ବେପାର ପାଇଁ ପାକିସ୍ତାନ ବ୍ୟାକୁଳ: ଆଗ୍ରହ ଦେଖାଇଲେ ପାକିସ୍ତାନ ବିଦେଶମନ୍ତ୍ରୀ

୨୦୧୯ରୁ ବନ୍ଦ ରହିଛି ବ୍ୟବସାୟ

ନୂଆଦିଲ୍ଲୀ: ଭାରତ ସହିତ ବାଣିଜ୍ୟିକ ସଂପର୍କ ସ୍ଥାପନ ପାଇଁ ପଡ଼ୋଶୀ ପାକିସ୍ତାନ ଆଗ୍ରହ ପ୍ରକାଶ କରିଛି। ଲଣ୍ଡନଠାରେ ପାକିସ୍ତାନର ବିଦେଶମନ୍ତ୍ରୀ ଇଶାକ୍‌ ଦର୍‌ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ଦର୍‌ଙ୍କ କହିବାନୁଯାୟୀ, ପାକିସ୍ତାନର ବ୍ୟବସାୟୀମାନେ ଭାରତ ସହିତ ବାଣିଜ୍ୟ ଆରମ୍ଭ କରିବାକୁ ଚାହୁଛନ୍ତି। ତେଣୁ ଭାରତ ସହିତ ବାଣିଜ୍ୟ କାରବାର ପ୍ରସଙ୍ଗକୁ ଆମେ ଗମ୍ଭୀରତାର ସହିତ ଅନୁଧ୍ୟାନ କରିବୁ ବୋଲି ସେ କହିଛନ୍ତି। ୨୦୧୯ ମସିହା ଅଗଷ୍ଟ ମାସରେ କେନ୍ଦ୍ର ସରକାର ସମ୍ବିଧାନର ଧାରା ୩୭୦ ଉଚ୍ଛେଦ କରିବା ଫଳରେ ଜମ୍ମୁ କଶ୍ମୀରକୁ ମିଳୁଥିବା ‌ସ୍ବତନ୍ତ୍ର ମାନ୍ୟତା ପ୍ରତ୍ୟାହୃତ ହୋଇଥିଲା। ଏହାପରେ ଭାରତ ସହିତ ପାକିସ୍ତାନ ବାଣିଜ୍ୟ କାରବାର ବନ୍ଦ କରିଦେଇଥିଲା। କିନ୍ତୁ ଦ୍ବିପାକ୍ଷିକ ସଂପର୍କ ଭଲ ନଥିବା ସତ୍ତ୍ବେ ୨୦୨୧ ମସିହାରେ ଦୁଇ ପଡ଼ୋଶୀ ଦେଶ ନିୟନ୍ତ୍ରଣ ରେଖା (ଏଲ୍‌ଓସି)ରେ ଅସ୍ତ୍ରବିରତି ପାଇଁ ହୋଇଥିବା ରାଜିନାମାକୁ ନବୀକରଣ କରିବା ଲାଗି ସହମତ ହୋଇଥିଲେ।

ଚଳିତମାସରେ ପାକିସ୍ତାନର ୨୪ତମ ପ୍ରଧାନମନ୍ତ୍ରୀ ଭାବେ ଶେହବାଜ ଶରିଫ ଶପଥ ନେଇଛନ୍ତି। ୨୦୨୨ ମସିହାଠାରୁ ଶରିଫ ଦ୍ବିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହୋଇଛନ୍ତି। ନିର୍ବାଚନରେ ବିଜୟୀ ହେବାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ। ଶରିଫ ମଧ୍ୟ ମୋଦୀଙ୍କୁ ଧନ୍ୟବାଦ ଜଣାଇ ମାର୍ଚ୍ଚ ୭ ତାରିଖରେ ଏକ୍ସରେ ପୋଷ୍ଟ୍‌ କରିଥିଲେ। ଏହାର ଦୁଇ ଦିନ ପୂର୍ବରୁ ମୋଦୀ ଶରିଫଙ୍କୁ ସାମାଜିକ ଗଣମାଧ୍ୟମ ଜରିଆରେ ଅଭିନନ୍ଦନ ଜଣାଇଥିଲେ। ତେବେ ବିଦେଶ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କର କହିଛନ୍ତି ଯେ ପଡ଼ୋଶୀ ଦେଶଗୁଡ଼ିକ ସହିତ ସଂପର୍କ ସୁଧାରିବା ପାଇଁ ନୂଆଦିଲ୍ଲୀ ଆତଙ୍କବାଦକୁ ଅଣଦେଖା କରିପାରିବ ନାହିଁ। ଶନିବାର ସିଙ୍ଗାପୁରଠାରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଜୟଶଙ୍କର କହିଥିଲେ ଯେ ଏହା ଥରେ ଅଧେର ଘଟଣା ନୁହେଁ। ଆତଙ୍କବାଦକୁ ପାକିସ୍ତାନ ତା’ର ନୀତିରେ ପରିଣତ କରିଦେଇଛି। ତେଣୁ ଆତଙ୍କବାଦ ସମସ୍ୟା ସମାଧାନର ଉପାୟ ଆମକୁ ବାହାର କରିବାକୁ ପଡ଼ିବ। ସମସ୍ୟାକୁ ଏଡ଼ାଇଗଲେ ତାହା ଅଧିକ ସମସ୍ୟାକୁ ଡାକି ଆଣିବ। ପ୍ରତ୍ୟେକ ଦେଶ ଏକ ଭଲ ଏବଂ ଶାନ୍ତ ପଡ଼ୋଶୀ ଚାହାନ୍ତି ବୋଲି ଜୟଶଙ୍କର କହିଛନ୍ତି। ଉଲ୍ଲେଖଯୋଗ୍ୟ, ଜୟଶଙ୍କର ମାର୍ଚ୍ଚ ୨୩ରୁ ୨୭ ତାରିଖ ପର୍ଯ୍ୟନ୍ତ ୩ଟି ଦେଶ ଯଥା ସିଙ୍ଗାପୁର, ଫିଲିପାଇନ୍ସ ଏବଂ ମାଲେସିଆ ଗସ୍ତରେ ଅଛନ୍ତି। ଏସବୁ ଦେଶ ସହିତ ଦ୍ବିପାକ୍ଷିକ ସଂପର୍କ ବୃଦ୍ଧି କରିବା ଏବଂ ଆଞ୍ଚଳିକ ପ୍ରସଙ୍ଗ ଉପରେ ଆଲୋଚନା ଜୟଶଙ୍କରଙ୍କ ଗସ୍ତର ଉଦ୍ଦେଶ୍ୟ ବୋଲି ବିଦେଶ ବ୍ୟାପାର ମନ୍ତ୍ରାଳୟ କହିଛି।

ସମ୍ବନ୍ଧିତ ଖବର