ଖୋର୍ଦ୍ଧାରେ ସ୍ଥିତି ଭୟଙ୍କର; ଦିନକରେ ୮୬୮୧ ପଜିଟିଭ୍, ସଂକ୍ରମଣରେ ୨୪% ବୃଦ୍ଧି
ମାସକରେ ଚିହ୍ନଟ ହେଲେ ୧ଲକ୍ଷରୁ ଅଧିକ ଆକ୍ରାନ୍ତ
ଦିନକରେ ୧୪ଜଣ, ମାସକରେ ୧୨୨ ମୃତ୍ୟୁ
Sambad is now on WhatsApp
Join and get latest news updates delivered to you via WhatsApp
ଭୁବନେଶ୍ବର : ରାଜ୍ୟରେ କରୋନା ସ୍ଥିତି ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ସଂକ୍ରମିତଙ୍କ ସଂଖ୍ୟା ବଢ଼ିବା ସହିତ ମୃତ୍ୟୁ ମଧ୍ୟ ବଢ଼ୁଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୮୬୮୧ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି, ଯାହାକି ରାଜ୍ୟର ସର୍ବାଧିକ। ପୂର୍ବଦିନର ସଂକ୍ରମଣ ତୁଳନାରେ ୨୪ପ୍ରତିଶତ ବୃଦ୍ଧି ଦେଖିବାକୁ ମିଳିଛି। ଚଳିତ ଏପ୍ରିଲ ମାସରେ ୧ଲକ୍ଷ ୩ହଜାର ୧୭୮ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କରୋନାର ଦ୍ବିତୀୟ ଲହର ରାଜ୍ୟରେ ଭୟଙ୍କର ଗତିରେ ମାଡ଼ି ଚାଲିଥିବା ଏଥିରୁ ସ୍ପଷ୍ଟ ହୋଇଛି।
ଖୋର୍ଦ୍ଧାରେ କରୋନାର ଭୟଙ୍କର ସ୍ଥିତି ଉପୁଜିଲାଣି। ଗୋଟିଏ ଦିନରେ ଜିଲ୍ଲାରୁ ୧୪୦୮ଜଣ ଆକ୍ରାନ୍ତ ବାହାରିଛନ୍ତି। ତହିଁରୁ ୧୧୧୯ ଆକ୍ରାନ୍ତ କେବଳ ଭୁବନେଶ୍ବରରୁ ଚିହ୍ନଟ ହୋଇଛନ୍ତି। ଜିଲ୍ଲାର ପ୍ରାୟ ୮୦ ପ୍ରତିଶତ ଆକ୍ରାନ୍ତ ରାଜଧାନୀରୁ ଚିହ୍ନଟ ହେବାକୁ ନେଇ ଚିନ୍ତା ବଢ଼ି ଯାଇଛି। ଭୁବନେଶ୍ବର ଓ କଟକରେ ଗୋଷ୍ଠୀ ସଂକ୍ରମଣ ସ୍ଥିତିରେ ପହଞ୍ଚି ଯାଇଥିବା ନେଇ ଦୁଇଦିନ ତଳେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଚେତାବନୀ ଦିଆଯାଇଥିଲା। ତେଣୁ ଖୋର୍ଦ୍ଧାରେ ଗୋଟିଏ ଦିନରେ ଏତେସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହେବା ଏହି ଆଶଙ୍କା ଆଡ଼କୁ ଆଙ୍ଗୁଳି ଦେଖାଉଛି।
ଗତ ୨୪ ଘଣ୍ଟାରେ ରାଜ୍ୟରେ କୋଭିଡ୍ ନମୁନା ପରୀକ୍ଷାରେ ସାମାନ୍ୟ ବୃଦ୍ଧି ହୋଇଛି। ୪୫,୪୫୨ ନମୁନା ମଧ୍ୟରୁ ୧୮,୭୦୩ ଆରଟି-ପିସିଆର ପରୀକ୍ଷା ହୋଇଥିବା ବେଳେ ୨୬,୬୭୯ ରାପିଡ୍ ଆଣ୍ଟିଜେନ୍ କିଟ୍ରେ ପରୀକ୍ଷା ହୋଇଛି। ଏହା ସତ୍ତ୍ବେ ରାଜ୍ୟର ଟେଷ୍ଟ ପଜିଟିଭ୍ ରେଟ୍ ବା ଟିପିଆର୍ ୧୯ ପ୍ରତିଶତ ରହିଛି। ୨୫ଟି ଜିଲ୍ଲାରୁ ଶହେରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିବାରୁ ଟିପିଆର୍ରେ ଏଭଳି ବୃଦ୍ଧି ଦେଖିବାକୁ ମିଳିଛି। ରାଜ୍ୟରେ ଦିନକୁ ଦିନ କରୋନା ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ୁଛି। କରୋନାରେ ଗୋଟିଏ ଦିନରେ ୧୪ଜଣ ପ୍ରାଣ ହରାଇଥିବା ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏଥିରେ ସୁନ୍ଦରଗଡ଼, କୋରାପୁଟରେ ୩ଜଣ ଲେଖାଏଁ, ଖୋର୍ଦ୍ଧା, ରାୟଗଡ଼ାରେ ୨ ଲେଖାଏଁ, ସମ୍ବଲପୁର, ନବରଙ୍ଗପୁର, କଳାହାଣ୍ଡି ଓ ଗଞ୍ଜାମରେ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି। ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୨୦୪୩କୁ ବୃଦ୍ଧି ଘଟିଛି। ଚଳିତ ମାସରେ ୧୨୨ଜଣ କରୋନାରେ ପ୍ରାଣ ହରାଇଥିବା ନେଇ ସରକାରୀ ଭାବେ ସୂଚନା ଦିଆଯାଇଛି।
ଓଡ଼ିଶାର ୧୮ଟି ଜିଲ୍ଲା ରେଡ୍ ଜୋନ୍ରେ ରହିଛି। ଅନ୍ୟ ଜିଲ୍ଲାଗୁଡ଼ିକରେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଖୋର୍ଦ୍ଧାକୁ ବାଦ୍ ଦେଲେ ସୁନ୍ଦରଗଡ଼ରେ ୭୪୫, କଟକ ୫୭୦, ପୁରୀ ୫୧୪, ବଲାଙ୍ଗୀର ୪୫୯, ବରଗଡ଼ ୪୨୩, ଅନୁଗୁଳ ୪୧୯, ଝାରସୁଗୁଡ଼ଶ ୪୧୧, ସମ୍ବଲପୁର ୪୧୦ ଓ ଷ୍ଟେଟ୍ ପୁଲରୁ ୭୪୫ଜଣ ଆକ୍ରାନ୍ତ ବାହାରିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୪ଲକ୍ଷ ୪୪ହଜାର ୧୯୪ରେ ପହଞ୍ଚିଛି। ଏହାସହ ରାଜ୍ୟରେ ଆଜି ରାଜ୍ୟରେ ୫୦୧୪ ଆକ୍ରାନ୍ତ ସୁସ୍ଥ ହୋଇଥିବା ଖବର ସ୍ବାସ୍ଥ୍ୟ ବିଭାଗ ଦେଇଛି। ଏବେ ୫୬,୬୮୪ଜଣ ଚିକିତ୍ସାଧୀନ ରୋଗୀ ରହିଛନ୍ତି।