ଏକ ଲକ୍ଷ କୋଟିର ୨ ହଜାର ଟଙ୍କିଆ ନୋଟ୍ ଉଭାନ!

ମହମ୍ମଦ ହିଫ୍‌ଜୁର ରହେମାନ୍

ଭୁବନେଶ୍ବର: ୨୦୧୬ରେ ବିମୁଦ୍ରୀକରଣ ପରେ ବଜାରକୁ ଆସିଥିବା ୨ ହଜାର ଟଙ୍କିଆ ନୋଟ୍‌କୁ ନେଇ ଲୋକମାନଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି ହୋଇଥିଲା। ଏହାକୁ ନେଇ ଟିଭି ଚାନେଲଗୁଡ଼ିକରେ ତୁହାକୁ ତୁହା ବିତର୍କ ଚାଲିଲା। ସପକ୍ଷବାଦୀ ଯୁକ୍ତି ରଖିଥିଲେ, କଳାଧନକୁ ମୂଳପୋଛ କରିବାରେ ୨ ହଜାର ଟଙ୍କିଆ ନୋଟ୍ ସହାୟକ ହେବ। ଏମିତି ବି କୁହାଗଲା ଯେ ଏହି ନୋଟରେ ଚିପ୍ ଲଗାଯାଇଛି; କେହି ଏହାକୁ ଲୁଚାଇ ରଖିପାରିବେ ନାହିଁ। ଯେଉଁଠି ଥିଲେ ବି ଏହାକୁ ଠାବ କରିହେବ। କିନ୍ତୁ ୬ ବର୍ଷ ପରେ ରିଜର୍ଭ ବ୍ୟାଙ୍କ ବହୁଚର୍ଚ୍ଚିତ ଏହି ୨ ହଜାର ଟଙ୍କିଆ ନୋଟ୍‌କୁ ପ୍ରତ୍ୟାହାର କରିବାକୁ ଘୋଷଣା କରିଛି।

ରିଜର୍ଭ ବ୍ୟାଙ୍କର ଏହି ନିଷ୍ପତ୍ତିକୁ ନେଇ ସାମାଜିକ ଗଣମାଧ୍ୟମ ଏବଂ ବିଭିନ୍ନ ଟିଭି ଚାନେଲରେ ଯେଉଁଭଳି ବିତର୍କ ଚାଲିଛି, ତାହା ଆହୁରି ଆଶ୍ଚର୍ଯ୍ୟଜନକ। ସପକ୍ଷବାଦୀ ପୁଣି ଯୁକ୍ତି କଲେଣି ଯେ କଳାଧନ ଉପରେ ସରକାରଙ୍କର ଏହା ଆଉ ଏକ ସର୍ଜିକାଲ ଷ୍ଟ୍ରାଇକ୍। ପ୍ରଶ୍ନ ଉଠୁଛି, କଳାଧନ ଉପରେ ପ୍ରହାର ପାଇଁ ଯେଉଁ ଟଙ୍କା ବଜାରକୁ ଛଡ଼ାଯାଇଥିଲା, ତାହା ୬ ବର୍ଷରେ କେମିତି କଳାଧନର ସୂତ୍ର ପାଲଟିଗଲା? ଅନ୍ୟପକ୍ଷରେ ରିଜର୍ଭ ବ୍ୟାଙ୍କ ସଫେଇ ଦେଇଛି ଯେ ୨ ହଜାର ଟଙ୍କିଆ ନୋଟ୍ ପୁରୁଣା ଏବଂ ମଇଳା ହୋଇଯାଇଥିବାରୁ ଏହାକୁ ପ୍ରତ୍ୟାହାର କରାଯାଇଛି। ଏହାକୁ ଅଚଳ କରାଯାଇ ନାହିଁ। ଗଣମାଧ୍ୟମରେ ଯୁକ୍ତି ଏବଂ ରିଜର୍ଭ ବ୍ୟ‌ାଙ୍କ୍‌ର ସ୍ପଷ୍ଟୀକରଣ ପରସ୍ପର ବିରୋଧୀ ହୋଇଥିଲେ ମଧ୍ୟ କାହାରି କଥା ସଂପୂର୍ଣ୍ଣ ଅମୂଳକ ‌ବୋଲି କୁହାଯାଇପାରିବ ନାହିଁ।

