ମୁମ୍ବାଇ: ନୌସେନା ଯୁଦ୍ଧ ଜାହାଜରେ ନିଜ ବନ୍ଧୁକରୁ ଗୁଳି ଚଳାଇ ଜଣେ ଯବାନ ଆତ୍ମହତ୍ୟା କରିଛନ୍ତି | ମିଳିଥିବା ସୂଚନା ମୁତାବକ ଭାରତୀୟ ନୌସେନାର ୨୫ ବର୍ଷୀୟ କର୍ମଚାରୀ ମୁମ୍ବାଇ ବନ୍ଦରରେ ନିଜର ସର୍ଭିସ ରାଇଫଲରୁ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି | ନୌସେନା ଅଧିକାରୀ କହିଛନ୍ତି ଯେ ଶନିବାର ଅପରାହ୍ନରେ ନୌସେନା ଯୁଦ୍ଧ ଜାହାଜରେ ଏହି ଘଟଣା ଘଟିଛି ଏବଂ ନୌସେନା ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛି। ଅଧିକାରୀ କହିଛନ୍ତି ଯେ କର୍ମଚାରୀ ଜଣକ ଜାହାଜର ଏକ କୋଠରୀକୁ ଯାଇ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ଅଧିକାରୀ କହିଛନ୍ତି ଯେ ଆତ୍ମହତ୍ୟା ପଛର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ। କିଛି ଘରୋଇ ସମସ୍ୟା ହେତୁ ନୌସେନା କର୍ମଚାରୀ ଏଭଳି ଚରମ ପଦକ୍ଷେପ ନେଇଥାଇ ପାରନ୍ତି ବୋଲି ପୁଲିସ ସନ୍ଦେହ କରୁଛି।
Sambad is now on WhatsApp
Join and get latest news updates delivered to you via WhatsApp
ନୌସେନାର ମୁଖପାତ୍ର କହିଛନ୍ତି ଯେ ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟପଟେ ଛତିଶଗଡ଼ ରାୟଗଡ ଜିଲ୍ଲାର ଆଇଏନଏସ ଅଭିମନ୍ୟୁ ବେସ କ୍ୟାମ୍ପରେ ରୋଷେୟା ଭାବେ କାମ କରୁଥିବା ଜଣେ ୨୨ ବର୍ଷୀୟ ନୌସେନା କର୍ମଚାରୀ ଗୁରୁବାରଠାରୁ ନିଖୋଜ ହୋଇଯାଇଛନ୍ତି। ଏହି କର୍ମଚାରୀଙ୍କର ନାମ ବିଶାଲ ମହେଶକୁମାର ହୋଇଥିବାବେଳେ ସେ ନଭେମ୍ବର ୩ ତାରିଖ ସକାଳେ ନିଜ ଘରୁ ଗାଧୋଇବାକୁ ଯାଇଥିଲେ। ଯେତେବେଳେ ବିଶାଲ ଘରକୁ ଫେରିନଥିଲେ, ସେତେବେଳେ ତାଙ୍କ ପିତାମାତା ପୁଲିସ ଷ୍ଟେସନରେ ପହଞ୍ଚି ନିଖୋଜ ହେବା ନେଇ ଏଫଆଇଆର ଦାଖଲ କରିଥିଲେ |
ଏହାକୁ ନେଇ ପୁଲିସ ଅଧିକାରୀ ଜଣକ କହିଛନ୍ତି ଯେ ଏଫଆଇଆର ଆଧାରରେ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଛି। ସେ କହିଛନ୍ତି ଯେ ଅନୁସନ୍ଧାନ ବେଳେ ଜଣାପଡିଛି ଯେ ନଭେମ୍ବର ୩ରୁ ନିଖୋଜ ହୋଇଯାଇଛନ୍ତି | ସେ କହିଛନ୍ତି ଯେ ଏହି ଅଞ୍ଚଳର ସିସିଟିଭି ଫୁଟେଜ୍ ଏବଂ ବିଶାଲଙ୍କ ମୋବାଇଲ୍ ଟାୱାରର ଅବସ୍ଥାନ ଅନୁଯାୟୀ ତାଙ୍କୁ ଶେଷ ଥର ପାଇଁ ତାଙ୍କ ଘରଠାରୁ ୨୫ କିଲୋମିଟର ଦୂରରେ ଥିବା ପନଭେଲ ରେଳ ଷ୍ଟେସନରେ ଦେଖିବାକୁ ମିଳିଥିଲା।