ବାଲେଶ୍ୱର: ସ୍ଥାନୀୟ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଦୁଇଟି ମୁଣ୍ଡ ଥିବା ଶିଶୁକନ୍ୟା ଜନ୍ମ ହୋଇଛି। ନବଜାତ ଶିଶୁକନ୍ୟାର ଗୋଟିଏ ମୁଣ୍ଡ ସକ୍ରିୟ ଥିବା ବେଳେ ଅନ୍ୟଟି ନିଷ୍କ୍ରିୟ ଥିବା ଜଣାପଡ଼ିଛି। ସକ୍ରିୟ ମୁଣ୍ଡର ପଛପଟରେ ନିଷ୍କ୍ରିୟ ମୁଣ୍ଡଟି ରହିଛି ।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ଅନୁସାରେ ଗତ ଶନିବାର ରାତି ୧୨ଟାରେ ସଦର ଥାନା ଅନ୍ତର୍ଗତ ନିଧିପଣ୍ଡା ନିକଟ ମାଧପୁର ଗାଁର ସୁଦର୍ଶନ ଜେନାଙ୍କ ସ୍ତ୍ରୀ ସୁବାସିନୀ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଯୋଡ଼ାମୁଣ୍ଡ ଥିବା ଶିଶୁ କନ୍ୟା ଜନ୍ମ କରିଥିଲେ। ଶିଶୁ କନ୍ୟା ଜନ୍ମ ହେବା ପରେ ହସ୍ପିଟାଲ କର୍ତ୍ତୃପକ୍ଷ ସେହି ରାତିରେ କଟକ ସ୍ଥାନାନ୍ତର କରିଥିଲା। ପରିବାର ଲୋକେ ନବଜାତକୁ ଧରି କଟକ ଶିଶୁ ଭବନରେ ସକାଳୁ ପହଞ୍ଚିଥିଲେ। କିନ୍ତୁ ସେଠାରୁ ସେମାନଙ୍କୁ ଫେରାଇ ଦିଆଯାଇଥିଲା। ଶେଷରେ ଉପାୟ ନପାଇ ପରିବାର ଲୋକେ ପୁଣି ଥରେ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାର ମାତୃ ଶିଶୁ ବିଭାଗକୁ ଫେରିଥିଲେ। ସୁଦର୍ଶନ ଜେନା କହିଛନ୍ତି, ନବଜାତ ଶିଶୁକନ୍ୟାର ନିଷ୍କ୍ରିୟ ମୁଣ୍ଡରେ ଫାଟ ଦେଖାଯାଇଛି।
ତେବେ ନବଜାତ ଯୋଡ଼ାମୁଣ୍ଡ ଶିଶୁକନ୍ୟାକୁ ଏବେ ବାଲେଶ୍ୱର ମାତୃ ଶିଶୁ ବିଭାଗରେ ଭର୍ତ୍ତି କରାଯାଇଛି। ପିଲାଟିର ପଛପଟର ମୁଣ୍ଡ ସକ୍ରିୟ ନ ଥିବାରୁ ପରିବାର ଲୋକେ ଚିନ୍ତାରେ ଅଛନ୍ତି। ପରିବାର ଲୋକେ ଚିକିତ୍ସାରେ ଅବହେଳା ଅଭିଯୋଗ ଆଣିଛନ୍ତି। ସରକାର ଅଥବା ପ୍ରଶାସନ ଏହା ଉପରେ ହସ୍ତକ୍ଷେପ କରି ସହାୟତା କରନ୍ତୁ ବୋଲି ଜନସାଧାରଣ ପକ୍ଷରୁ ଦାବି କରାଯାଇଛି।
ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିଆରୀ ଡାକ୍ତର ବାନାର୍ଜୀ ପ୍ରସାଦ ଛୋଟରାୟଙ୍କୁ ପଚାରିବାରୁ ସେ କହିଥିଲେ, ଯୋଡ଼ାମୁଣ୍ଡ ଥାଇ ଜନ୍ମିତ ଶିଶୁକନ୍ୟାଟିକୁ ପ୍ରଥମେ କଟକ ଶିଶୁଭବନକୁ ସ୍ଥାନାନ୍ତର କରାଯାଇଥିଲା। ଏବେ କେବଳ ଚିକିତ୍ସା ଛଡ଼ା କୌଣସି ପ୍ରକାରେ ତାର ଅସ୍ତ୍ରୋପୋଚାର କରାଯାଇପାରିବ ନାହିଁ କହି ସେଠାରୁ ତାକୁ ଫେରାଇ ଦିଆଯାଇଛି। ତେବେ ଶିଶୁକନ୍ୟାଟି ବଡ଼ ହେଲେ ତାର ଅବସ୍ଥା ଦେଖି ଅସ୍ତ୍ରୋପୋଚାର କରାଯିବାକୁ କୁହାଯାଇଥିଲା। ସେଥିପାଇଁ ଏବେ ସେହି ଅନୁସାରେ ବାଲେଶ୍ୱର ଡାକ୍ତରଖାନାରେ ତାର ଚିକିତ୍ସା କରାଯାଉଛି। କୌଣସି ପ୍ରକାର ଅବହେଳା କରାଯାଉନାହିଁ।