଓଡିଶାର ବରପୁତ୍ର ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ବାଣପୁର ଏନଏସି କାର୍ଯ୍ୟାଳୟଠାରୁ ମାତ୍ର ୩ ଶହ ମିଟର ଦୂରରେ ଥିବା ବେଳେ ସହିଦ୍ କୃତ୍ତିବାସ ପାଟ୍ଟଶାଣୀଙ୍କର ପ୍ରତିମୂର୍ତ୍ତି ପଞ୍ଚୁଦୋଳ ପଡ଼ିଆରେ ସ୍ଥାପନ କରାଯାଇଛି। କେବଳ ମହାପୁରୁଷଙ୍କ ଜୟନ୍ତୀ ଏବଂ ତିରୋଧାନ ଦିବସରେ କିଛି ଅନୁଷ୍ଠାନ କେବଳ ଫୁଲମାଳ ପକାଇ ସେମାନଙ୍କ କର୍ତ୍ତବ୍ୟ ସମାପନ କରିଥାନ୍ତି । ପଣ୍ତିତ ଗୋଦାବରୀଶ ମିଶ୍ରଙ୍କର ଏକ ପ୍ରତିମୂର୍ତ୍ତି ବାଣପୁର ଥାନା ପାର୍ଶ୍ବରେ ଥିବା ଶିଶୁ ଉଦ୍ୟାନରେ ସ୍ଥାପନ କରାଯାଇଥିବା ବେଳେ ଏହା ଦିନ ବେଳେ ସଂପୂର୍ଣ୍ଣ ବନ୍ଦ ରହିଥାଏ। ଏହା ସମ୍ମୁଖସ୍ଥ ଗେଟ୍ ଏବଂ ଗ୍ରିଲ୍କୁ ଲୋକେ ଲୁଗା ଶୁଖାଇବା ସ୍ଥାନ ରୂପେ ବ୍ୟବହାର କରୁଛନ୍ତି। ପରିସ୍ଥିତି ଏମିତି ଯେ ଏହା ସାଧାରଣରେ ଧୋବା ତୁଠର ଭ୍ରମ ସୃଷ୍ଟି କରିଥାଏ। ଏନ୍ଏସି କର୍ତ୍ତୃପକ୍ଷ ଏ ଦିଗରେ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନଥିବାରୁ ସାଧାରଣରେ ଅସନ୍ତୋଷ ସୃଷ୍ଟି ହେଉଛି।
Sambad is now on WhatsApp
Join and get latest news updates delivered to you via WhatsApp
ସେହିପରି ଏନ୍ଏସି କାର୍ଯ୍ୟାଳୟ ଠାରୁ ମାତ୍ର ଶହେ ମିଟର ଦୂରରେ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ଏକ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଥିବା ବେଳେ ଏହାର ପାର୍ଶ୍ବରେ ଏକ ଠିକାଦାରି ସଂସ୍ଥାର ଜେସିବି ମେସିନ, ପାଣି ପାଇପ ଏବଂ ଅସ୍ଥାୟୀ ଘର ଏକ ଗୋଦାମର ଭ୍ରମ ସୃଷ୍ଟି କରୁଛି। ଅନ୍ୟପକ୍ଷରେ ସହିଦ୍ କୃତ୍ତିବାସ ପାଟ୍ଟଶାଣୀଙ୍କ ପ୍ରତିମୂର୍ତ୍ତି ଚାରିପଟେ ଗ୍ରିଲ ଲାଗି ନଥିବାରୁ ପ୍ରତିମୂର୍ତ୍ତି ଥିବା ପିଣ୍ତିଟି ବୁଲା କୁକୁର ଓ ଛେଳିଙ୍କ ଆଶ୍ରୟସ୍ଥଳୀ ପାଲଟିଛି। ଗୁରୁତ୍ବପୂର୍ଣ୍ଣ ହେଉଛି ବାଣପୁର ଏନ୍ଏସି ପକ୍ଷରୁ କେବେ ଏଠାରେ ଝାଡ଼ୁ ମଧ୍ୟ ମରାଯାଏ ନାହିଁ। ମହାପୁରୁଷମାନଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରି ଯଦି ଅସମ୍ମାନ ପ୍ରଦର୍ଶନ କରାଯାଏ ତେବେ ଏହା ଆମ ସଂସ୍କାର ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରୁଛି।