ପାତରଅନ୍ତର ଅଭିଯୋଗ ଆଣିଲେ ଜଉନା
‘ଆଦିବାସୀ ଝିଅ ବୋଲି ଲଗାତାର ଅଣଦେଖା କରୁଛନ୍ତି, ଅସହାୟ ଭାବେ ଅନ୍ତଃରାଜ୍ୟ ଦୌଡ଼କୁଦରୁ ଓହରିବାକୁ ବାଧ୍ୟ ହେଲି’
ଭୁବନେଶ୍ବର: ‘‘ହାତଗଣତି କିଛି ଖେଳାଳିଙ୍କ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି। ସେମାନେ କହିବା ପୂର୍ବରୁ ସବୁକିଛି ଖଞ୍ଜି ଦିଆଯାଉଛି। ପ୍ରତିଭା, ପ୍ରଦର୍ଶନ ଏବଂ ସଫଳତାର ଲମ୍ବା ଧାରା ଓ ସମ୍ଭାବନା ଥିଲେ ମଧ୍ୟ ଆମ ଭଳି କିଛି ପିଲାଙ୍କୁ ଯେତିକି ସୁବିଧା ସୁଯୋଗ ମିଳିବା କଥା ମିଳୁନି। ସବୁଠାରୁ ଦୁର୍ଭାଗ୍ୟଜନକ କଥା ହେଲା ରାଜ୍ୟରେ ଅତିବେଶିରେ ୫ରୁ ୬ ଜଣ ଅନ୍ତର୍ଜାତୀୟ ଆଥଲେଟ୍ ଥିଲେ ମଧ୍ୟ ସେଥିରେ ବି ଭେଦଭାବ ହେଉଛି। ବିଶେଷ କରି ମୋ ପ୍ରତି ନିୟମିତ ଭାବେ ଅନ୍ୟାୟ କରାଯାଉଛି। ମୁଁ ପାତରଅନ୍ତରର ଶିକାର ହେଉଛି। ମୋତେ ଲାଗୁଛି ଗରିବ ଆଦିବାସୀ ଝିଅ ହୋଇଥିବାରୁ ଏମିତି କରାଯାଉଛି’’। ରାଜ୍ୟ କ୍ରୀଡ଼ା ବିଭାଗ ବିରୋଧରେ ଶନିବାର ଏଭଳି ସଙ୍ଗିନ ଅଭିଯୋଗ ଆଣିଛନ୍ତି ଅନ୍ତର୍ଜାତୀୟ ଧାବିକା ଜଉନା ମୁର୍ମୁ।
Sambad is now on WhatsApp
Join and get latest news updates delivered to you via WhatsApp
୬୦ତମ ଜାତୀୟ ଅନ୍ତଃରାଜ୍ୟ ଦୌଡ଼କୁଦ ପ୍ରତିଯୋଗିତା ପାଇଁ ପତିଆଲା ଯାଇଥିଲେ ମଧ୍ୟ ସେଥିରେ ଅଂଶଗ୍ରହଣ କରିନପାରି ଶନିବାର ଗଭୀର ଦୁଃଖର ସହ ଓଡ଼ିଶା ଫେରିଥିବା ଜଉନା ରାଜ୍ୟ କ୍ରୀଡ଼ା ବିଭାଗର ପ୍ରିୟାପ୍ରୀତି ପୋଷଣ ନୀତିକୁ ଭର୍ତ୍ସନା କରିଛନ୍ତି। ଇଣ୍ଡିଆନ୍ ଗ୍ରାଁପ୍ରି-୪ରେ ଆଶାଜନକ ପ୍ରଦର୍ଶନ କରିନପାରିବା ଏବଂ ଅନ୍ତଃରାଜ୍ୟ ଦୌଡ଼କୁଦରେ ଅଂଶଗ୍ରହଣ ନକରି ପାରିବା ପରେ ଜଉନାଙ୍କ ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିବାର ସବୁ ଆଶା ମଉଳି ଯାଇଛି। ଏଥିଲାଗି ସେ କିନ୍ତୁ ସିଧାସଳଖ ଓଡ଼ିଶା ଦୌଡ଼କୁଦ ସଂଘ ଓ ରାଜ୍ୟ କ୍ରୀଡ଼ା ବିଭାଗକୁ ଦାୟୀ କରିଛନ୍ତି। ସୁଷମ ଡାଏଟ୍, ଫିଜିଓ, ମସାଜର ଓ ଅନ୍ୟାନ୍ୟ ଆନୁସଙ୍ଗିକ ସୁବିଧା ପାଇଁ ବାରମ୍ବାର କ୍ରୀଡ଼ା ବିଭାଗକୁ ଅନୁରୋଧ କରିବା ପରେ ମଧ୍ୟ ଏହା ନମିଳିବାରୁ ଆହତ ହୋଇ ଅନ୍ତଃରାଜ୍ୟ ଦୌଡ଼କୁଦ ନ ଖେଳି ଓଡ଼ିଶା ଫେରିବାକୁ ସେ ବାଧ୍ୟ ହେଲେ ବୋଲି କୋହ ଭରା କଣ୍ଠରେ କହିଛନ୍ତି।
‘‘ଇଣ୍ଡିଆନ୍ ଗ୍ରାଁ ପ୍ରି-୪ରେ ଅଂଶଗ୍ରହଣ କରିବା ଲାଗି ମୁଁ ଗତ ୧୯ ତାରିଖରେ ପତିଆଲା ଯାଇଥିଲି। କୋଭିଡ୍ ନେଗେଟିଭ୍ ରିପୋର୍ଟ ଜମା କରିବା ପରେ ଏଥିରେ ଅଂଶଗ୍ରହଣ କରିବାର ସୁଯୋଗ ପାଇଲି। ହେଲେ ଠିକ୍ ଭାବେ ପ୍ରସ୍ତୁତି କରିନଥିବାରୁ ଏବଂ ଜଣେ ବି ଫିଜିଓ ସାଙ୍ଗରେ ନଥିବାରୁ ଆଶାଜନକ ପ୍ରଦର୍ଶନ କରି ପାରିଲି ନାହିଁ। ଦୁଃଖର କଥା ହେଲା ମୁଁ ଜାତୀୟ କ୍ୟାମ୍ପରେ ନଥିବାରୁ ଜାତୀୟ କ୍ରୀଡ଼ା ସଂସ୍ଥାନ ବାହାରେ ଏକ ହୋଟେଲ ରୁମ୍ ନେଇ ରହିବାକୁ ବାଧ୍ୟ ହେଲି। ଷ୍ଟାଡିୟମ୍ ଭିତରକୁ ଯିବାର ସୁଯୋଗ ନଥିବାରୁ ନିକଟରେ ଥିବା ଏକ ଘାସ ପଡ଼ିଆରେ ଅଭ୍ୟାସ କରିବାକୁ ବାଧ୍ୟ ହେଲି। କୋଭିଡ୍ ପରୀକ୍ଷା ରିପୋର୍ଟ ମାତ୍ର ୩ ଦିନ ପର୍ଯ୍ୟନ୍ତ ବୈଧ ରହୁଥିବାରୁ ମୋତେ ପୁଣି ଥରେ ପରୀକ୍ଷା କରିବାକୁ ପଡ଼ିଲା। ହେଲେ ଏହାର ରିପୋର୍ଟ ନିର୍ଦ୍ଧାରିତ ସମୟରେ ମିଳିଲାନି। ତା’ ସହ ବିନା ପ୍ରଶିକ୍ଷକ ଏବଂ ଫିଜିଓରେ ଅଭ୍ୟାସ କରୁଥିବାରୁ ମାଂସପେଶୀ ଟାଣି ହୋଇଯାଇଥିଲା। ଫଳରେ ପ୍ରତିଯୋଗିତାରେ ଅଂଶଗ୍ରହଣ ନକରି ଭୁବନେଶ୍ବର ଫେରିବାକୁ ବାଧ୍ୟ ହେଲି। ଅଲିମ୍ପିକ୍ସ ସ୍ବପ୍ନ ତ ଭାଙ୍ଗିଗଲା ଏବେ ଏସୀୟ କ୍ରୀଡ଼ା, ରାଜ୍ୟଗୋଷ୍ଠୀ କ୍ରୀଡ଼ା ଓ ଏସିଆନ୍ ଚାମ୍ପିଅନସିପ୍ ପାଇଁ ପ୍ରସ୍ତୁତି କରିବାକୁ ଲକ୍ଷ୍ୟ ରଖିଛି। ଏଥିଲାଗି ମୋତେ ଜଣେ ଫିଜିଓ ଓ ମସାଜର ଯୋଗାଇ ଦେବାକୁ ପୁଣି ଥରେ ରାଜ୍ୟ ସରକାରଙ୍କୁ ଅନୁରୋଧ କରୁଛି। କିଛି ନିର୍ଦିଷ୍ଟ ଖେଳାଳି ନୁହେଁ, ସମସ୍ତଙ୍କୁ ସମାନ ଭାବେ ଦେଖିବାକୁ ଆହ୍ବାନ କରୁଛି’’ ବୋଲି ‘ସାମ୍ବାଦ’କୁ ଦେଇଥିବା ସାକ୍ଷାତକାରରେ କହିଛନ୍ତି ଜଉନା
ସମସ୍ତଙ୍କୁ ସମାନ ଭାବେ ଦେଖାଯାଉନି
ମୟୂରଭଞ୍ଜର ନିହାତି ମଫସଲ ଗାଁର ଏକ ଗରିବ ଆଦିବାସୀ ହରିଜନ ପରିବାରରୁ ଆସିଥିବା ଜଉନା ନିଜ କ୍ୟାରିୟର ଫୁଟ୍ବଲ୍ରୁ ଆରମ୍ଭ କରିଥିଲେ ମଧ୍ୟ ଦୌଡ଼କୁଦରେ ନିଜ ପ୍ରଚଣ୍ଡ ପ୍ରତିଭାର ଅସଲ ପରିଚୟ ଦେଇ ପାରିଥିଲେ। ଜାତୀୟ ସ୍ତରରେ ୪୦୦ ମିଟର ଏବଂ ୪୦୦ ମିଟର ବାଧାଦୌଡ଼ରେ ଅନେକ ପଦକ ଜିତିବା ପରେ ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ଆଶାତୀତ ସଫଳତା ପାଇଛନ୍ତି। ତୀବ୍ର ପ୍ରତିଦ୍ବନ୍ଦ୍ବିତାପୂର୍ଣ୍ଣ ୨୦୧୦ ଗୁଆଁଝୁ ଏସୀୟ କ୍ରୀଡ଼ାର ୪୦୦ ମିଟର ବାଧାଦୌଡ଼ରେ ଚତୁର୍ଥ ସ୍ଥାନ ଅଧିକାର କରି ଅଳ୍ପକେ ପଦକରୁ ବଞ୍ଚିତ ହୋଇଥିଲେ। ୨୦୧୦ ଏସିଆନ୍ ଅଲଷ୍ଟାର ମିଟ୍ରେ ଗୋଟିଏ ଲେଖାଏଁ ସ୍ବର୍ଣ୍ଣ ଓ କାଂସ୍ୟ ପଦକ ପାଇଥିଲେ। ୨୦୧୬ ଗୁଆହାଟୀ ସାଫ୍ କ୍ରୀଡ଼ାର ଉଭୟ ୪୦୦ ମିଟର ଓ ୪୦୦ ମିଟର ବାଧାଦୌଡ଼ରେ ଦୁଇଟି ସ୍ବର୍ଣ୍ଣ ପଦକ ଜିତିଥିଲେ। ଏତେ ସବୁ ସଫଳତା ସତ୍ତ୍ବେ ତାଙ୍କୁ ରାଜ୍ୟ ସଂଘ କିମ୍ବା ସରକାରଙ୍କଠାରୁ ଯେତିକି ସମର୍ଥନ ମିଳିବା କଥା ସେତିକି ମିଳିନି। ନିଜ ପରିଶ୍ରମ ଓ ଏକାଗ୍ରତାରେ ହିଁ ସେ ନିଜ ଖେଳ ଜୀବନକୁ ଜୀବନ୍ତ ରଖି ପାରିଛନ୍ତି। ଏହି ବେଦନାକୁ ବର୍ଣ୍ଣନା କରି ସେ କହିଛନ୍ତି ଯେ ଜଣେ ଖେଳାଳି ନିଜ ପରିଶ୍ରମରେ ଯଦି ଚତୁର୍ଥ ସ୍ଥାନରେ ରହିଲା ତାହାଲେ ତାକୁ ଟିକିଏ ସମର୍ଥନ ମିଳିଲେ ସେ ନିଶ୍ଚିତ ସ୍ବର୍ଣ୍ଣ ପଦକ ଜିତିଥା’ନ୍ତା। କିନ୍ତୁ ମୋତେ ଏସବୁ ମିଳିଲାନି। ମୁଁ ଦିଲ୍ଲୀରେ ରହି ୫ ବର୍ଷ ଧରି ଅଭ୍ୟାସ କରୁଥିଲି।
ହେଲେ ଯାହା ପାଖରେ ରହି ଅଭ୍ୟାସ କରୁଥିଲି ତଙ୍କର ବାହାଘର ହୋଇଗଲା। ଘରଭଡ଼ା ଓ ଖାଇବାପିଇବା ଖର୍ଚ୍ଚ ରୋଜଗାରଠୁ ବଳିଯିବାରୁ ଗତବର୍ଷ ମାର୍ଚ୍ଚରେ ଭୁବନେଶ୍ବର ଆସି କଳିଙ୍ଗ ଷ୍ଟାଡିୟମରେ ଅଭ୍ୟାସ କରୁଥିଲି। ହେଲେ ଜଣେ ଅନ୍ତର୍ଜାତୀୟ ଖେଳାଳି ଭାବେ ଯେତିକି ସମର୍ଥନ ମିଳିବା କଥା ସେତିକି ଏଠାରେ ମିଳିଲାନି। ହାଇପର୍ଫମାନ୍ସ ମୁଖ୍ୟଙ୍କଠାରୁ ଆରମ୍ଭ କରି ସେଠାରେ ସରକାରଙ୍କ ଦ୍ବାରା ନିଯୁକ୍ତ ଫିଜିଓଙ୍କୁ ବି ବହୁଥର ଏହି ବିଷୟ କହିଛି। ମହିଳା ଫିଜିଓ ଡାକିଲେ ଆସନ୍ତି, ନହେଲେ ନାହିଁ। କେତେବେଳେ ଆସନ୍ତି ତ କେତେ ବେଳେ ନାହିଁ। ଫଳରେ ଅଭ୍ୟାସ ପରେ ଶରୀର ଚାହୁଁଥିବା ରକ୍ଷଣାବେକ୍ଷଣ ହୋଇପାରୁନଥିଲା। ମସାଜ ଦେବାକୁ ବି କେହି ନଥିଲେ। ଫଳରେ ଆଘାତ ସମସ୍ୟା ଭିତରେ ଭିତରେ ବଢ଼ି ଚାଲିଥିଲା। ଶିବ ମିଶ୍ର ପ୍ରଶିକ୍ଷଣ ଦେଉଥିଲେ। ହେଲେ ଅନ୍ୟ କଥା କିଛି ବୁଝା ଯାଉନଥିଲା। ଭାରି ଅସହାୟ ଲାଗୁଥିଲା। ଏମିତି ବ୍ୟବହାର ଖାଲି ମୋତେ ନୁହେଁ, ମୁଁ କହିବି ପୂର୍ଣ୍ଣିମା ହେମ୍ବ୍ରମଙ୍କ ସହ ବି ହୋଇଛି। ଏମିତି ପାତର ଅନ୍ତର ନକରି ସବୁ ଖେଳକୁ ସମାନ ଦେଖିଲେ ହିଁ ଓଡ଼ିଶାରୁ ଅଧିକ ଖେଳାଳି ସୃଷ୍ଟି ହେବେ। ଖାଲି ଏତିକି କହିବି।
ଜଉନାଙ୍କ ସହ ତାଙ୍କ ପ୍ରଶିକ୍ଷକ ଶିବ ମିଶ୍ର ମଧ୍ୟ ଏକମତ ହୋଇଛନ୍ତି। ଜଣେ ଅନ୍ତର୍ଜାତୀୟ ଖେଳାଳି ପାଇଁ ଉତ୍ସଗୀକୃତ ଫିଜିଓ ଓ ମାଲିସବାଲା ଦରକାର। ନିୟମିତ ଡାଏଟ୍ ପ୍ଲାନ୍ ହେବା ଜରୁରୀ। ଏସବୁ ନହେଲେ ଅନ୍ତର୍ଜାତୀୟ ସ୍ତରରେ ପଦକ ଜିତିବା ସହଜ ନୁହେଁ। ଜଉନାକୁ ଏସବୁ ମିଳୁନି। କିଟ୍ ତାଙ୍କୁ ସହଯୋଗ କରୁଛି। ହେଲେ ଆମର ଜଣେ ଫିଜିଓଙ୍କ ଗୋଡ଼ ଭାଙ୍ଗି ଯାଇଥିଲା ବେଳେ ଆଉ ଜଣେ କରୋନା ପାଇଁ ଆସୁନାହାନ୍ତି। ତେଣୁ ସେ ଆଘାତପ୍ରାପ୍ତ ହେବାର ଆଶଙ୍କା ଅଧିକ ରହିଛି। ଅନ୍ୟ ଖେଳାଳିଙ୍କ ଭଳି ତାଙ୍କୁ ସହାୟତା ମିଳିଲେ ସେ ନିଶ୍ଚିତ ଭାବେ ରାଜ୍ୟ ପାଇଁ ଆହୁରି ସଫଳତା ଆଣି ପାରିବ।
ଭିତ୍ତିଭୂୂମି ସହ ଖେଳାଳିଙ୍କର ବି ଯତ୍ନ ନିଆଯାଉ
ଓଡ଼ିଶାରେ ଥିବା ଏବେକାର କ୍ରୀଡ଼ା ଭିତ୍ତିଭୂମିକୁ ପ୍ରଶଂସା କରିଥିଲେ ମଧ୍ୟ ହରିଆଣା ଭଳି ଖେଳାଳିଙ୍କର ଅଧିକ ଯତ୍ନ ନେବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି ଜଉନା। ‘‘ମୁଁ ଖୁସି ଯେ ମୋତେ ରାଜ୍ୟ ସରକାର ଦୁଇ ଥର ଚାକିରି ଯାଚିଛନ୍ତି। ପ୍ରଥମ ଥର ପୁଲିସ ବିଭାଗରେ ଯୋଗଦେବାକୁ କହିଥିଲେ। ସେତେବେଳେ କିନ୍ତୁ ତୁର୍କିରେ ଥିଲି। ଫେରିକି ଯୋଗଦେବି ବୋଲି କହିଥିଲି। ହେଲେ ଫେରିଲା ପରେ ଡୋପିଂ ବିବାଦ କଥା କହି ମୋତେ ଆଉ ଏଥିପାଇଁ ଡକାଗଲା ନାହିଁ। ଅଥଚ ରବି କୁମାରଙ୍କୁ ମିଳିଲା। ପରେ ଅବଶ୍ୟ ସେ ସେହି ବିବାଦରେ ଛନ୍ଦି ହେଲେ। କିନ୍ତୁ ଚାକିରି ଖାଲି ମୋତେ ମିଳିଲାନି। ବିଜୁଳି ବିଭାଗ ଚାକିରିରେ ସମ୍ଭବତଃ ସମାନ କାରଣ ପାଇଁ ମୋତେ ନିଆଗଲା ନାହିଁ। ଏବେ ମୁଁ ରାଜ୍ୟକୁ ଫେରିବାକୁ ଚାହୁଁଛି। ହେଲେ ମୋ କଥା କେହି ଶୁଣୁ ନାହାନ୍ତି। କାହାକୁ କହିବି ଆଉ କ’ଣ କହିବି କିଛି ବୁଝିପାରୁନି’’ ବୋଲି ଆବେଗକରା କଷ୍ଠରେ କହିଛନ୍ତି ସେ। ମୁଖ୍ୟମନ୍ତ୍ରୀ ଓ କ୍ରୀଡ଼ା ସଚିବଙ୍କୁ ମାମଲାରେ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଛନ୍ତି ଜଉନା।