କେତେ ସୁରକ୍ଷିତ ଜିଲ୍ଲା ଉପ-କାରାଗାର ? ମାସକରେ ୩ ମଲେଣି; ଜେଲ ଭିତରେ ଅବାଧରେ ପଶୁଛି ଅସ୍ତ୍ରଶସ୍ତ୍ର
ମାଲକାନଗିରି: ମାଲକାନଗିରି ଜିଲ୍ଲା ଉପ-କାରାଗାର କେତେ ସୁରକ୍ଷିତ ? ଏହାକୁ ନେଇ ଜିଲ୍ଲାରେ ଏବେ ବେଶ ଚର୍ଚା ଜୋର ଧରିଛି। ଜେଲ ଭିତରେ ଥିବା କଏଦୀ କେତେ ସୁରକ୍ଷିତ ବୋଲି ପରିବାର ଲୋକେ ପ୍ରଶ୍ନ କଲେଣି। ଗତ ୭ ମାସ ହେଲା ଜିଲ୍ଲା ଉପକାରାଗାରରେ ଅବ୍ୟବସ୍ଥା ଲାଗି ରହିଛି।ବିଶେଷ ସୂତ୍ରରୁ ମିଳିଥବା ସୂଚନା ଅନୁଯାୟୀ କଏଦୀଙ୍କୁ ଖାଦ୍ୟ ଠିକ ଭାବେ ଦିଆଯାଉନଥିବା ବେଳେ ଏନେଇ ଅଭିଯୋଗ କଲେ ଦୁର୍ବ୍ୟବହାର ଏବଂ ବାହାର ଜିଲ୍ଲାକୁ ପଠାଇ ଦିଆଯାଇଥିବା ଅଭିଯୋଗ ହୋଇଛି । ଗତ ୧ ମାସ ମଧ୍ୟରେ ତିନି ତିନି ଜଣଙ୍କର ମୃତ୍ୟୁକୁ ନେଇ ଏବେ ଜିଲ୍ଲା ଉପକାରାଗାରରେ ସୁରକ୍ଷିତ ବ୍ୟବସ୍ଥା ନେଇ ପ୍ରଶ୍ନ ଉଠିଛି। କଏଦୀଙ୍କ ସଂଖ୍ୟା ଧିରେ ଧିରେ ବଢୁଥିବାରୁ ଏମାନଙ୍କୁ ରଖାଯିବାର ଏବଂ ସେମାନେ ସୁରକ୍ଷିତ ରହିବା ଦାୟୀତ୍ବ ଜେନ ଅଧିକାରୀଙ୍କର।କିନ୍ତୁ କିପରି ଜେଲ ଭିତରକୁ ଅସ୍ତ୍ରଶସ୍ତ୍ର ଯାଉଛି ତାହା ତଦନ୍ତ ସାପେକ୍ଷ।
Sambad is now on WhatsApp
Join and get latest news updates delivered to you via WhatsApp
ଚଳିତ ମାସ ୩ ତାରିଖରେ ମାଥିଲି ବ୍ଲକର ବାଗରିଗୁଡା ଗ୍ରାମର ସନୁ ବାଗରିଆ,୧୭ ତାରିଖରେ ମାଥିଲି ବ୍ଲକର ଯନ୍ଦ୍ରାଗୁଡା ଗ୍ରାମର ବାମନ କୁଞ୍ଜାମି ଏବଂ ଗତକାଲି ସ୍ବାଭିମାନ ଅଂଚଳର ଯଡାମ୍ବ ପଞ୍ଚାୟତର ଖଜୁରିଗୁଡା ଗ୍ରାମର ଦାନୁ ଗଲୋରୀଙ୍କର ମୃତ୍ୟୁକୁ ନେଇ ଜିଲ୍ଲାରେ ଏବେ ଉତ୍ତେଜନା ଦେଖାଦେଇଛି । ଜେଲରେ ମୃତ୍ୟୁବରଣ କରିଥିବା ଏହି ତିନି ପରିବାର ଏବେ ଜେଲ କର୍ତ୍ତୃପକ୍ଷଙ୍କୁ ଟାର୍ଗେଟ କରିଛନ୍ତି।ଜେଲରେ ହେଉଥିବା ଅବ୍ୟବସ୍ଥା ଏବଂ ଅବହେଳା ଯୋଗୁଁ ଏମାନଙ୍କର ଜୀବନ ଅକାଳରେ ଚାଲିଗଲା ବୋଲି ଅଭିଯୋଗ ହୋଇଛି। ଜେଲ ଭିତରକୁ ଅବାଧରେ ବେଆଇନ ଜିନିଷ କିପରି ପଶୁଛି ଏବଂ ଏହା କିଏ ପ୍ରଦାନ କରୁଛି ସେନେଇ ପ୍ରଶ୍ନ କରାଯାଇଛି । ପ୍ରତିଦିନ କଏଦୀମାନେ ରହୁଥିବା ସ୍ଥାନକୁ ତଦାରଖ କରାଯିବା ସହ ସମସ୍ତ କଏଦୀଙ୍କର ଉପସ୍ଥାନ ପଡିଥାଏ। କଏଦୀମାନେ କିପରି ସୁରକ୍ଷିତ ରହିବେ ସେନେଇ ଜେଲ ଅଧିକାରୀଙ୍କର ସମସ୍ତ ଦାୟିତ୍ବ ରହିଛି। ତେବେ ନୂତନ ଭାବେ ଦାୟୀତ୍ବ ନେଇଥିବା ସଂଜୟ ବର୍ମାଙ୍କ କାର୍ଯ୍ୟ ପ୍ରଣାଳୀ ଉପରେ ଅଙ୍ଗୁଳି ଉଠିଛି। ସେ ଦାୟିତ୍ବ ନେବା ଠାରୁ ଜେଲ ଭିତରେ ଅବ୍ୟବସ୍ଥା ଲାଗି ରହିଛି ବୋଲି ଅଭିଯୋଗ ହେଉଛି।ଭିତରର ବହୁ ଜିନିଷ ପଦାକୁ ଆସୁନଥିବା ବେଳେ କଏଦୀମାନେ କିପରି ଅବହେଳିତ ହୋଇ ରହୁଛନ୍ତି ସେମାନେ ନିଜର ସଂପର୍କୀୟ ଏବଂ ପରିବାର ଲୋକଙ୍କୁ କହୁଥିବା ଜଣାପଡିଛି।ତେବେ ଏହି ତିନି ଜଣଙ୍କର ମୃତ୍ୟୁକୁ ନେଇ ମାଲକାନଗିରି ପୁଲିସ କି ପ୍ରକାର ତଦନ୍ତ କରୁଛି ଦେଖିବାକୁ ବାକି ରହିଲା।
ପୁଣି ଜେଲ ଭିତରେ ହେଉଥିବା ଅନୈତିକ କାର୍ଯ୍ୟକୁ ଉଚ୍ଚ କର୍ତ୍ତୃପକ୍ଷ ତଦନ୍ତ କରିବା ଉଚିତ ବୋଲି କୁହାଯାଇଛି।ଉଚ୍ଚ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ଏଠାରେ ମନଇଛା କାର୍ୟ୍ୟ ଚାଲୁଥିବା କୁହାଯାଇଛି । ଆଜି ସ୍ବାଭିମାନ ଅଂଚଳରେ ଶବ ପହଞ୍ଚିବା ପରେ କିଛି ସମୟ ଉତ୍ତେଜନା ମଧ୍ୟ ହୋଇଥିବା ଜଣାପଡିଛି। ଦାନୁ ଜଣେ ନକ୍ସଲ ଥିବା ବେଳେ ଦାନୁର ମୃତ୍ୟୁକୁ ନକ୍ସଲ ମଧ୍ୟ ହଜମ କରିପାରୁନାହାନ୍ତି। ଦାନୁର ବେକ ଏତେ ପରିମାଣରେ କଟିଯାଇଛି ଯେ ନିଜେ କିପରି ସେ ଏଭଳି କାମ କରିଥିବ ସେନେଇ ପରିବାର ଲୋକେ ବିଶ୍ବାସ କରିପାରୁନାହାନ୍ତି।ଜେଲ ଭିତରେ କେହି ତାକୁ ହତ୍ୟା କରିଥିବା ନେଇ ଆଜି ପରିବାର ଲୋକେ ଅଭିଯୋଗ କରିଛନ୍ତି।ଏହାର ଉଚିତ ତଦନ୍ତ କରିବା ପାଇଁ ଦାବି କରାଯାଇଛି।ଜେଲ ଭିତରେ ହେଉଥିବା ଅବ୍ୟବସ୍ଥାକୁ ନେଇ ତଦନ୍ତ କରାଗଲେ ଆହୁରି ବହୁ ଗୁମର ଫିଟିବ ବୋଲି ଚର୍ଚା ଜୋର ଧରିଛି।