ବାଘ, ହାତୀ ଗଣିବେ ରାଜ୍ୟ ସରକାର; ନନ୍ଦନକାନନ ହେବ ବିଶ୍ବସ୍ତରୀୟ ଚିଡ଼ିଆଖାନା

ମାସକ ମଧ୍ୟରେ ଆକ୍ସନପ୍ଲାନ୍ ପ୍ରସ୍ତୁତ କରିବ ଜଙ୍ଗଲ ବିଭାଗ

ଭୁବନେଶ୍ବର: କେନ୍ଦ୍ର ସରକାର ବାଘ ଓ ହାତୀ ଗଣନା କରୁଛନ୍ତି। ଏହାର ରିପୋର୍ଟ ଠିକ୍ ସମୟରେ ପ୍ରକାଶ ପାଉନି। ହାତୀ ଗଣନା ପ୍ରତି ୫ବର୍ଷରେ ହୁଏ। ହେଲେ ୨୦୨୨ରେ ହାତୀ ଗଣନା ହୋ‌ଇପାରିଲା ନାହିଁ। ୨୦୨୨ରେ ହୋଇଥିବା ବାଘ ଗଣନା ରିପୋର୍ଟ ଚଳିତବର୍ଷ ପ୍ରକାଶ ପାଇଛି। ହେଲେ ଆମ ରାଜ୍ୟରେ କେତେ ବାଘ ଅଛନ୍ତି ତା’ର ରିପୋର୍ଟ ବି ମିଳିନି। ଏଣୁ ରାଜ୍ୟ ସରକାର ପ୍ରତି ବର୍ଷ କିମ୍ବା ଦୁଇ ବର୍ଷରେ ଥରେ ରାଜ୍ୟରେ ହାତୀ ଓ ବାଘ ଗଣନା କରିବାକୁ ନିଷ୍ପତ୍ତି ନେଇଛନ୍ତି। ପୂର୍ବରୁ ରାଜ୍ୟ ସରକାର ପୃଥକ ଭାବେ ବାଘ ଗଣନା କରୁଥିଲେ। ହେଲେ ଏନେଇ ବିବାଦ ଉପୁଜିବାରୁ ଏହା ବନ୍ଦ ହୋଇଥିଲା। ଏବେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ପୁଣି ଥରେ ଜଙ୍ଗଲ ଓ ପରିବେଶ ବିଭାଗ ଏନେଇ ଏକ ଆକ୍ସନ ପ୍ଲାନ୍ ପ୍ରସ୍ତୁତ କରିବାକୁ ଯାଉଛି। ମାସକ ମଧ୍ୟରେ ଏହି ଆକ୍ସନ ପ୍ଲାନ୍ ପ୍ରସ୍ତୁତ କରାଯିବ। ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ମିଳିବା ପରେ ଏହାକୁ କାର୍ଯ୍ୟକାରୀ କରାଯିବ ବୋଲି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରଦୀପ ଅମାତ କହିଛନ୍ତି।

ଆଜି ଗୀତଗୋବିନ୍ଦ ସଦନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ଶ୍ରୀ ଅମାତ କହିଥିଲେ, ଓଡ଼ିଶା କେନ୍ଦ୍ରୀୟ ଭାରତ ଲ୍ୟାଣ୍ଡସ୍କେପ୍‌ରେ ଆସିୁଛି; ଏଠାରେ ୨୦୧୮ରେ ୧୦୩୩ଟି ବାଘ ଥିଲେ। ଏବେ ୧୧୬୧କୁ ବୃଦ୍ଧି ପାଇଛି। ଏଣୁ ଓଡ଼ିଶାରେ ବି ବାଘ ସଂଖ୍ୟା ବଢ଼ିଥିବା ଜଣାପଡ଼ୁଛି। ହେଲେ ଆମେ ଏହାର ଗଣନା କରିବୁ ଓ ହାତୀ ଗଣନା ବି ହେବ। କେନ୍ଦ୍ର ସରକାରଙ୍କ ନିୟମାବଳୀ ଅନୁଯାୟୀ ଏହି ଗଣନା କରାଯିବ। ଏହାର ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ମନ୍ତ୍ରୀ କହିଛନ୍ତି। ମନ୍ତ୍ରୀ ଆହୁରି କହିଛନ୍ତି, ନନ୍ଦନକାନନ ଚିଡ଼ିଆଖାନାକୁ ବିଶ୍ବସ୍ତରୀୟ ଚିଡ଼ିଆଖାନାରେ ପରିଣତ କରାଯିବ। ଏଥିପାଇଁ ବି ମାସକ ଭିତରେ ଆକ୍ସନପ୍ଲାନ୍ ପ୍ରସ୍ତୁତ କରାଯିବ। ସେହିପରି ଭିତରକନିକା, ଚିଲିକା, ଶିମିଳିପାଳ, ଚନ୍ଦକା ଓ ଭରତପୁରକୁ ଯେପରି ଅଧିକ ପର୍ଯ୍ୟଟକ ଆସିବେ, ବନ୍ୟପ୍ରାଣୀ ଦେଖିବାକୁ ପର୍ଯ୍ୟଟକ ଆସିବେ ସେନେଇ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯିବ। ପରିବେଶ ପର୍ଯ୍ୟଟନକୁ ଅଧିକ ବିକଶିତ କରାଯିବା ସହିତ ସମସ୍ତ କେନ୍ଦୁପତ୍ର ତୋଳାଳିଙ୍କୁ ବିଜୁ ସ୍ବାସ୍ଥ୍ୟ କାର୍ଡ ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ପରମର୍ଶ ଦେଇଛନ୍ତି। ଏବେ ୮ଲକ୍ଷ ୧୫ ହଜାର କେନ୍ଦୁପତ୍ର ତୋଳାଳି ଥିବାବେଳେ ୭,୫୨,୦୦୦ ଜଣଙ୍କୁ ବିଏସ୍‌କେୱାଇ କାର୍ଡ ଅଛି। ବାକି ୬୩ହଜାର ଲୋକଙ୍କୁ ତୁରନ୍ତ ବିଏସ୍‌କେୱାଇ କାର୍ଡ ଯୋଗାଇ ଦେବାକୁ କୁହାଯାଇଛି।

ଏହି ସାମ୍ବାଦିକ ସମ୍ମିଳନୀରେ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସତ୍ୟବ୍ରତ ସାହୁ, ପିସିସିଏଫ୍‌ ଦେବୀଦତ୍ତ ବିଶ୍ବାଳ, ପିସିସିଏଫ୍‌ (ବନ୍ୟପ୍ରାଣୀ) ସୁଶୀଲ କୁମାର ପୋପ୍‌ଲି, ପିସିସିଏଫ୍ (କେନ୍ଦୁପତ୍ର) ପୁଷା ଜୁଲେ ମେକ୍‌ରୋ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର