ପାଟଣାଗଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ରୋଗୀଙ୍କ ମୃତ୍ୟୁ, କର୍ମଚାରୀଙ୍କ ଅବହେଳା ଅଭିଯୋଗ

ପାଟଣାଗଡ଼ : ପାଟଣାଗଡ଼ ଉପଖଣ୍ଡ ଡାକ୍ତରଖାନାରେ ସୋମବାର କୃଷ୍ଣଚନ୍ଦ୍ର ସାହୁ ନାମକ ଜଣେ ରୋଗୀଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଡାକ୍ତରଖାନା କର୍ମଚାରୀଙ୍କ ଅବହେଳା ଯୋଗୁଁ ତାଙ୍କ ମୃତ୍ୟୁ ଘଟିଛି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି।

ଅଭିଯୋଗ ଅନୁସାରେ, ମଲିକମୁଣ୍ଡା ଗାଁର କୃଷ୍ଣଚନ୍ଦ୍ର ସାହୁ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ଚିକିତ୍ସା ପାଇଁ ପାଟଣାଗଡ଼ ଉପଖଣ୍ଡ ଡାକ୍ତରଖାନାକୁ ଅଣାଯାଇଥିଲା। ତାଙ୍କୁ ଜ୍ବର ଓ ମୁଣ୍ଡବଥା ହେଉଥିବାରୁ ସେ ଦୁର୍ବଳ ହୋଇ ପଡ଼ିଥିବା ଡାକ୍ତରଙ୍କୁ କହିଥିଲେ। ତାଙ୍କ କୋଭିଡ ପରୀକ୍ଷା କରାଇବାକୁ ମଧ୍ୟ ପରିବାର ବର୍ଗ କହିଥିଲେ। ଡାକ୍ତର ରୋଗୀ ଦୁର୍ବଳ ହୋଇପଡ଼ିଥିବା ଯୋଗୁଁ ପ୍ରଥମେ ତାଙ୍କର ଚିକିତ୍ସା ଆରମ୍ଭ କରିଥିଲେ। କୃଷ୍ଣଚନ୍ଦ୍ରଙ୍କ ନିଶ୍ବାସ ନେବାରେ ଅସୁବିଧା ହେବାରୁ ଡାକ୍ତରଖାନା କର୍ମଚାରୀ ଅକ୍ସିଜେନ ଦେଇଥିଲେ। କିଛି ସମୟ ପରେ ଅକ୍ସିଜେନ କମି କମି ଯାଇଥିଲା। ଏହା ଦେଖି ପରିବାର ବର୍ଗ ଡାକ୍ତର ଓ କର୍ମଚାରୀମାନଙ୍କୁ ଖୋଜା ଖୋଜି କରିଥିଲେ। ହେଲେ କାହାରି ଦେଖା ପାଇ ନଥିଲେ। ଫଳରେ ଠିକ୍‌ ସମୟରେ ଚିକିତ୍ସା ସୁବିଧା ନପାଇ କୃଷ୍ଣଚନ୍ଦ୍ରଙ୍କ ମୃତ୍ୟୁ ଘଟିଲା ବୋଲି ତାଙ୍କ ଜ୍ବାଇଁ ମକରନ୍ଦ ସାହୁ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ପାଟଣାଗଡ଼ ଏସଡିଏମଓ କହିଛନ୍ତି ଯେ, ଅଭିଯୋଗ ପାଇ ସେ ତୁରନ୍ତ ଯାଇ ତଦାରଖ କରିଥିଲେ। କୃଷ୍ଣଚନ୍ଦ୍ରଙ୍କ ସ୍ବାସ୍ଥ୍ୟାବସ୍ଥା ଅତ୍ୟନ୍ତ ଗୁରୁତର ରହିଥିଲା। ତାଙ୍କୁ ଥାଲାସେମିଆ ହୋଇଥିଲା। ବଲାଙ୍ଗୀର ମେଡିକାଲକୁ ନେବାକୁ ପରାମର୍ଶ ଦିଆଯାଇଥିଲା। ହେଲେ ସେମାନେ ଏଠାରେ ରଖି ଚିକିତ୍ସା କରିବା ପାଇଁ ଚାହିଥିଲେ। ଅକ୍ସିଜେନ ସରି ନଥିଲା। ମକରନ୍ଦଙ୍କ ଅଭିଯୋଗ ଭିତ୍ତିହୀନ ବୋଲି ସ‌େ କହିଥିଲେ।

ସମ୍ବନ୍ଧିତ ଖବର