କର୍ମଜୀବୀ ମହିଳାଙ୍କ ପସନ୍ଦ ଟୁ-ପିସ୍ ସେଟ୍‌: ଦାମ୍‌ ୩୦୦୦ ଟଙ୍କା ପାଖାପାଖି

ଭୁବନେଶ୍ବର: ଅର୍ଥନୈତିକ କାର୍ଯ୍ୟକଳାପରେ ବୃଦ୍ଧି ଓ ଶିକ୍ଷାରେ ଉନ୍ନତି ପ୍ରଭାବରେ ମହିଳାମାନଙ୍କ ଲାଗି ନିଯୁକ୍ତି ସୁଯୋଗ ବ୍ୟାପକ ହୋଇଛି। ବହୁ ମହିଳା ନିଯୁକ୍ତି ବଜାରରେ ନିଜ ସ୍ଥାନ ସୁରକ୍ଷିତ କରି ବିଭିନ୍ନ ସ୍ଥାନରେ କାର୍ଯ୍ୟ କରୁଛନ୍ତି। ସେମାନେ ପ୍ରତିଦିନ କାର୍ଯ୍ୟକ୍ଷେତ୍ରକୁ ଯିବା ଲାଗି ଫେସନର ମିଶ୍ରଣ ଥିବା ପୋଷାକ ପିନ୍ଧିବାକୁ ପସନ୍ଦ କରୁଛନ୍ତି। ତାହା ପୋଷାକ କମ୍ପାନିଗୁଡ଼ିକ ଲାଗି ବ୍ୟବସାୟର ବଡ଼ ସୁଯୋଗ ସୃଷ୍ଟି କରିଛି। ମହିଳାଙ୍କ ପୋଷାକ ବଜାରରେ କର୍ମଜୀବୀମାନେ ପରିଧାନ କରୁଥିବା ପୋଷାକ ଏକ ବଡ଼ ବର୍ଗ ଭାବେ ଉଭା ହୋଇଛି।

‘ବିବା’ର ନୂଆ ଗ୍ରୀଷ୍ମକାଳୀନ କଲେକ୍ସନ ଶୁଭାରମ୍ଭ ଅବସରରେ କମ୍ପାନିର ମାର୍କେଟିଂ ମୁଖ୍ୟ ଏକତା ଦତ୍ତା କହିଛନ୍ତି ଯେ ଭୁବନେଶ୍ବରର କର୍ମଜୀବୀ ମହିଳାମାନେ ଟୁ-ପିସ୍ ସୁଟ୍, ଜ୍ୟାକେଟ୍ ଓ ପ୍ୟାଣ୍ଟ ଏବଂ ଷ୍ଟ୍ରେଚ୍‌ କୁର୍ତ୍ତାକୁ ପସନ୍ଦ କରୁଛନ୍ତି। ଏହା ବ୍ୟତୀତ ଜିନ୍ସ ଓ ଟପ୍‌ ମଧ୍ୟ ସେମାନଙ୍କ ପସନ୍ଦ ତାଲିକାରେ ରହିଛି। ତିନି ହଜାର ଟଙ୍କା ପାଖାପାଖି ଦାମ୍‌ରେ ଉପଲବ୍ଧ ଥିବା ଟୁ-ପିସ୍‌ ସେଟ୍‌ ଅଧିକ ମାତ୍ରାରେ ବିକ୍ରି ହେଉଛି ବୋଲି ସେ କହିଛନ୍ତି। ‌ମୋଟାମୋଟି ଭାବେ ମହିଳାମାନେ ପିନ୍ଧୁଥିବା ପୋଷାକ ସମ୍ପର୍କରେ‌ ସେ କହିଛନ୍ତି ଯେ କାଜୁଆଲ ଓ ଫର୍ମାଲ୍‌ୱେର୍‌ରେ ଏବେ କର୍ଡ‌ ସେଟ୍‌ ଓ ଫ୍ୟୁଜନ୍ କଲେକ୍ସନ ଅଧିକ ବିକ୍ରି ହେଉଛି। ୨୫-୫୦ ବର୍ଷ ବୟସ ମହିଳାମାନେ ପୋଷାକ କିଣିବା ବେଳେ ବିବିଧତା ଉପରେ ଅଧିକ ଗୁରୁତ୍ବ ଦେଉଛନ୍ତି। ନିତିଦିନିଆ ପରିଧାନ, କାର୍ଯ୍ୟକ୍ଷେତ୍ରକୁ ଯିବା ଲାଗି ପୋଷାକ, ଭ୍ରମଣ ଆବଶ୍ୟକତା ପୂରଣ କରୁଥିବା ପୋଷାକ, ଏୟାରପୋର୍ଟ ଲୁକ୍‌ ଓ ବିଭିନ୍ନ ଅବସରରେ ପିନ୍ଧା ଯାଉଥିବା ପୋଷାକକୁ ମହିଳାମାନେ କିଣୁଛନ୍ତି। ଗୃହିଣୀ, କର୍ମଜୀବୀ ମହିଳା, ଶିକ୍ଷୟିତ୍ରୀ, ଡାକ୍ତରାଣୀ ବର୍ଗର ଗ୍ରାହକମାନେ ପୋଷାକ କିଣିବା ବେଳେ ପ୍ରଚଳିତ ଧାରା ଉପରେ ଗୁରୁତ୍ବାରୋପ କରୁଛନ୍ତି ବୋଲି ଏକତା କହିଛନ୍ତି।

ସମ୍ବନ୍ଧିତ ଖବର