୨୦୧୬ ନଭେମ୍ବରରେ ସରକାର ୫୦୦ ଏବଂ ୧୦୦୦ ଟଙ୍କିଆ ନୋଟ୍‌କୁ ଅଚଳ କରିଦେଲେ। ବଜାରରେ ମୁଦ୍ରା/ଟଙ୍କାର ଯେଉଁ ଅଭାବ ଦେଖାଦେଇଥିଲା, ତାହାର ଭରଣା ଲାଗି ୨ ହଜାର ଟଙ୍କିଆ ନୋଟ୍ ପ୍ରଚଳନ କରାଯାଇଥିଲା। ସେତେବେଳେ ମୋଟ୍ ମୁଦ୍ରା/ନୋଟ୍ ମଧ୍ୟରୁ ୮୬ ଭାଗ ୫୦୦ ଏବଂ ହଜାର ଟଙ୍କିଆ ନୋଟ୍ ଥିଲା। ସମୟକ୍ରମେ ଏହି ଅଭାବ ପୂରଣ ହେବାପରେ ୨୦୧୮ରୁ ସରକାର ୨ ହଜାର ଟଙ୍କିଆ ନୋଟ୍ ଛାପିବା ବନ୍ଦ କରିଦେଇଛନ୍ତି। ବ୍ୟାଙ୍କ କାଉଣ୍ଟର ଏବଂ ଏଟିଏମ୍‌ରେ ମଧ୍ୟ ତାହା ମିଳୁନାହିଁ। ଆହୁରି ସ୍ପଷ୍ଟ ଭାବେ କହିଲେ, ସେବେଠାରୁ ଏହି ନୋଟ୍ ପ୍ରତ୍ୟାହୃତ ହେବ ବୋଲି ଆଭାସ ମିଳିସାରିଥିଲା।
ଏବେ ଯେଉଁ କଥାଟି ବେଶି ଦ୍ବନ୍ଦ୍ବ ସୃଷ୍ଟି କରୁଛି, ତାହା ହେଲା ରିଜର୍ଭ ବ୍ୟାଙ୍କର ସ୍ପଷ୍ଟୀକରଣ ଏବଂ ନୋଟ୍ ଜମା/ବଦଳ ଲାଗି ସର୍ତ୍ତ। ରିଜର୍ଭ ବ୍ୟାଙ୍କ କହୁଛି ଯେ ୨ହଜାର ଟଙ୍କିଆ ନୋଟ୍ ଆୟୁଷ ବା ଲାଇଫ୍ ସ୍ପାନ୍ ୪/୫ ବର୍ଷ ହୋଇଥିବାରୁ ଏହା ଅଧିକ ଦିନ ଚଳିପାରିବ ନାହିଁ। ୬ ବର୍ଷ ପରେ ଏହା ପୁରୁଣା, ଫଟା ଓ ମଇଳା ହୋଇଯାଇଛି, ଏଣୁ ପ୍ରତ୍ୟାହାର କରାଯାଉଛି। ‌ତେବେ ଏହି ଟଙ୍କା ଜମା/ବଦଳ କରିବା ଲାଗି ଯେଉଁ ସର୍ତ୍ତ ରଖାଯାଇଛି, ତାହା ଭିନ୍ନ ଦିଗ ଆଡ଼କୁ ଇଙ୍ଗିତ କରୁଛି। ସର୍ତ୍ତ ରଖାଯାଇଛି ଯେ ଜଣେ ବ୍ୟକ୍ତି ଏକ ସମୟରେ କେବଳ ୧୦ଟି ୨ ହଜାର ଟଙ୍କିଆ ନୋଟ୍ ବ୍ୟାଙ୍କରେ ବଦଳ କରିପାରିବ। ଏଭଳି କାହିଁକି ସର୍ତ୍ତ ରଖାଯାଇଛି? ଏହା ପଛ‌ରେ କାରଣ କ’ଣ ‌ହୋଇପାରେ?

