ଉତ୍କଳ ବିଶ୍ୱବିଦ୍ୟାଳୟରେ ରାଜ୍ୟସ୍ତରୀୟ ଅନ୍ତଃବିଶ୍ୱବିଦ୍ୟାଳୟ ପ୍ରତିଯୋଗିତା: ଭାଗନେବେ ୧୫ ବିଶ୍ୱବିଦ୍ୟାଳୟ
ଭୁବନେଶ୍ୱର : ଶିକ୍ଷା ଗ୍ରହଣ ସହ ଛାତ୍ରଛାତ୍ରୀଙ୍କ ଅନ୍ତନିର୍ହିତ ପ୍ରତିଭା ଓ ଦକ୍ଷତାର ବିକାଶ ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରାଯାଇଛି। ଏହି ପରିପ୍ରେକ୍ଷୀରେ ଉତ୍କଳ ବିଶ୍ୱବିଦ୍ୟାଳୟରେ ମାର୍ଚ୍ଚ ୧୫ରୁ୧୭ ପର୍ଯ୍ୟନ୍ତ ଅନ୍ତଃବିଶ୍ୱବିଦ୍ୟାଳୟ ଅତିରିକ୍ତ ପ୍ରତିଭା ପ୍ରତିଯୋଗିତା ତଥା ସାହିତ୍ୟ ଓ ସାଂସ୍କୃତିକ ଉତ୍ସବ ଅନୁଷ୍ଠିତ ହେବ। ଏଥିରେ ରାଜ୍ୟ ସରକାରଙ୍କ ଅଧୀନ ୧୫ଟି ସରକାରୀ ବିଶ୍ୱବିଦ୍ୟାଳୟ ଅଂଶ୍ରଗହଣ କରିବେ। ୧୫ଟି ବିଭାଗ ଯଥା ଓଡ଼ିଆ, ଇଂରାଜୀ ଏବଂ ହିନ୍ଦୀରେ ପ୍ରବନ୍ଧ ଓ ବକ୍ତୃତା ପ୍ରତିଯୋଗିତା, କୁଇଜ, ଚିତ୍ରାଙ୍କନ/ପେଣ୍ଟିଂ, ଏକକ ଅଭିନୟ, ଶାସ୍ତ୍ରୀୟ କଣ୍ଠସଙ୍ଗୀତ, ଲଘୁ କଣ୍ଠସଙ୍ଗୀତ ଆଦିରେ ପ୍ରତିଯୋଗିତା ଅନୁଷ୍ଠିତ ହେବ। ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀଙ୍କୁ ଯଥାକ୍ରମେ ୩୦ହଜାର, ୨୫ହଜାର ଓ ୨୦ହଜାର ଟଙ୍କା ପ୍ରଦାନ କରାଯିବ। ମାର୍ଚ୍ଚ ୧୭ରେ ଅନୁଷ୍ଠିତ ହେବାକୁ ଥିବା ଉଦ୍ଯାପନୀ ଉତ୍ସବ ଓ ପୁରସ୍କାର ବିତରଣ ସମାରୋହରେ ରାଜ୍ୟପାଳ ତଥା କୁଳଧିପତି ପ୍ରଫେସର ଗଣେଶୀ ଲାଲ୍ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।
Sambad is now on WhatsApp
Join and get latest news updates delivered to you via WhatsApp
ମାର୍ଚ୍ଚ ୧୫ରୁ୧୭ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଅନ୍ତଃବିଶ୍ୱବିଦ୍ୟାଳୟ ଅତିରିକ୍ତ ପ୍ରତିଭା ପ୍ରତିଯୋଗିତା ତଥା ସାହିତ୍ୟ ଓ ସାଂସ୍କୃତିକ ଉତ୍ସବ ପାଇଁ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଆଜି ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ କୁଳସଚିବ ଅଭୟ କୁମାର ନାୟକ ପ୍ରତିଯୋଗିତା ପରିଚାଳନା ପାଇଁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମ ପରିଚାଳନା ପାଇଁ ୭ଟି କମିଟି ଗଠନ କରାଯାଇଛି।
କାର୍ଯ୍ୟକ୍ରମ ସଂଯୋଜିକା ମିତାଲି ଚିନ୍ନାରା କହିଛନ୍ତି ଯେ ଉତ୍ସବରେ ଉତ୍କଳ, ରେଭେନ୍ସା, ବ୍ରହ୍ମପୁର, ଫକୀର ମୋହନ, ଗଙ୍ଗାଧର ମେହେର, କଳାହାଣ୍ଡି, ସମ୍ବଲପୁର, ଖଲ୍ଲିକୋଟ, ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ, ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ଓ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ସମେତ ଓଏସଓୟୁ, ଓୟୁଟିଆର, ନାଇଜର ଓ ଆଇଜରର ଛାତ୍ରଛାତ୍ରୀ ମଧ୍ୟ ଭାଗ ନେବେ। ଅନ୍ତଃବିଶ୍ୱବିଦ୍ୟାଳୟ ଅତିରିକ୍ତ ପ୍ରତିଭା ପ୍ରତିଯୋଗିତା ତଥା ସାହିତ୍ୟ ଓ ସାଂସ୍କୃତିକ ଉତ୍ସବ ପାଇଁ ଉତ୍କଳ ବିଶ୍ୱବିଦ୍ୟାଳୟରେ ଅନ୍ତିମ ପର୍ଯ୍ୟାୟ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥିରେ ରାଜ୍ୟର ସବୁ ସରକାରୀ ବିଶ୍ୱବିଦ୍ୟାଳୟର ପ୍ରାୟ ୩୦୦ରୁ ଅଧିକ ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।