ଭୁବନେଶ୍ବର: ଥାର୍ରେ ଆସିଲେ। ଦୋକାନ ତାଲାକାଟି ଗୋଟିଏ ପରେ ଗୋଟିଏ ମୋବାଇଲ୍ ଚୋରି କରି ଗାଡ଼ିରେ ରଖିଚାଲିଥିଲେ। ଯୁବକ ଜଣଙ୍କ ଚୋରି କରୁଥିବା ଜାଣିବା ପରେ ଲୋକମାନେ ଘେରିଯାଇ ତାକୁ ନିସ୍ତୁକ ମାଡ଼ମାରିବା ସହ ଗାଡ଼ିକୁ ଭାଙ୍ଗି ଚୂରମାର କରିଥିଲେ। ଏଭଳି ଘଟଣା ଘଟିଛି ଭିଏସ୍ଏସ୍ନଗର ଅଞ୍ଚଳରେ। ଯାହାକୁ ନେଇ ସେଠାରେ ଉତ୍ତେଜନା ଦେଖାଦେଇଥିଲା। ଖବରପାଇ ସହିଦନଗର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଲୁଟେରା ଆଦର୍ଶ ଗୌତମ ପାଣିଗ୍ରାହୀକୁ କାବୁ କରିବା ସହ ଗାଡ଼ି ଓ ଚୋରି ମୋବାଇଲ୍ ଜବତ କରି ଥାନାକୁ ଆଣିଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ମୁତାବକ, ବୁଧବାର ସକାଳ ୮ଟା ସମୟରେ ଆଦର୍ଶ ଏକ ଥାର୍ ଗାଡ଼ି ଧରି ଭିଏସ୍ଏସ୍ନଗରସ୍ଥିତ ସତ୍ୟ କମ୍ୟୁନିକେସନ୍ ମୋବାଇଲ୍ ସୋ’ରୁମ୍ ନିକଟରେ ପହଞ୍ଚି ଦୋକାନ ତାଲାକାଟି ଏକାଧିକ ମୋବାଇଲ୍ ଆଣି ଗାଡ଼ିରେ ରଖିଥିଲା। ଦୋକାନ ମାଲିକ ରଞ୍ଜିତ ସାହୁ ପହଞ୍ଚି ଆଦର୍ଶ ତାଙ୍କ ଦୋକାନରୁ ଚୋରି କରୁଥିବା ଦେଖି ଲୋକଙ୍କୁ ଡାକିଥିଲେ। ପାଟିଶୁଣି ଆଦର୍ଶ ଫେରାର୍ ଉଦ୍ୟମ କରିଥିବା ବେଳେ ଲୋକମାନେ କାବୁ କରି ଏକ ପୋଲ୍ରେ ବାନ୍ଧି ନିସ୍ତୁକ ପିଟିଥିଲେ। ଏମିତିକି ତାଙ୍କ କାରକୁ ଭଙ୍ଗାରୁଜା କରିଥିଲେ। ଏନେଇ ରଞ୍ଜିତ ଥାନାରେ ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁକରି ଗିରଫ କରିଥିଲା।
ଅନ୍ୟପଟେ ଆଦର୍ଶ ଜଣେ ମାନସିକ ରୋଗୀ ବୋଲି କୁହାଯାଉଛି। ମାନସିକ ସ୍ଥିତି ଠିକ୍ ନଥିବାରୁ ସେ ଚିକିତ୍ସା ମଧ୍ୟ ହେଉଛନ୍ତି। ଆଜି ସକାଳେ ସେ ମୈତ୍ରିବିହାରରେ ଥିବା ସାଙ୍ଗଙ୍କ ଘରକୁ ଯାଇଥିଲା। ସେଠାରେ ତାଙ୍କ ବାଇକ୍ ରଖି ୪ ଦିନ ତଳେ କିଣାଯାଇଥିବା ନୂଆ ଗାଡ଼ି ଧରି ଚାଲିଆସିଥିଲା।