ଆଉ ଗୋଟିଏ ସୂତ୍ରରୁ ଖବର ଆସୁଛି ଯେ ବଜାରରୁ ୧ ଲକ୍ଷ କୋଟି ଟଙ୍କା ମୂଲ୍ୟର ୨ ହଜାର ଟଙ୍କିଆ ନୋଟ୍ ହଠାତ୍ ଉଭାନ ହୋଇଯାଇଛି। ଏହାକୁ କଳାବଜାରୀ ଲୁଚାଇ ରଖିଛନ୍ତି ବୋଲି ସନ୍ଦେହ କରାଯାଉଛି। ସେମାନଙ୍କୁ ଖୋଜି ବାହାର କରିବା ଲାଗି ରିଜର୍ଭ ବ୍ୟାଙ୍କ ଏଭଳି ସର୍ତ୍ତ ଆରୋପ କରିଥାଇପା‌ରେ। ସୂଚନାଯୋଗ୍ୟ ଯେ ୨୦୧୮ରେ ଏହାର ଛପା ବନ୍ଦ କରିବା ସମୟରେ ସରକାର ସନ୍ଦେହ କରିଥିଲେ ଯେ ଏହି ନୋଟକୁ ଅର୍ଥ ହେରଫେର, ଟିକସ ଫାଙ୍କିବା ଏବଂ ହୋର୍ଡିଂ ବା ମହଜୁଦ ପାଇଁ ବ୍ୟବହାର କରାଯାଉଛି। ୨୦୧୬ ନଭେମ୍ବରରେ ବିମୁଦ୍ରୀକରଣ ‌ଘୋଷଣା ବେଳେ ବଜାରରେ ୧୫ ଲକ୍ଷ ୪୪ ହଜାର କୋଟି ମୂଲ୍ୟର ୫୦୦ ଏବଂ ହଜାରେ ଟଙ୍କିଆ ନୋଟ୍ ପ୍ରଚଳନରେ ଥିଲା। ଏହା ଥିଲା ମୋଟ ଟଙ୍କା/ମୁଦ୍ରା ପ୍ରଚଳନର ୮୬ ପ୍ରତିଶତ। ରିଜର୍ଭ ବ୍ୟାଙ୍କ ତଥ୍ୟ ଅନୁଯାୟୀ, ୨୦୧୭ ମାର୍ଚ୍ଚରେ ୬.୫ ଲକ୍ଷ କୋଟିର ୨ ହଜାର ଟଙ୍କିଆ ନୋଟ୍ ପ୍ରଚଳନରେ ଥିଲା। ୨୦୨୩ ମାର୍ଚ୍ଚରେ ଏହା ୩.୬୩ ଲକ୍ଷ କୋଟିକୁ ଖସି ଆସିଛି। ‌ସେଥିରୁ ହିଁ ୧ ଲକ୍ଷ କୋଟି ଟଙ୍କାର ନୋଟ୍ ବଜାରରୁ ଗାଏବ ହୋଇଯାଇଛି ବୋଲି କେତେକ ଅର୍ଥନୀତି ବିଶେଷଜ୍ଞ କହୁଛନ୍ତି। ଏହି ନୋଟ୍ କୁଆଡ଼େ ଗଲା, କିଏ ହୋର୍ଡିଂ କରିଛି ତାହା ସବୁଠାରୁ ବଡ଼ ପ୍ରଶ୍ନ ହୋଇଛି। ଏହି ପ୍ରଶ୍ନର ଉତ୍ତର ଖୋଜିବା ଲାଗି ରିଜର୍ଭ ବ୍ୟାଙ୍କ ୨ ହଜାର ଟଙ୍କିଆ ନୋଟର ବଦଳ ପାଇଁ ସର୍ତ୍ତ ଲଗାଇଛନ୍ତି। କିନ୍ତୁ ସରକାର ଖୋଲାଖୋଲି ଭାବେ କିଛି କହୁ ନାହାନ୍ତି। ସରକାରଙ୍କର ନିରବତା ଏହାକୁ ଆହୁରି ରହସ୍ୟାବୃତ୍ତ ରଖିଛି।

