୨୦୦୦ ଟଙ୍କିଆ ପ୍ରଭାବ: ଅର୍ଥନୀତି ଚଳଚଞ୍ଚଳ, ସୁନା, ଏସି, ଟିଭି, ମୋବାଇଲ୍‌ ବିକ୍ରିରେ ବୃଦ୍ଧି

ନୂଆଦିଲ୍ଲୀ: ମଲ୍‌ରେ ଅଧିକ ଲୋକ କିଣାକିଣି କରୁଛନ୍ତି। ଅଳଙ୍କାର ସୋ’ରୁମ୍‌ରେ ଭିଡ଼। ପେଟ୍ରୋଲ୍‌ ପମ୍ପ୍‌ରେ ନଗଦ ଟଙ୍କାରେ ଅଧିକ ତେଲ କିଣା ହେଉଛି। ରିଅଲ ଇଷ୍ଟେଟ୍‌ ବଜାର ମଧ୍ୟ ବେଶ ସକ୍ରିୟ ହୋଇପଡ଼ିଛି। ମୋଟ ଉପରେ ଦେଶର ଅର୍ଥନୀତି ଏକ ପ୍ରକାର ଚଳଚଞ୍ଚଳ ହୋଇଉଠିଛି। ଏସବୁ ପଛରେ ରହିଥିବା ବଡ଼ କାରଣଟି ହେଉଛି ୨୦୦୦ ଟଙ୍କିଆ। ଏହି ବଡ଼ ନୋଟ୍ ପ୍ରତ୍ୟାହାର ହେବା ପରେ ବଜାରରେ କିଣାବିକା ବଢ଼ିଥିବା ବେଳେ ବ୍ୟାଙ୍କ ଜମାରାଶିରେ ବି ବୃଦ୍ଧି ଘଟିଛି।

ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କର ଇକୋରାପ୍ ରିପୋର୍ଟ ଅନୁଯାୟୀ, ୨୦୦୦ ଟଙ୍କିଆ ନୋଟ୍ ପ୍ରତ୍ୟାହାର ହେବା ପରେ ପ୍ରଚଳନରେ ଥିବା ମୁଦ୍ରା ପରିମାଣ ହ୍ରାସ ପାଇଛି। ୨୦୨୩ ମେ’ ୧୯ରେ ପ୍ରଚଳନରେ ୩୪.୭୮ ଲକ୍ଷ କୋଟି ଟଙ୍କାର ମୁଦ୍ରା ପ୍ରଚଳନରେ ଥିଲା। ଜୁନ୍ ୯ ସୁଦ୍ଧା ତାହା ୭୦ ହଜାର କୋଟି ଟଙ୍କା ହ୍ରାସ ପାଇ ୩୪.୦୮ ଲକ୍ଷ କୋଟି ଟଙ୍କା ରହିଯାଇଛି। ରିଜର୍ଭ ବ୍ୟାଙ୍କ ତଥ୍ୟ ଅନୁସାରେ ୧.୮ ଲକ୍ଷ କୋଟି ଟଙ୍କାର ଦୁଇ ହଜାର ଟଙ୍କିଆ ନୋଟ୍ ବ୍ୟାଙ୍କକୁ ଫେରିଆସିଛି। ୨୦୦୦ ଟଙ୍କିଆ ନୋଟ୍ ପ୍ରତ୍ୟାହାର ହେବା ପ୍ରଭାବରେ ଗ୍ରାହକମାନେ କରୁଥିବା ଖର୍ଚ୍ଚରେ ୫୫ ହଜାର କୋଟି ଟଙ୍କାର ବୃଦ୍ଧି ହୋଇଥିବା ଅନୁମାନ କରାଯାଉଛି। ଲୋକମାନେ ଏହି ବଡ଼ ନୋଟ୍‌ରେ ସୁନା, ଅଳଙ୍କାର, ଆସବାବପତ୍ର, ଏସି, ମୋବାଇଲ୍‌ ଫୋନ୍, ଘର ଓ ଜମି ଆଦି କିଣୁଛନ୍ତି। ପେଟ୍ରୋଲ୍‌ ପମ୍ପ୍‌ରେ ୨୦୦୦ ଟଙ୍କିଆ ଦେଇ ତେଲ ପକାଉଥିବା ଗ୍ରାହକଙ୍କ ସଂଖ୍ୟାରେ ମଧ୍ୟ ବୃଦ୍ଧି ହୋଇଛି।

ପୂର୍ବରୁ ପେଟ୍ରୋଲ୍‌ ପମ୍ପ୍‌ରେ ଡିଜିଟାଲ୍‌ କାରବାର ୪୦% ଥିଲା ଯାହା ଏବେ ୧୦%କୁ ହ୍ରାସ ପାଇଛି। ଅନଲାଇନ୍‌ରେ ସାମଗ୍ରୀ ବରାଦ କରୁଥିବା ଗ୍ରାହକମାନେ ବି କ୍ୟାସ୍‌ ଅନ୍ ଡେଲିଭରି ବିକଳ୍ପ ଚୟନ କରି ୨୦୦୦ ଟଙ୍କିଆରେ ପେମେଣ୍ଟ୍‌ କରୁଛନ୍ତି। ଇ-କମର୍ସ, ଖାଦ୍ୟ ଓ ଅନଲାଇନ୍ ଗ୍ରୋସରି କିଣାକିଣିରେ ୨୦୦୦ ଟଙ୍କିଆ ବ୍ୟବହାର ହେଉଛି। ଲୋକମାନେ ୨୦୦୦ ଟଙ୍କିଆକୁ ମନ୍ଦିର ଓ ଅନ୍ୟାନ୍ୟ ଧାର୍ମିକ ଅନୁଷ୍ଠାନକୁ ଦାନ ଦେଉଛନ୍ତି। କିଛି ଦିନ ଭିତରେ ସୁନା ଅଳଙ୍କାର ବିକ୍ରିରେ ୧୦-୨୦% ବୃଦ୍ଧି ହୋଇଛି। ଇକୋରାପ୍ ରିପୋର୍ଟରେ କୁହାଯାଇଛି ଯେ ପ୍ରାୟ ୯୨ ହଜାର କୋଟି ଟଙ୍କାର ୨୦୦୦ ଟଙ୍କିଆକୁ ଲୋକମାନେ ଋଣ ପରିଶୋଧରେ ବ୍ୟବହାର କରିଥିବା ଅନୁମାନ କରାଯାଉଛି।

ସମ୍ବନ୍ଧିତ ଖବର