ପ୍ରଦୀପ ମାଝୀଙ୍କ ହାତରେ ବିଜେଡିର ମଙ୍ଗ, ଦିନରାତି ଏକ କରି ଲାଗିପଡିଛନ୍ତି ପ୍ରଚାର କାର୍ଯ୍ୟରେ
ମାଲକାନଗିରି: ବିଭିନ୍ନ ଦଳ ପକ୍ଷରୁ ମାଲକାନଗିରି ଜିଲ୍ଲାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପ୍ରଚାର ଜୋର ଧରିଛି। ବିଶେଷକରି ତିନି ପ୍ରମୁଖ ଦଳ ତରଫରୁ ନିଜ ନିଜ ପ୍ରାର୍ଥୀଙ୍କୁ ନେଇ ଗାଁ ଗାଁ ବୁଲିବା ସହ ଘରଘର ବୁଲି ଭୋଟ ଭିକ୍ଷା ମାଗୁଥିବା ଦେଖିବାକୁ ମିଳିଛି। ଏବେ ବିଜେଡିର ମଙ୍ଗ ପୂର୍ବତନ ସାଂସଦ ପ୍ରଦୀପ ମାଝୀଙ୍କ ହାତରେ। ଦଳକୁ କିପରି ବିଜୟ କରାଇବେ ସେନେଇ ସେ ପ୍ରତିଦିନ ରଣନୀତି ପ୍ରସ୍ତୁତ କରୁଥିବା ସହ ଗାଁ ଗାଁ ବୁଲୁଥିବା ଦେଖିବାକୁ ମିଳିଛି। ସରକାରଙ୍କର ଜନହିତକର କାର୍ଯ୍ୟ ଗୁଡିକକୁ ସେ ଲୋକଙ୍କ ପାଖରେ ପହଞ୍ଚାଇବା ସହ ଆଗାମୀ ଦିନରେ ବିଜେଡି କିପରି ବିକାଶମୂଳକ କାର୍ଯ୍ୟ ଜାରି ରଖିବ ସେନେଇ ପ୍ରତିଶ୍ରୁତି ଦେଉଥିବା ଦେଖିବାକୁ ମିଳିଛି। ପଦ୍ମଗିରି, ଉଡୁପା, ଚାଲାଣଗୁଡା, ତଣ୍ଡକି, ତମସା ଭଳି ବଞ୍ଚାୟତର ପ୍ରତ୍ୟେକ ଗାଁ ବୁଲି ଲୋକଙ୍କୁ ଭୋଟ ଭିକ୍ଷା ମାଗୁଥିବା ଦେଖିବାକୁ ମିଳିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଏଥର ଜିଲ୍ଲା ପରିଷଦ ଆସନ ଯେପରି ବିଜେଡି ହାସଲ କରିବ ତାହାର ସମସ୍ତ ଦାୟିତ୍ବ ଏବେ ପ୍ରଦୀପ ମାଝୀଙ୍କ ଉପରେ ନ୍ୟସ୍ତ। ଜିଲ୍ଲା ବିଜେଡି ତାଙ୍କୁ ୧୫ଟି ଜୋନରେ ଷ୍ଟାର ପ୍ରଚାରକ ଭାବେ ଦାୟିତ୍ବ ପ୍ରଦାନ କରିଛି।ଆଜି ମଧ୍ୟ ସେ କୋରକୋଣ୍ଡା ଜୋନ-୧ର ବିଭିନ୍ନ ପଞ୍ଚାୟତ ବୁଲି ଲୋକଙ୍କ ପାଖରେ ପହଞ୍ଚି ସରକାରଙ୍କର ବିକାଶର ଗାଥା ବଖାଣୁଥିବା ଦେଖିବାକୁ ମିଳିଥିଲା। ରାତିରେ ମଧ୍ୟ ସାଧାରଣ ସଭା ଆୟୋଜନ କରି ଲୋକଙ୍କ ସମସ୍ୟା କଥା ବୁଝୁଥିବା ଲକ୍ଷ୍ୟ କରାଯାଇଥିଲା। ଯାହାକି ଦଳ ପାଇଁ ଶୁଭଙ୍କର ବୋଲି କୁହାଯାଇଛି।
ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ନେଇ ସାରା ଜିଲ୍ଲାରେ ପୁଲିସ ଏବଂ ବିଏସଏଫ ତରଫରୁ ସୁରକ୍ଷାକୁ କଡାକଡି କରାଯାଉଥିବାରୁ ନେତାମାନେ ଏବେ ବେଧଡକ ଭାବେ ବୁଲୁଥିବା ଦେଖିବାକୁ ମିଳିଛି। ପ୍ରଦୀପ ମାଝୀଙ୍କ ଭାଷଣ ଶୁଣିବାକୁ ଲୋକଙ୍କ ଭିଡ ଜମୁଥିବା ଦେଖିବାକୁ ମିଳିଥିଲା। ସ୍ଥାନୀୟ ନେତାମାନେ ମଧ୍ୟ ପ୍ରଦୀପ ମାଝୀଙ୍କ ଗସ୍ତକୁ ଗୁରୁତ୍ବର ସହ ନେଇ ଲୋକଙ୍କ ଭିଡ ଜମାଉଥିବା ମଧ୍ୟ ଲକ୍ଷ୍ୟ କରାଯାଇଛି। ଯଦି ବିଜେଡି ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଜୟୀ ହୁଏ ତେବେ ଶ୍ରୀ ମାଝୀଙ୍କ ଅବଦାନକୁ ମଧ୍ୟ ମନେ ପକାଯିବ ବୋଲି ସ୍ଥାନୀୟ ବିଜେଡି ନେତାମାନେ ପ୍ରକାଶ କରିଥିଲେ। ଅନ୍ୟଦିଗରେ ଷ୍ଟାର ପ୍ରଚାରକ ଭାବେ ଜିଲ୍ଲା ଅବଜରଭର ଚନ୍ଦ୍ରସାରଥୀ ବେହେରା ମଧ୍ୟ ଜିଲ୍ଲାର ବିଭିନ୍ନ ଦୁର୍ଗମ ଅଞ୍ଚଳ ବୁଲି ଲୋକଙ୍କୁ ସରକାରଙ୍କର ଉନ୍ନୟନ ମୂଳକ କାର୍ଯ୍ୟ ସବୁ ବଖାଣୁ ଥିବା ଦେଖିବାକୁ ମିଳିଛି। ଏହି ଦୁଇ ଷ୍ଟାର ପ୍ରଚାରକ ଏବେ ଜିଲ୍ଲାରେ ବିଜେଡିର ମଙ୍ଗ ଧରିଥିବା ବେଳେ ଏଥର ବିଜେଡି ନିଶ୍ଚିତ ଭାବେ ଜିଲ୍ଲା ପରିଷଦକୁ ହାତେଇବ ବୋଲି ଯୁକ୍ତି ବାଢିଛି। ବିଜେପିର ବିଜୟ ଧାରାକୁ ଅଟକାଇବାକୁ ହେଲେ ପ୍ରଦୀପ ମାଝୀଙ୍କ ପ୍ରଚାର ଆହୁରି ଦ୍ବିଗୁଣ ହେବାକୁ ପଡିବ ବୋଲି ସାଧାରଣରେ ଆଲୋଚନ ଜୋର ଧରିଛି।ହାଟ, ମେଳା ଇତ୍ୟାଦି ସ୍ଥାନରେ ବିଜେଡିର ଏହି ଷ୍ଟାର ପ୍ରଚାରକ ମାନେ ପହଞ୍ଚି ଲୋକଙ୍କ ନିକଟତର ହେବା ସହ ବିଜେଡିକୁ ଏଥର ମୌକା ଦେବା ପାଇଁ ଅନୁରୋଧ କରୁଥିବା ଦେଖିବାକୁ ମିଳିଥିଲା। ତେବେ ଜିଲ୍ଲା ପରିଷଦକୁ ହିଏ ହାତଉଛି ଦେଖିବାକୁ ବାକି ରହିଲା।