ଭୁବନେଶ୍ୱରରେ ପ୍ରତିଷ୍ଠା ହେବ ଆଇଏଚସିଏଲର ହୋଟେଲ ’ଭିଭାନ୍ତା’

ମୁମ୍ବାଇ : ଟାଟାଗ୍ରୁପର ହୋଟେଲ କଂପାନୀ ଦି ଇଣ୍ଡିଆନ ହୋଟେଲ କଂପାନୀ ଲିମିଟେଡ଼ ( ଆଇଏଚସିଏଲ) ଓଡ଼ିଶାରେ ଏହାର ଦ୍ୱିତୀୟ ହୋଟେଲ ପ୍ରତିଷ୍ଠା ବିଷୟ ଘୋଷଣା କରିଛି । ଭିଭାଣ୍ଟା ନାମରେ ଏହି ହୋଟେଲ ଭୁବନେଶ୍ୱରରେ ପ୍ରତିଷ୍ଠା କରାଯିବ । ଏଥିପାଇଁ ଲାଇଫଲାଇନ ମଲଟି ଭେଞ୍ଚର ପ୍ରାଇଭେଟ ଲିମିଟେଡ଼ ସହ ଏକ ପରିଚାଳନାଗତ ଚୁକ୍ତିନାମା ଜରିଆରେ ଏହା କାର୍ଯ୍ୟକାରୀ ହେବ । ଉଚ୍ଚ ଅଭିବୃଦ୍ଧି ଲକ୍ଷ୍ୟରେ କଂପାନୀର ସଂପ୍ରସାରଣ ଯୋଜନାର ଅଂଶ ଭାବେ ଏଥିପାଇଁ ରାଜିନାମା ସ୍ୱାକ୍ଷର ହୋଇଛି । ଏହି ରାଜିନାାମ ସଂପର୍କରେ ଆଇଏଚସିଏଲର ପରିଚାଳନା ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପୁନିତ ଚଟୱାଲ କହିଛନ୍ତି ଯେ, ୨୦୨୨ ମସିହା ସୁଦ୍ଧା କଂପାନୀ ସଂପ୍ରସାରଣ ପାଇଁ ଯେଉଁ ଲକ୍ଷ୍ୟ ରଖିଛି ତାହା ମଧ୍ୟରେ ଭିଭାନ୍ତା ଭୁବନେଶ୍ୱର ସାମିଲ ହୋଇଛି । ୨୦୨୨ ସୁଦ୍ଧା ଦେଶର ବିଭିନ୍ନ ରାଜ୍ୟର ରାଜଧାନୀ ସହରରେ ହୋଟେଲ ପ୍ରତିଷ୍ଠା କରି କଂପାନୀ ନିଜ ଉପସ୍ଥିତି ଜାହିର କରିବାକୁ ଲକ୍ଷ୍ୟ ରଖିଛି । ଓଡ଼ିଶା ଓ ପୂର୍ବ ଭାରତରେ ଭୁବନେଶ୍ୱର ଏକ ଦ୍ରୁତ ଅଭିବୃଦ୍ଧିଶୀଳ ବ୍ୟବସାୟିକ ତଥା ଓ ବାଣିଜ୍ୟିକ କେନ୍ଦ୍ର ସ୍ଥଳୀ ଭାବେ ଉଭା ହେଉଛି । ବ୍ୟବସାୟିକ ଅତିଥି ଓ ଚିନ୍ନ ବିନୋଦନ ଉଦ୍ଦେଶ୍ୟରେ ପର୍ଯ୍ୟଟକଙ୍କ ଆଗମନ ଭୁବନେଶ୍ୱରକୁ ବୃଦ୍ଧି ପାଇବ । ଏହି ହୋଟେଲ ପାଇଁ ଲାଇଫଲାଇନ ମଲଟି ଭେଞ୍ଚର ପ୍ରାଇଭେଟ ଲିମିଟେଡ଼ ସହ ସହଭାଗିତା କରି ଆମେ ଆନନ୍ଦିତ ବୋଲି ସେ କହିଛନ୍ତି । ଭିଭାନ୍ତା ଭୁବନେଶ୍ୱର କଳିଙ୍ଗନଗରର ପାତ୍ରପଡ଼ାରେ ଅବସ୍ଥିତ । ଏହା ଡ଼ିଏନ ରିଗଲ ମଲର ଅଂଶବିଶେଷ । ଏଥିରେ ସୁସଜ୍ଜିତ ୧୩୭ ଟି କୋଠରୀ ରହିବ । ଏଥିସହ ବହୁମୁଖୀ ଭୋଜନାଳୟ, ଚିତ୍ତ ବିନୋଦନ ସୁବିଧା, ଆଧୁନିକ ସଭା କେନ୍ଦ୍ର, ସମ୍ମିଳନୀ ପ୍ରକୋଷ୍ଠ ଓ ନୈଶ୍ୟ ଭୋଜନ କେନ୍ଦ୍ରର ସୁବିଧା ରହିବ । ଏହି ହୋଟେଲ ୨୦୨୦ ମସିହା ସୁଦ୍ଧା ଖୋଲିବ ।

ସମ୍ବନ୍ଧିତ ଖବର