ବୌଦ୍ଧ: ବୌଦ୍ଧ ଜିଲ୍ଲାପ୍ରଶାସନ ପକ୍ଷରୁ ଜିଲ୍ଲାରେ ଦୁଇ ପର୍ଯ୍ୟାୟ ସଟ୍ଡାଉନ୍ ଜାରି କରାଯାଇଥିବା ବେଳେ ପୂର୍ବରୁ ସମସ୍ତ ସରକାରୀ କାର୍ଯ୍ୟାଳୟଗୁଡ଼ିକୁ ମଧ୍ୟ ସଟ୍ଡାଉନ୍ କରାସରିଛି। ତେବେ ପୂର୍ବ ମାର୍ଗଦର୍ଶିକାରେ ପରିବର୍ତ୍ତନ କରି ଜିଲ୍ଲାର ସମସ୍ତ ସରକାରୀ କର୍ମଚାରୀଙ୍କୁ ‘ୱାର୍କ ଫ୍ରମ୍ ହୋମ’ ଅନୁମତି ଦିଆଯାଇଥିବା ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ନୂଆ ବିଜ୍ଞପ୍ତିରେ ଜାରି କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ସଟ୍ଡାଉନ୍ ଅବଧି ମଧ୍ୟରେ, କର୍ମଚାରୀମାନେ ପର୍ସନାଲ୍ ନେଟୱାର୍କ ସୁବିଧା ବ୍ୟବହାର କରି କାମ କରିବେ। ମୁଖ୍ୟାଳୟରେ ଉପସ୍ଥିତ ରହିବେ ଏବଂ ଆବଶ୍ୟକସ୍ଥଳେ ସ୍ୱଳ୍ପ ନୋଟିସରେ ଅଫିସରେ ଯୋଗଦେବେ ଏବଂ ସବୁବେଳେ ଟେଲିଫୋନ୍ ମାଧ୍ୟମରେ ମଧ୍ୟ ଉପଲବ୍ଧ ହେବେ। ଜରୁରୀ ବିଷୟଗୁଡିକ ସମାଧାନ କରିବାକୁ, ସଂପୃକ୍ତ ବିଭାଗୀୟ ଅଧିକାରୀ ବ୍ୟକ୍ତିଗତ ଭାବରେ କାର୍ଯ୍ୟାଳୟରେ ଯୋଗଦେବାକୁ କହିପାରିବେ ବୋଲି ଜଣାଯାଇଛି।
ଅପରପକ୍ଷେ ବୌଦ୍ଧ ଜିଲ୍ଲାରେ ସ୍ଥାନୀୟ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇ ୬୫ରେ ପହଞ୍ଚିଛି। ସେଥିରୁ ମୋଟ ୩୬ଜଣ କେବଳ ସରକାରୀ କର୍ମଚାରୀ ରହିଛନ୍ତି। ସେମାନଙ୍କ ମଧ୍ୟରୁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗରୁ ୧୧ଜଣ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଜଣେ, ଡିଆରଡିଏ କାର୍ଯ୍ୟାଳୟରୁ ୧୩ଜଣ, ଅବକାରୀ ବିଭାଗରୁ ୭ଜଣ, ସାଉଥ୍-କୋ ବିଦ୍ୟୁତ ବିଭାଗରୁ ୨ଜଣ, ଜିଲ୍ଲା ଖାଉଟି କୋର୍ଟରୁ ଜଣେ ଓ ହରଭଙ୍ଗା ବ୍ଲକ୍ କାର୍ଯ୍ୟାଳୟରୁ ଜଣେ କରୋନା ଭୂତାଣୁ ଦ୍ଵାରା ସଂକ୍ରମିତ ହୋଇଥିବା ବେଳେ ଦୁଇ ଜଣ କର୍ମଚାରୀ ସୁସ୍ଥ ହୋଇ ହୋମ୍ କ୍ୱାରାଣ୍ଟାଇନ୍ ରହିଛନ୍ତି।
ପ୍ରକାଶ ଥାଉକି, ପୂର୍ବରୁ ରାଜ୍ୟସରକାର ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟଗୁଡ଼ିକରେ ଇ-ଅଫିସ୍ ଯୋଜନା କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ବୌଦ୍ଧ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ଏହି ଯୋଜନା କାର୍ଯ୍ୟକାରୀ ହୋଇପାରିଲା ନାହିଁ। ଏବେ କୋଭିଡ୍ ମୁକାବିଲାରେ ସମ୍ବେଦନଶୀଳ ରହୁଥିବା ଜିଲ୍ଲାପ୍ରଶାସନକୁ ଏହି ବ୍ୟବସ୍ଥା ସହାୟ ହୋଇ ପାରିଥାନ୍ତା। ସରକାରୀ କାର୍ଯ୍ୟାଳୟଗୁଡ଼ିକରେ ଛୁଟି ଆବେଦନ ଠାରୁ ଅଭିଯୋଗପତ୍ର ଓ ବିଭିନ୍ନ ଆଦେଶନାମା କମ୍ପ୍ୟୁଟର ଜରିଆରେ କର୍ମଚାରୀଙ୍କ ପାଖରୁ ଜିଲ୍ଲାପାଳ ଓ ଅନ୍ୟ ବିଭାଗୀୟ ମୁଖ୍ୟମାନଙ୍କ ପାଖକୁ ପହଞ୍ଚି କମ୍ପ୍ୟୁଟରରେ ହିଁ ସ୍ୱୀକୃତି ଲାଭ କରିପାରିଥାନ୍ତା। ଅଫିସ୍ରେ ଫାଇଲ୍ ବୋଝ କମିବା ସହ ବର୍ତ୍ତମାନର କୋଭିଡ୍ କଟକଣାରେ ସାମାଜିକ ଦୂରତା ମାନିବା ସହଜ ହୋଇଥାନ୍ତା। ମୋଟାମୋଟି ଭାବେ କହିବାକୁ ଗଲେ ଇ-ଅଫିସ ବ୍ୟବସ୍ଥା ଥିଲେ ସରକାରୀ ଅଫିସଗୁଡ଼ିକରେ କରୋନା ସଂକ୍ରମଣ ସମ୍ଭାବନା ମଧ୍ୟ କମ୍ ରହିଥାନ୍ତା।