୧୦ ବର୍ଷରେ ଥରେ ଆଧାର ଅପ୍‌ଡେଟ୍‌ ବାଧ୍ୟତାମୂଳକ

ନୂଆଦିଲ୍ଲୀ: ପ୍ରତି ୧୦ ବର୍ଷରେ ଥରେ ଆଧାରକାର୍ଡ ସଂପର୍କିତ ଦସ୍ତାବିଜ୍‌ ଅପଡେଟ୍ / ସଂଶୋଧନ କରିବା ବାଧ୍ୟତାମୂଳକ। ସରକାର ଏଥିପାଇଁ ଆଧାର ନିୟମରେ ସଂଶୋଧନ ଆଣିଛନ୍ତି। କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରାଳୟ ପକ୍ଷରୁ ଏ ନେଇ ଗେଜେଟ୍ ବିଜ୍ଞପ୍ତି ଜାରି ହୋଇଛି। ଅପଡେଟ୍ ବା ସଂଶୋଧନ ପାଇଁ ଆଧାରକାର୍ଡଧାରୀଙ୍କୁ ପରିଚୟ (ନାମ ଓ ଫଟୋ) ପ୍ରମାଣପତ୍ର ଓ ଠିକଣା (ନାମ ଓ ରହୁଥିବା ସ୍ଥାନ) ପ୍ରମାଣପତ୍ର ଦସ୍ତାବିଜ୍‌ ଦାଖଲ କରିବାକୁ ହେବ। ସେଣ୍ଟ୍ରାଲ ଆଇଡେଣ୍ଟିଜ୍ ଡାଟା ରିପୋଜିଟୋରି (ସିଆଇଡିଆର୍‌) ନିକଟରେ ଲୋକଙ୍କ ଆଧାର ସଂପର୍କିତ ସୂଚନାର ସଠିକତାରେ ନିରନ୍ତରତା ପାଇଁ ଏହା କରାଯିବ।

ଆଧାର (ଏନଲୋର୍‌ମେଣ୍ଟ୍ ଆଣ୍ଡ୍‌ ଅପଡେଟ୍‌) ନିୟମରେ ବଦଳାଯାଇ ଏହି ସଂଶୋଧନ କରାଯାଇଛି। ଗତମାସରେ ଭାରତୀୟ ସ୍ବତନ୍ତ୍ର ପରିଚୟପତ୍ର କର୍ତ୍ତୃପକ୍ଷ (ୟୁଆଇଡିଏଆଇ) ଲୋକଙ୍କୁ ପରିଚୟ ଏବଂ ଠିକଣା ସମ୍ବଳିତ ଦସ୍ତାବିଜରେ ସଂଶୋଧନ ପାଇଁ ଆହ୍ବାନ କରିଥିଲା। ଯଦି ସେମାନଙ୍କୁ ୧୦ ବର୍ଷ ପୂର୍ବରୁ ଆଧାର ପରିଚୟପତ୍ର ପ୍ରଦାନ କରାଯାଇଥାଏ ତା’ହେଲେ ଅପଡେଟ୍‌ କରିବାକୁ କୁହାଯାଇଥିଲା। ଆଧାରକାର୍ଡଧାରୀଙ୍କୁ ଉକ୍ତ କାର୍ଯ୍ୟ ସଂପାଦନ ଲାଗି ୟୁଆଇଡିଏଆଇ ଅ‌ପଡେଟ୍ ଡକ୍ୟୁମେଣ୍ଟ୍ ନାମରେ ଏକ ନୂଆ ଫିଚର ବିକାଶ କରିଛି। ମାଇଁଆଧାର ପୋର୍ଟାଲ କିମ୍ବା ମାଇଁଆଧାର ଆପ୍‌ ଜରିଆରେ ଅନଲାଇରେ ଉକ୍ତ କାର୍ଯ୍ୟ ସଂପାଦନ ହୋଇପାରିବ। ନଚେତ୍‌ ଆଧାର ଏନରୋଲମେଣ୍ଟ୍ ସେଣ୍ଟରକୁ ଯାଇ ଲୋକେ ଏହି କାର୍ଯ୍ୟ କରିପାରିବେ।

ସମ୍ବନ୍ଧିତ ଖବର