ଭୀମ ଭୋଇ କଲେଜରେ ମହିଳା କର୍ମଚାରୀଙ୍କୁ ଅସଦାଚରଣ ଅଭିଯୋଗ
ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ସ୍ଥିତ ଭୀମ ଭୋଇ କଲେଜରେ ଜନୈକ ମହିଳା କର୍ମଚାରୀଙ୍କୁ ଅସଦାଚରଣ କରିବା ସହିତ ମାଡ ମାରିବା ଘଟଣାରେ କଲେଜର ଚତୁର୍ଥ ଶ୍ରେଣୀ ପୂର୍ଣ୍ଣଚନ୍ଦ୍ର ବିଶିଙ୍କୁ ଜେଲ୍ ଯିବାକୁ ପଡ଼ିଛି। ପ୍ରାପ୍ତ ସୂଚନାନୁସାରେ ଗତ ୮ ତାରିଖ ଦିନ କଲେଜର ଜନୈକ ମହିଳା କର୍ମଚାରୀଙ୍କୁ ଏକୁଟିଆ ପାଇ ପୂର୍ଣ୍ଣଚନ୍ଦ୍ର ଅସଦାଚାରଣ କରିଥିଲେ। ଯାହାକୁ ନେଇ ମହିଳା ଜଣକ ସେ ଦିନ କଲେଜର ଅଧ୍ୟକ୍ଷ ଦିଲୀପ ଦାଶଙ୍କୁ ଅଭିଯୋଗ କରିଥିଲେ। ଅଧ୍ୟକ୍ଷ ଉଭୟଙ୍କୁ ଡକାଇ ଘଟଣାର ଆପୋସ ସମାଧାନ କରିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ପୂର୍ଣ୍ଣଚନ୍ଦ୍ର ଦୁଃଖ ପ୍ରକାଶ କରିବା ସହିତ ଘଟଣାର ପୁନରାବୃତ୍ତି ହେବ ନାହିଁ ବୋଲି କହିଥିଲେ। ମାତ୍ର ପରେ ମହିଳା କର୍ମଚାରୀ ଜଣକ କଲେଜରୁ ବାହାରିବା ପରେ ପୂର୍ଣ୍ଣଚନ୍ଦ୍ର ତାଙ୍କୁ ଗେଟ୍ ସମ୍ମୁଖରେ ପ୍ରବଳ ମାଡ଼ ମାରିବା ସହ ପୁଣି ଅସଦାଚରଣ କରିଥିଲେ। କୌଣସି ମତେ ମହିଳା ଜଣକ ସେଠାରୁ ଖସି ଆସି ରେଢ଼ାଖୋଲ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏତଲା ଆଧାରରେ ପୁଲିସ୍ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିବା ସହ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ୍ ହାଜତକୁ ପଠାଇ ଦିଆଯାଇଥିବା ଜଣାପଡ଼ିଛି।