ବାଂଲାଦେଶକୁ ଚାଉଳ, ଚିନି ଚୋରାଚାଲାଣ

ବିଏସ୍‌ଏଫ୍‌ ସହ ଆଲୋଚନା

ନୂଆଦିଲ୍ଲୀ: ପଡ଼ୋଶୀ ଦେଶ ବାଂଲାଦେଶକୁ ଚାଉଳ ଓ ଚିନି ଚୋରାଚାଲାଣରେ ବୃଦ୍ଧି ଘଟିଥିବାରୁ ସରକାର ଚିନ୍ତିତ ହୋଇପଡ଼ିଛନ୍ତି। କିଛି ଦିନ ପୂର୍ବେ ଅଣ ବାସମତି ଧଳା ଚାଉଳ ରପ୍ତାନି ଉପରେ ସରକାର କଟକଣା ଲଗାଇଥି‌େଲ। ଗତବର୍ଷ ଅକ୍ଟୋବର ପରଠାରୁ ଚିନି ରପ୍ତାନିକୁ ମୁକ୍ତ ବର୍ଗରୁ ଆଣି ‘ନିଷିଦ୍ଧ’ ବର୍ଗରେ ସାମିଲ କରାଯାଇଛି। ଏକ ନିୟୁତ ଟନ୍ ଚିନି ଦେବା ଲାଗି ବାଂଲାଦେଶ ସରକାର ଭାରତକୁ ଅନୁରୋଧ କରିଥିଲେ। ସେହି ଅନୁରୋଧକୁ ଭାରତ ପ୍ରତ୍ୟାଖାନ କରିଥିଲା। ଦେଶ ଭିତରେ ଚିନି ଓ ଚାଉଳର ଯେଭଳି କୌଣସି ଅଭାବ ଦେଖାନଦିଏ ତାହା ନିଶ୍ଚିତ କରିବା ଲାଗି ସରକାର ଏହି ପଦକ୍ଷେପ ନେଇଥିଲେ।

ତେବେ କଟକଣା ସତ୍ତ୍ବେ ସୀମାରେଖା ଦେଇ ବିପୁଳ ପରିମାଣର ଚାଉଳ ଓ ଚିନି ବାଂଲାଦେଶକୁ ଚୋରାଚାଲାଣ ହେଉଛି। ଯଦି ଏହି ଧାରା ବଜାୟ ରହିବ ତେବେ ଦେଶରେ ଏହି ଦୁଇ ପ୍ରକାର ସାମଗ୍ରୀର ମୂଲ୍ୟ ବୃଦ୍ଧି ହେବା ଆଶଙ୍କା ରହିଛି। ତାହାକୁ ଦୃଷ୍ଟିରେ ରଖି ସରକାର ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌) ଓ ସୀମା ଶୁଳ୍କ ବିଭାଗର ଅଧିକାରୀମାନଙ୍କ ସହ ବିସ୍ତୃତ ଆଲୋଚନା କରିଛନ୍ତି। ବାଂଲାଦେଶ ସହ ଭାରତର ଥିବା ୪୦୯୬ କିମି ସୀମାରେଖାର ସୁରକ୍ଷାରେ ମୂତୟନ ଥିବା ଅଧିକାରୀମାନଙ୍କୁ ସଜାଗ ରହିବାକୁ କୁହାଯାଇଛି। ଚୋରାଚାଲାଣ କିଭଳି ରୋକାଯାଇପାରିବ ତାହାର ବାଟ ଦେଖାଇବାକୁ ମଧ୍ୟ ସେମାନଙ୍କୁ କୁହାଯାଇଛି।

ଚିନି ବ୍ୟବସାୟ ବିଶେଷଜ୍ଞଙ୍କ ମତରେ ଯଦି ୩-୪ ଲକ୍ଷ ଟନ୍ ଚିନି ଚୋରାଚାଲାଣ ହୋଇ ଦେଶ ବାହାରକୁ ଚାଲିଯିବ ତେବେ ଭାରତକୁ ବିଶେଷ ଫରକ ପଡ଼ିବ ନାହିଁ। କାରଣ ଦେଶରେ ପ୍ରାୟ ୩୩ ନିୟୁତ ଟନ୍ ଚିନି ଉତ୍ପାଦନ ହେଉଥିବା ‌େ‌ବଳେ ୨୭ ନିୟୁତ ଟନ୍ ବ୍ୟବହାର ହେଉଛି। ତାମିଲନାଡୁ ଓ କର୍ଣ୍ଣାଟକର ଚିନି କଳଗୁଡ଼ିକରେ ଚିନି ଉତ୍ପାଦନ ପ୍ରକ୍ରିୟା ଆରମ୍ଭ ହୋଇଗଲାଣି। ‌େଦଶ ଭିତରେ ଚିନି ଅଭାବ ଭଳି ସ୍ଥିତି ସୃଷ୍ଟି ହେବାର ଆଶଙ୍କା କମ୍। ତେବେ ଘରୋଇ ବଜାରରେ ଚାଉଳରେ ହେଉଥିବା ବୃଦ୍ଧି ରପ୍ତାନି କଟକଣା ସତ୍ତ୍ବେ ଜାରି ରହିବା ଚିନ୍ତାର କାରଣ ପାଲଟିଛି।

ସମ୍ବନ୍ଧିତ ଖବର