ଜଣେ ବ୍ୟାଙ୍କ ଅଧିକାରୀ କହିଛନ୍ତି ଯେ ୨ ହଜାର ଟଙ୍କିଆ ନୋଟ୍ ଜମା କରୁଥିବା କିମ୍ବା ବଦଳ କରୁଥିବା ଲୋକ ଓ ସଂସ୍ଥା ଉପରେ ନଜର ରଖାଯାଇଛି। ସନ୍ଦେହ ଉପୁଜିଲେ ରିଜର୍ଭ ବ୍ୟାଙ୍କକୁ ତଥ୍ୟ ଦିଆଯାଉଛି। ଭାରତ ସରକାରଙ୍କ ପୂର୍ବତନ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା କୃଷ୍ଣମୂର୍ତ୍ତି ସୁବ୍ରମଣ୍ୟମ କହିଛନ୍ତି ଯେ ୨ ହଜାର ଟଙ୍କିଆ ନୋଟକୁ ଅନେକ ଦୁର୍ନୀତିଗ୍ରସ୍ତ ଲୋକ ମହଜୁଦ କରି ରଖିଛନ୍ତି। ବିଭିନ୍ନ ସମୟରେ ଆୟକର ଚଢ଼ଉ ବେଳେ ଯେଉଁ ନଗଦ ରାଶି ଜବତ ହେଉଛି ସେଥିରେ କୋଟି କୋଟି ଟଙ୍କା ମୂଲ୍ୟର ୨ ହଜାର ଟଙ୍କିଆ ନୋଟ୍ ରହିଛି। ଏହି ଉଚ୍ଚ ମୂଲ୍ୟର ନୋଟ୍‌କୁ ହୋର୍ଡିଂ କରିବା ସହଜ ହେଉଥିବାରୁ ବଜାରରୁ ଏହା ଉଭାନ ହେବା ସ୍ବାଭାବିକ। ଯଦି ବାସ୍ତବରେ ସରକାର କଳାଧନ ଉପରେ ପ୍ରହାର ଉଦ୍ଦେଶ୍ୟରେ ଏଭଳି ପଦକ୍ଷେପ ନେଇଛନ୍ତି, ତାହାହେଲେ ଏ ଦିଗରେ କେତେ ସଫଳତା ମିଳିବ ତାହା କହି‌ହେବ ନାହିଁ। କାରଣ ୨୦୧୬ ବିମୁଦ୍ରୀକରଣ ପରେ କେତେ କଳାଧନ ମିଳିଲା? ତାହାର ଉତ୍ତର ବର୍ତ୍ତମାନ ସୁଦ୍ଧ‌ା କାହାରି ପାଖରେ ନାହିଁ। ବିମୁଦ୍ରୀକରଣ ‌ବେଳେ ସରକାର ଦାବି କରିଥିଲେ ଯେ ଅଚଳ ଟଙ୍କା ମଧ୍ୟରେ ପର୍ଯ୍ୟାପ୍ତ ମାତ୍ରାର କଳାଟଙ୍କା ରହିଛି। କିନ୍ତୁ ଏଥିରେ କେତେ ସତ୍ୟତା ଥିଲା, ତାହା ରିଜର୍ଭ ବ୍ୟାଙ୍କ ତଥ୍ୟ ବୟାନ କରୁଛି। ପ୍ରଚଳନ ହେଉଥିବା ୧୫ ଲକ୍ଷ ୪୪ ହଜାର କୋଟିର ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍ ମଧ୍ୟରୁ ୯୮.୯୬ ପ୍ରତିଶତ ସରକାରଙ୍କ ନିକଟକୁ ଫେରିଥିଲା। କଳାଟଙ୍କାର ତ ହିସାବ ମିଳିଲା ନାହିଁ, ସରକାର ଏଥିରୁ କିଛି ଶିକ୍ଷା ଲାଭ କରିଥିବା ଭଳି ମଧ୍ୟ ମନେହେଉ ନାହିଁ।

ସମ୍ବନ୍ଧିତ ଖବର