ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଖୋର୍ଦ୍ଧା ପୌର ପରିଷଦର ଟାକ୍ସ-କଲେକ୍ଟରଙ୍କ ଘର ସମେତ ୪ ସ୍ଥାନରେ ଭିଜିଲାନ୍ସ ଚଢ଼ାଉ
ଖୋର୍ଦ୍ଧା: ଖୋର୍ଦ୍ଧା ପୌର ପରିଷଦର ଟାକ୍ସ କଲେକ୍ଟର ସଦାଶିବ ସ୍ୱାଇଁ, ତୃତୀୟ ଶ୍ରେଣୀ କର୍ମଚାରୀ । କିନ୍ତୁ ଏକାଧିକ ଘର, ୧ କୋଟିରୁ ଉର୍ଦ୍ଧ୍ବ ସମ୍ପତ୍ତିର ମାଲିକ । ଭିଜିଲାନ୍ସର ୫ଟି ଟିମ୍ ଦୀର୍ଘ ୧୨ ଘଂଟା ଖୋଳତାଡ଼ କରିବା ପରେ ମଧ୍ୟ ଅସ୍ଥାବର ସମ୍ପତ୍ତିର ହିସାବ ଭିଜିଲାନ୍ସ ହାତକୁ ଆସିପାରିନାହିଁ । ଆଜି ଭୋର ସାଢ଼େ ୪ଟାରେ ଭୁବନେଶ୍ୱର ଭିଜିଲାନ୍ସ ଏସପିଙ୍କ ନିର୍ଦ୍ଦେଶ କ୍ରମେ ଖୋର୍ଦ୍ଧା ଓ ଭୁବନେଶ୍ୱର ଭିଜିଲାନ୍ସର ୫ଟି ଟିମ୍ ଖୋର୍ଦ୍ଧା ପୌରପରିଷଦର ଟାକ୍ସ କଲେକ୍ଟର ସଦାଶିବ ସ୍ୱାଇଁଙ୍କ ଗୁରୁଜଙ୍ଗ ମାଳିସାହି ଛକରେ ଥିବା ଦ୍ୱିତଳ ପ୍ରାସାଦ, ୱିଲ୍କିନ୍ସନ ନଗରର ଘର, କୁହୁଡ଼ିରେ ଥିବା ସଦାଶିବଙ୍କ ଶ୍ୱଶୁରଙ୍କ ଘର ଗୁରୁଜଙ୍ଗର ପୈତୃକ ବାସଭବନ ସମେତ ଖୋର୍ଦ୍ଧା ପୌର ପରିଷଦ କାର୍ଯ୍ୟାଳୟରେ ଏକକାଳୀନ ଚଢ଼ାଉ କରିଥିଲେ ।
Sambad is now on WhatsApp
Join and get latest news updates delivered to you via WhatsApp
ପୌର ପରିଷଦରେ ଭିଜିଲାନ୍ସ ଟିମ୍ ୪ ଘଂଟା ବିଭିନ୍ନ ନଥିପତ୍ର ଯାଂଚ କରିଥିଲେ । କିନ୍ତୁ ଗୁରୁଜଙ୍ଗରେ ଥିବା ସଦାଶିବଙ୍କ ନିଜ ବାସଭବନ ଓ ପୈତୃକ ଘରେ ଦୀର୍ଘ ୧୨ ଘଂଟା କାଳ ଭିଜିଲାନ୍ସ ଟିମ୍ ବସି ହିସାବ ନିକାସ କରିଥିଲେ । ଭିଜିଲାନ୍ସର ଟିମର ଚଢ଼ାଉ ଅପରାହ୍ଣ ୫ଟାରେ ଶେଷ ହୋଇଥିଲା ।
ଖୋର୍ଦ୍ଧା ଭିଜିଲାନ୍ସ ଡ଼ିଏସପି ସୁଶାନ୍ତ ପାଣିଗ୍ରାହୀଙ୍କ ସୂଚନାନୁସାରେ, ଅପରାହ୍ଣ ସୁଦ୍ଧା କଳନା କରାଯାଇଥିବା ସ୍ଥାବର ସମ୍ପତ୍ତିର ମୂଲ୍ୟ ୫୬ଲକ୍ଷ ୨୬ ହଜାର ୮୨୭ଟଙ୍କା ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ତାଙ୍କର ଆୟ ୩୭ଲକ୍ଷ ୯୪ହଜାର ଟଙ୍କା ଓ ଖର୍ଚ୍ଚ ୪୩ ଲକ୍ଷ, ୭୪ହଜାର ୮୦୦ ଟଙ୍କା । ତେବେ ବର୍ତ୍ତମାନ ସୁଦ୍ଧା ତାଙ୍କର ବ୍ୟାଙ୍କ ଜମା ଖାତା, ବୀମା, ବଣ୍ଡ, ସ୍ଥାୟୀ ଜମା ଆଦିର ହିସାବ କରାଯାଇନାହିଁ । ତେବେ ସଦାଶିବଙ୍କ ଗିରଫଦାରୀ ସମ୍ପର୍କରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ଏନେଇ ନିଷ୍ପତ୍ତି ନିଆଯାଇନାହିଁ ।