ସୋର: ଗୋଟିଏ ପରେ ଗୋଟିଏ ଏପରିକି ୩ଟି ଗାଡ଼ି ମଧ୍ୟରେ ଧକ୍କା ହୋଇଛି। ଡ୍ରାଇଭରମାନେ ନିୟନ୍ତ୍ରଣ ହରାଇବାରୁ ପଛକୁ ପଛ ଧକ୍କା ହୋଇଛି ୨ଟି କାର ଓ ଗୋଟିଏ ତେଲ ଟ୍ୟାଙ୍କର। ଏହି ମର୍ମନ୍ତୁଦ ଦୁର୍ଘଟଣାରେ ଘଟଣାସ୍ଥଳରେ ହିଁ ଜଣେ ଡ୍ରାଇଭରଙ୍କ ସମେତ ୩ ଜଣଙ୍କର ମୃତ୍ୟୁ ହୋଇଥିଲା ବେଳେ ଅନ୍ୟ ୪ ଜଣଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଦୁଇ ମୃତକଙ୍କ ପରିଚୟ ମିଳିଛି। ଏଦୁହେଁ ହେଲେ ପାର୍ବତୀ ଓ ଶଙ୍କର ରାଓ। ବାଲେଶ୍ବର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ତାରିଣୀ ଛକ ନିକଟରେ ଆଜି ଭୋର ସମୟରେ ଏଭଳି ଅଭାବନୀୟ ଘଟଣା ଘଟିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଗୁରୁତରମାନଙ୍କୁ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ଆହତମାନଙ୍କର ସୋର ଡାକ୍ତରଖାନାରେ ଚିକିତ୍ସା ଚାଲିଛି। ଦୁଇଟି କାରରେ ୧୨ ଜଣ ଲୋକ ପଶ୍ଚିମବଙ୍ଗର ହୁଗୁଳି ଜିଲ୍ଲାର ବେଣ୍ଡିଲ ଗାଁରୁ ପୁରୀ ଅଭିମୁଖେ ଆସୁଥିବାର ସୂଚନା ମିଳିଛି। ଜଗା ଦର୍ଶନ ଲାଗି ସେମାନେ ଆସୁଥିବା ବେଳେ ବାଟରେ ଏଭଳି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।
ଦୁର୍ଘଟଣା ନେଇ ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ମିଳିବା ପରେ ସୋର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି। ୩ଟି ମୃତଦେହକୁ ଘଟଣାସ୍ଥଳରୁ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଛି। ସେହିପରି ଗୁରୁତରମାନଙ୍କର ଚିକିତ୍ସା ପାଇଁ ଡାକ୍ତରଖାନା ପଠାଇଛି। ଦୁର୍ଘଟଣାଗ୍ରସ୍ତ ଗାଡ଼ିଗୁଡ଼ିକ ଜବତ କରି ତଦନ୍ତ କରୁଛି। ଦୁର୍ଘଟଣା ଯୋଗୁ କିଛି ସମୟ ପାଇଁ ଜାତୀୟ ରାଜପଥରେ ଯାତାୟତ ବାଧାପ୍ରାପ୍ତ ହୋଇଥିଲା। ଏବେ କିନ୍ତୁ ଯାନବାହାନ ଚଳାଚଳ ସ୍ବାଭାବିକ ଥିବା ଜଣାଯାଇଛି।