ପାଠପଢ଼ା ପ୍ରତି ଅନାଗ୍ରହ ଯୋଗୁଁ ସେ ସବୁବେଳେ କ୍ଲାସ୍ର ପଛ ବେଞ୍ଚ୍ରେ ବସୁଥିଲେ। ଶିକ୍ଷକ ପାଠ ପଢ଼ାଉଥିବା ବେଳେ ସେ କିନ୍ତୁ ବ୍ୟସ୍ତ ଥିଲେ କାଗଜ କଲମ ଧରି କିଛି ଗୋଟେ ଆଙ୍କିବାରେ। ସେଇ ଧଳା ଫର୍ଦ୍ଦରେ ଏଣୁ ତେଣୁ ଗାରେଇବା ଭିତରେ ବାହାରକୁ ବାହାରି ଆସିଥିଲା ଚିତ୍ରଟିଏ। ସେ ପୁଣିି ସେ କାଳର ପିଲାମାନଙ୍କ ସୁପର୍ ହିରୋ ‘ଶକ୍ତିମାନ୍’ର। ସେ ଦିନ ହିଁ ସେ ଆବିଷ୍କାର କରିଥିଲେ ନିଜ ଭିତରେ ଏକ ଚିତ୍ରଶିଳ୍ପୀକୁ। କେବେ ପେନ୍ସିଲ୍ରେ ତ’ କେବେ ରଙ୍ଗତୂଳୀରେ ଆଙ୍କିବାକୁ ଆରମ୍ଭ କରିଥିଲେ ନିଜ ମାନସ ପଟରେ ଉଙ୍କି ମାରୁଥିବା ସେହି ସମସ୍ତ ଝାପ୍ସା ଚିତ୍ରକୁ ନୂଆ ଏକ ରୂପରେ। ଓଡ଼ିଶାର ଜଗତ୍ସିଂହପୁରରେ ଜନ୍ମଗ୍ରହଣ କରିଥିବା ଲାସ୍ୟବାନ୍ କଶ୍ୟପ ଆଜି ଦେଶ ବିଦେଶରେ ରାଜ୍ୟକୁ ଗୌରାବନ୍ଵିତ କରିଛନ୍ତି। ଖାଲି କାନ୍ଭାସ୍ରେ ଜୀବନ୍ତ ଚିତ୍ର ଆଙ୍କି ନୁହେଁ, କ୍ଷୁଦ୍ର ପ୍ରାମାଣିକ ଚଳଚ୍ଚିତ୍ର ‘ମାଫିନାମା’ ନିର୍ମାଣ କରି ସେ ବିଦେଶରେ ସୁନାମ ଅର୍ଜନ କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଲାସ୍ୟବାନ୍ଙ୍କ ଇଞ୍ଜିନିୟରିଂ ପଢ଼ା ସରିଛି। କିନ୍ତୁ ତା’ରି ଭିତରେ ଜାରି ରହିଛି ଚିତ୍ର ଆଙ୍କିବା। ତାଙ୍କ ହାତରେ ରଙ୍ଗତୂଳୀ ଧରେଇ ଦେଇ ସାମ୍ନାରେ ଯେକୌଣସି ଜିନିଷ ରଖି ଦେଲେ ଖୁବ୍ ସୁନ୍ଦର ଭାବରେ ଅବିକଳ କରି ଆଙ୍କି ଦିଅନ୍ତି ଏହି ଯୁବ ଚିତ୍ରଶିଳ୍ପୀ। କାନ୍ଭାସ୍ରେ ତାଙ୍କ ତୂଳୀ ଚାଲିଲେ ଯେମିତି ସବୁକିଛି ଜୀବନ୍ତ ଲାଗେ। ତେବେ କେବଳ ପୋଟ୍ରେଟ୍ ଆର୍ଟ ନୁହେଁ ମଡର୍ଣ୍ଣ ଆର୍ଟ, ସ୍କେଚିଙ୍ଗ୍, ଆବଷ୍ଟ୍ରାକ୍ଟ୍, ଫେସ୍ ପେଣ୍ଟିଂ ଭଳି ଚିତ୍ରକଳା ମାଧ୍ୟମରେ ସେ ନିଜର ଦକ୍ଷତାର ପ୍ରମାଣ ଦେଇଛନ୍ତି। ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ କାନ୍ଭାସ୍ରେ ତୋଳି ଧରି ସେମାନଙ୍କୁ ଉପହାର ସ୍ୱରୂପ ପ୍ରଦାନ କରିବା ଲାସ୍ୟବାନ୍ଙ୍କର ଏକ ବଡ଼ ସଉକ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ଗୁଲଜାର୍, ଇନ୍ଦର କୁମାର, ରଣଦୀପ୍ ହୁଦା, ସୁଶାନ୍ତ ସିଂହ, ରାଗିଣୀ ଖାନ୍ନା, ଆର ପି ଶର୍ମା, ପ୍ରସନ୍ନ ପାଟ୍ଟଶାଣୀ, ଜାଗୀ ପଣ୍ଡାଙ୍କ ଭଳି ସେଲିବ୍ରିଟିଙ୍କୁ ସେମାନଙ୍କ ପୋଟ୍ରେଟ୍ ତିଆରି କରି ଦେଇଛନ୍ତି ସେ।
ଲାସ୍ୟବାନ୍ କୁହନ୍ତି, ମୁଁ ଅମିତାଭ୍ ବଚ୍ଚନଙ୍କ ଫେସ୍ବୁକ୍ ପେଜ୍ରେ ତାଙ୍କର ଏକ ପୋଟ୍ରେଟ୍ ଆଙ୍କି ପକେଇଥିଲି। ସାଧାରଣତଃ ସେ କାହାର ବାର୍ତ୍ତା ଦେଖନ୍ତିନି। କିନ୍ତୁ ମୋର ଏହି ଚିତ୍ର ଉପରେ ତାଙ୍କ ନଜର ପଡ଼ିଥିଲା। ସେ କିଛି ଉତ୍ତର ଦେଇ ନଥିଲେ ସତ, କିନ୍ତୁ ମୋ ଚିତ୍ର ଦେଖିଥିବା ଜାଣି ମୁଁ ଆତ୍ମବିଭୋର ହୋଇ ପଡ଼ିଥିଲି।
କେବଳ ଚିତ୍ର ନୁହେଁ ଚଳଚ୍ଚିତ୍ର ପାଇଁ ବି ତାଙ୍କର ରହିଛି ଦୁର୍ବଳତା। ମୁମ୍ବାଇ ଯାଇ ଦୀର୍ଘ ସଂଘର୍ଷ ଭିତରେ ସେ ନିର୍ମାଣ କରିଥିଲେ କ୍ଷୁଦ୍ର ପ୍ରାମାଣିକ ଚଳଚ୍ଚିତ୍ର ‘ମାଫିନାମା’। କନ୍ୟା ଶିଶୁମାନଙ୍କ ପ୍ରତି ହେଉଥିବା ଅନ୍ୟାୟ ଉପରେ ଦୃଶ୍ୟାୟିତ ହୋଇଥିବା ଏହି ଫିଲ୍ମଟି ‘ଦରଭଙ୍ଗା ଆନ୍ତର୍ଜାତିକ ଫିଲ୍ମ ଫେଷ୍ଟିଭାଲ୍’ରେ ଶ୍ରେଷ୍ଠ କ୍ଷୁଦ୍ର ପ୍ରାମାଣିକ ଚଳଚ୍ଚିତ୍ର ଭାବେ ପୁରସ୍କୃତ ହୋଇଥିଲା ବେଳେ ‘ଡେରାଡୁନ୍ ଚଳଚ୍ଚିତ୍ର ଉତ୍ସବ’ରେ ଦ୍ୱିତୀୟ ସ୍ଥାନରେ ରହିଥିଲା। ଏହି ଫିଲ୍ମଟି ବିଦେଶରେ ପ୍ରଦର୍ଶିତ ହେବା ସହ ବିଭିନ୍ନ ଫିଲ୍ମ ଫେଷ୍ଟିଭାଲ୍ରେ ସ୍ଥାନ ପାଇ ବେଶ୍ ପ୍ରଶଂସା ସାଉଁଟିଛି। ଆଗକୁ ଲାସ୍ୟବାନଙ୍କର ‘ମୀନାକ୍ଷି’ ଓ ‘ରିଦିମ୍ ଅଫ୍ ଲାଇଫ୍’ ନାମକ ଦୁଇଟି କ୍ଷୁଦ୍ର ଚଳଚ୍ଚିତ୍ର ଆସୁଛି। ତା’ ସହ ବଲିଉଡ୍ର ବିଶିଷ୍ଟ ନିର୍ଦ୍ଦେଶକ ଓ କଳାକାରମାନଙ୍କ ସହ କାମ କରିବାର ମଧ୍ୟ ଯୋଜନା ଥିବା ସେ କହିଛନ୍ତି।