ନୂଆଦିଲ୍ଲୀ: ମୋଦୀ ସରକାର ଆଜି ପେଟ୍ରୋଲ ଏବଂ ଡିଜେଲ ଉପରେ ଉତ୍ପାଦନ ଶୁଳ୍କ ବୃଦ୍ଧି କରିଛନ୍ତି। ଏହାକୁ ବିରୋଧୀ କଂଗ୍ରେସ ସମାଲୋଚନା କରିଛି। ତେବେ ଆଜିର ଉତ୍ପାଦନ ଶୁଳ୍କ ବୃଦ୍ଧିକୁ ବିଚାରକୁ ନେଲେ ମୋଦୀ ସରକାରଙ୍କ ଅମଳରେ ୧୧ ଥର ଉତ୍ପାଦନ ଶୁଳ୍କ ବଢ଼ିଥିବାବେଳେ ମାତ୍ର ୨ ଥର କମିଛି। ୨୦୧୪ ନଭେମ୍ବରରୁ ୨୦୧୬ ଜାନୁଆରି ମଧ୍ୟରେ କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲ ଉପରେ ଉତ୍ପାଦନ ଶୁଳ୍କ ୯ ଥର ବୃଦ୍ଧି କରିଥିଲେ। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ହ୍ରାସର ଲାଭ ସରକାର ନେବା ପାଇଁ ଏହା କରିଥିଲେ। ସେହି ୧୫ ମାସ ମଧ୍ୟରେ ପେଟ୍ରୋଲରେ ଲିଟର ପିଛା ୧୧ ଟଙ୍କା ୭୭ ପଇସା ଏବଂ ଡିଜେଲରେ ୧୩ ଟଙ୍କା ୪୭ ପଇସା ଶୁଳ୍କ ବୃଦ୍ଧି କରାଯାଇଥିଲା। ଏଥିଯୋଗୁଁ ସରକାରଙ୍କ ଉତ୍ପାଦନ ଶୁଳ୍କ ବାବଦ ରାଜସ୍ବ ୨୦୧୪-୧୫ରେ ୯୯ ହଜାର କୋଟି ଟଙ୍କା ଥିବାବେଳେ ୨୦୧୬-୧୭ରେ ତାହା ୨,୪୨,୦୦୦ କୋଟି ଟଙ୍କାକୁ ବୃଦ୍ଧି ପାଇଥିଲା। ଏହା ପରେ ୨୦୧୭ ଅକ୍ଟୋବରରେ କେନ୍ଦ୍ର ସରକାର ଉତ୍ପାଦନ ଶୁଳ୍କ ୨ ଟଙ୍କା ଏବଂ ତାହାର ବର୍ଷକ ପରେ ୧ ଟଙ୍କା ୫୦ ପଇସା କମାଇଥିଲେ ମଧ୍ୟ ୨୦୧୯ ଜୁଲାଇରେ ପୁଣି ୨ ଟଙ୍କା ବଢ଼ାଇଥିଲେ। ଅଶୋଧିତ ତେଲ ଦର ହ୍ରାସର ଲାଭ ଗ୍ରାହକମାନେ ଗତ କିଛିମାସ ହେଲା ପାଇ ଆସୁଛନ୍ତି। କିନ୍ତୁ ସରକାର ଆଜି ଉତ୍ପାଦନ ଶୁଳ୍କ ବୃଦ୍ଧି କରିବା ଫଳରେ ଯେଉଁ ଅଧିକ ସମ୍ବଳ ସଂଗ୍ରହ କରିବେ ତାହାକୁ ଭିତ୍ତିଭୂମି ଓ ଅନ୍ୟାନ୍ୟ ବିକାଶ ମୂଳକ କାର୍ଯ୍ୟରେ ବିନିଯୋଗ କରିବେ ବୋଲି କହିଛନ୍ତି। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲର ବ୍ୟାରେଲ ପିଛା ଦର ଗତ ଜାନୁଆରିଠାରୁ ଇତିମଧ୍ୟରେ ପାଖାପାଖି ଅଧାଅଧି କମିଯାଇଛି। ଏବେ ଅଶୋଧିତ ତେଲ ଦର ବ୍ୟାରେଲ ପିଛା ୩୨ ଡଲାର ରହିଛି। ଏଥିଯୋଗୁଁ ଦିଲ୍ଲୀରେ ପେଟ୍ରୋଲ ଦର ଲିଟର ପିଛା ଦର ଜାନୁଆରି ୧୧ରୁ ମାର୍ଚ୍ଚ ୧୪ ମଧ୍ୟରେ ୬ ଟଙ୍କା ହ୍ରାସ ପାଇ ୬୯ ଟଙ୍କା ୮୭ ପଇସା ରହିଛି। ସେହିଭଳି ଏହି ସମୟ ମଧ୍ୟରେ ଡିଜେଲ ଦର ୬ ଟଙ୍କା କମି ୬୨ ଟଙ୍କା ୫୮ ପଇସା ରହିଛି। କେନ୍ଦ୍ର ସରକାର ଏବେ ଉତ୍ପାଦନ ଶୁଳ୍କ ବୃଦ୍ଧି କରିଥିବାରୁ ଆଗାମୀ ଦିନରେ ରାଜ୍ୟ ସରକାର ଭାଟ୍ ମଧ୍ୟ ବଢ଼ାଇବା ସମ୍ଭାବନା ରହିଛି। ଯଦି ଏହା ହୁଏ ତାହେଲେ ଆଗାମୀ ଦିନରେ ଅଶୋଧିତ ତେଲ ଦର ହ୍ରାସର ଫାଇଦା ରାଜ୍ୟ ସରକାରମାନେ ନେବା ମଧ୍ୟ ଆରମ୍ଭ କରିବେ।