ପିଲୋସିଙ୍କ ତାଇୱାନ୍ ଗସ୍ତ ବନ୍ଦ କରିବାକୁ ବାଇଡେନ୍ଙ୍କୁ କହିଥିଲେ ଜିନ୍ପିଙ୍ଗ୍; ବାଇଡେନ୍ କହିଲେ, ମୁଁ ବାଧ୍ୟ କରିପାରିବି ନାହିଁ
ୱାସିଂଟନ୍: ପ୍ରତିନିଧି ସଭା ବାଚସ୍ପତି ନେନ୍ସି ପିଲୋସିଙ୍କୁ ତାଇୱାନ୍ ଗସ୍ତରୁ ନିବୃତ୍ତ କରାନ୍ତୁ ବୋଲି ଗତ ମାସରେ ଟେଲିଫୋନ୍ରେ କଥାବାର୍ତ୍ତା ବେଳେ ଚୀନ୍ର ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କୁ କହିଥିଲେ ବୋଲି ହ୍ବାଇଟ୍ ହାଉସ୍ ଅଧିକାରୀଙ୍କ ସୂତ୍ରରୁ ଉଦ୍ଧାର କରି ‘ଦି ୱାସିଂଟନ୍ ପୋଷ୍ଟ୍’ ରିପୋର୍ଟ କରିଛି।
Sambad is now on WhatsApp
Join and get latest news updates delivered to you via WhatsApp
କିନ୍ତୁ, ସି’ଙ୍କ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରାଯିବା ସହ ସତର୍କ କରାଇ ଦିଆଯାଇଥିଲା କି, ଯଦି ଗସ୍ତ କାର୍ଯ୍ୟକ୍ରମ ହୁଏ ବେଜିଙ୍ଗ୍ ଯେମିତି କ୍ରୋଧ ଉଦ୍ରେକକାରୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରେ।
ରାଷ୍ଟ୍ରପତି ବାଇଡେନ୍ ସି’ଙ୍କୁ କହିଥିଲେ ଯେ, ଯୁକ୍ତରାଷ୍ଟ୍ର ଆମେରିକା କଂଗ୍ରେସ ସରକାରଙ୍କର ଏକ ସ୍ବାଧୀନ ଶାଖା ହୋଇଥିବାରୁ ସେ ତାଙ୍କ ଗସ୍ତ ବାତିଲ କରିବାକୁ ମୁଁ ବାଧିତ ନୁହେଁ। ବିଦେଶ ଗସ୍ତ ସଂକ୍ରାନ୍ତରେ ପିଲୋସି ନିଜେ ନିଜର ନିଷ୍ପତ୍ତି ଗ୍ରହଣ କରନ୍ତି।
ଏଥିସହ ବାଇଡେନ୍ ଚୀନ୍ ରାଷ୍ଟ୍ରପତିଙ୍କୁ ସତର୍କ କରାଇ କହିଥିଲେ ଯେ, ତାଙ୍କ ଗସ୍ତ ନେଇ କୌଣସି ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ପରିଣାମ ଖରାପ ହେବ।
ପିଲୋସିଙ୍କ ଗସ୍ତ ସଂକ୍ରାନ୍ତରେ ଜାତୀୟ ନିରାପତ୍ତା ପରିଷଦ୍ର ମୁଖପାତ୍ରୀ ଆଡ୍ରିଏନନି ୱାଟ୍ସନ୍ କହିଛନ୍ତି, ଦଶନ୍ଧି ଦଶନ୍ଧି ଧରି କଂଗ୍ରେସର ସଦସ୍ୟମାନେ ତାଇୱାନ୍ ଯାଉଛନ୍ତି ଏବଂ ଯିବେ ମଧ୍ୟ। ସେଠାକୁ ଯିବା ପାଇଁ ବାଚସ୍ପତି ପିଲୋସିଙ୍କର ଅଧିକାର ଅଛି ତାଙ୍କର ଗସ୍ତ ମଧ୍ୟ ଆମର ‘ୱାନ୍ ଚାଇନା ନୀତି’ ଉପରେ ଆଧାରିତ।
ସୂଚନାଯୋଗ୍ୟ, ଚଳିତ ଅଗଷ୍ଟ ପ୍ରାରମ୍ଭରେ ପିଲୋସି ତାଇୱାନ୍ ଗସ୍ତରେ ଯାଇଥିଲେ। ଫଳରେ ଚୀନ୍ ଉତ୍କ୍ଷିପ୍ତ ହୋଇ ଦ୍ବୀପ ଦେଶ ତାଇୱାନ୍ ଚତୁଃପାର୍ଶ୍ବରେ ଜୋର୍ଦାର ସମରାଭ୍ୟାସ ଚଳାଇଛି।