୧୯୪୭ ପରେ ବିମାନ ଦୁର୍ଘଟଣ‌ାରେ ୨୧୭୩ ମୃତ

ନୂଆଦିଲ୍ଲୀ: ଭାରତ ୧୯୪୭ରେ ସ୍ବାଧୀନ ହୋଇଥିଲା। ଏହାର ପରର୍ବତୀ ସମୟରେ ଘଟିଥିବା ବିମାନ ଦୁର୍ଘଟଣାଗୁଡ଼ିକରେ ମୋଟ ୨୧୭୩ ଜଣଙ୍କ ମୃତ୍ୟୁ ହୋଇଛି। ଆଜି ପର୍ଯ୍ୟନ୍ତ ଘଟିଥିବା ମୋଟ ବିମାନ ଦୁର୍ଘଟଣାର ପ୍ରାୟ ୮୦ ପ୍ରତିଶତ ପାଇଲଟ୍‌ଙ୍କ ତ୍ରୁଟି ଯୋଗୁଁ ଘଟିଛି। ଆଭିଏସନ ସେଫ୍ଟି ନେଟ୍‌ୱର୍କ ନାମକ ଏକ ଘରୋଇ ସଂସ୍ଥା ରଖୁଥିବା ତଥ୍ୟରୁ ଏହା ଜଣାପଡ଼ିଛି। ତେବେ ଏଥିରେ କେବଳ ଯାତ୍ରୀବାହୀ ବିମାନର ତଥ୍ୟ ସାମିଲ ରହିଛି। ଚାର୍ଟାର୍ଡ ଫ୍ଲାଇଟ୍‌, ପ୍ରଶିକ୍ଷଣ ବିମାନ, କାର୍ଗୋ ବିମାନ କିମ୍ବା ବିନା ଯାତ୍ରୀର ବିମାନ ଦୁର୍ଘଟଣାକୁ ବିଚାରକୁ ନିଆଯାଇନାହିଁ। ନିକଟରେ କେରଳର କୋଜିକୋଟ୍ ବିମାନ ବନ୍ଦରରେ ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌ର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହେବାରୁ ୧୮ ଜଣଙ୍କ ମୃତ୍ୟୁ ହୋଇଥିଲା।

ଏହା ଥିଲା ସ୍ବାଧୀନ ଭାରତର ୫୨ତମ ବିମାନ ଦୁର୍ଘଟଣା। ସେଥି ମଧ୍ୟରୁ ୪୦ଟି ଭାରତୀୟ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ଅନ୍ୟ ୧୨ଟି ବିମାନ ବିଦେଶୀ କଂପାନିର ଥିଲା। ଏହା ବ୍ୟତୀତ ଶତାଧିକ ବାଣିଜ୍ୟିକ ବିମାନର ଦୁର୍ଘଟଣା ଘଟିଥିଲେ ମଧ୍ୟ ସେଥିରେ କାହାର ମୃତ୍ୟୁ ହୋଇନାହିଁ। ୨୦୧୧ରୁ ୨୦୨୦ ପର୍ଯ୍ୟନ୍ତ ସମୟକୁ ବିମାନ ଯାତ୍ରାର ସବୁଠୁ ସୁରକ୍ଷିତ ସମୟ ଭାବେ ବିଚାର କରାଯାଉଛି। ଦେଶର ୧୦ଟି ପ୍ରମୁଖ ବିମାନ ଦୁର୍ଘଟଣା ହରିୟାନାର ଚରଖି ଦାଦ୍‌ରି, ଅହମ୍ମଦାବାଦ, ମୁମ୍ବାଇ, ଦିଲ୍ଲୀ, ଇମ୍ଫାଲ, ବାଙ୍ଗାଲୋର, ମାଙ୍ଗାଲୋର ଓ ଜୁନାର୍‌ରେ ଘଟିଛି। ୨୦୧୦ର ମାଙ୍ଗାଲୋର ବିମାନ ଦୁର୍ଘଟଣ‌ାରେ ୧୫୮ ଜଣଙ୍କ ମୃତ୍ୟୁ ହୋଇଥିଲା। ହରିୟାନାର ଦାଦରିରେ ସାଉଦି ଆରବର ଏକ ଜୁମ୍ବୋ ଜେଟ୍ ଓ କାଜାକ୍ ଏୟାରଲାଇନ୍ସର ବିମାନ ମଧ୍ୟରେ ମଝି ଆକାଶରେ ଧକ୍କା ହେବାରୁ ୩୪୯ ଜଣଙ୍କ ମୃତ୍ୟୁ ହୋଇଥିଲା। ୧୯୭୮ରେ ମୁମ୍ବାଇରୁ ଏକ ବିମାନ ଉଡ଼ାଣ ଆରମ୍ଭ କରିବାର କିଛି ସମୟ ପରେ ସମୁଦ୍ର ପାଖରେ ଦୁର୍ଘଟଣାଗ୍ରସ୍ତ ହେବାରୁ ୨୧୩ ଜଣଙ୍କ ମୃତ୍ୟୁ ହୋଇଥିଲା।

ସମ୍ବନ୍ଧିତ ଖବର