ଗଣମାଧ୍ୟମରେ ଘୁରି ବୁଲୁଥିବା ଅଡ଼ିଓକୁ ନେଇ ଚର୍ଚ୍ଚା: ଏ ଅଡିଓ କାହାର? ଶାସକ ଦଳ ପ୍ରତି ଲାଗିପଡ଼ିଛନ୍ତି ସରକାରୀ ଅଧିକାରୀ!
କିଶୋରନଗର : ‘ଆପଣମାନେ ଯୁଦ୍ଧ ଲଢ଼ିବାର ଅଛି। ଅସ୍ତ୍ର ଆମେ ଯୋଗାଉଛୁ। ଆହୁରି ଯୋଗାଇବୁ। ଯାହାର ଜିତି ପାରୁଥିବା ପରି ଇମେଜ୍ ଅଛି, ସେମିତି ପ୍ରାର୍ଥୀ ଦିଅନ୍ତୁ। ତାଙ୍କ ଉପରେ ଯେମିତି ଲୋକଙ୍କ ଭରସା ଥିବ। ଗଲା ଥର ୩ଟି ଯାକ ଜିଲ୍ଲା ପରିଷଦ ଆସନ ବିଜେପି ଜିତିଛି। ଏହାକୁ ନେଇ ଜିଲ୍ଲାପାଳ ଚିନ୍ତିତ ଅଛନ୍ତି। ଆମେ ବି ଜିଲ୍ଲାପାଳଙ୍କୁ କହିଛୁ, ଏଥର ଆମେ ଟେକ୍ଅପ୍ କରିଛୁ। ସେମାନଙ୍କୁ କଣ ସପୋର୍ଟ ଦେଇ ହେବ ତାହା କରୁଛୁ।
Sambad is now on WhatsApp
Join and get latest news updates delivered to you via WhatsApp
କୌଣସି ରାଜନୈତିକ ଦଳର ନେତାଙ୍କ ଭାଷା ପରି ଲାଗୁଥିବା ଏହି କଥା କିନ୍ତୁ ଜଣେ ସରକାରୀ ଅଧିକାରୀଙ୍କର। ସେ ଏହା କହୁଛନ୍ତି ତାଙ୍କ ଅଧୀନରେ ଥିବା କର୍ମଚାରୀଙ୍କୁ। ପ୍ରଶାସନିକ ଅଧିକାରୀଙ୍କ ଏମିତି ୩ଟି ଅଡ଼ିଓ ଆଜି ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଥିଲାବେଳେ ଏହାକୁ ନେଇ ନାନା ଚର୍ଚ୍ଚା ଆରମ୍ଭ ହୋଇଛି। ଭାଇରାଲ୍ ହୋଇଥିବା ଅଡିଓରୁ ମିଳିଥିବା ସୂଚନା ସହିତ ଅନୁଗୁଳ ଜିଲ୍ଲାର କିଶୋରନଗର ବ୍ଲକ୍ର ସାମଞ୍ଜସ୍ୟ ରହିଥିବାରୁ ଏହା ସେହି ଅଞ୍ଚଳର ବୋଲି କୁହାଯାଉଛି। କିଶୋରନଗର ବ୍ଲକରେ ୨୩ ଟି ପଞ୍ଚାୟତ ଓ ୩ଟି ଜିଲ୍ଲା ପରିଷଦ ଜୋନ୍ ଥିବାରୁ ଏହା କିଶୋରନଗରର ବୋଲି ଚର୍ଚ୍ଚା ହେଉଛି। ଗତ ନିର୍ବାଚନରେ ଏଠାରୁ ୩ଟି ଯାକ ଆସନ ବିଜେପି ବିଜୟୀ ହୋଇଥିବାରୁ ଏହା ଚର୍ଚ୍ଚାକୁ ସୁଦୃଢ଼ କରୁଛି।
ଶାସକ ଦଳ ପ୍ରତି ଅନୁକମ୍ପା ଦେଖାଇ ଅଧିକାରୀ ଜଣଙ୍କ କର୍ମଚାରୀଙ୍କୁ ବିଭିନ୍ନ ନିର୍ଦ୍ଦେଶ ଦେଉଥିବାରୁ ଏହାକୁ ନେଇ ଆଠମଲ୍ଲିକ ଉପଖଣ୍ଡ ବିଜେପି ପକ୍ଷରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଆସନ୍ତା ୨୨ରେ ଏଠାରେ ହେବାକୁ ଥିବା ନିର୍ବାଚନ କିଭଳି ସ୍ୱଚ୍ଛତାରେ ହେବ ତାହାକୁ ନେଇ ଦଳୀୟ ନେତାମାନେ ସନ୍ଦେହ ପ୍ରକାଶ କରିଛନ୍ତି। ଅଡିଓ ସମ୍ପର୍କରେ ଆଠମଲ୍ଲିକ ଉପଜିଲ୍ଲାପାଳ ଲଲିତ ମୋହନ ବେହେରାଙ୍କୁ ପଚାରିବାରୁ ସେ ଏ ସମ୍ପର୍କରେ କୌଣସି ମନ୍ତବ୍ୟ ଦେଇନାହାନ୍ତି।