ସବୁ ରାଜ୍ୟରେ ଶିକ୍ଷକଙ୍କ ଦକ୍ଷତା ବିକାଶ ପାଇଁ ବ୍ୟବସ୍ଥା ହେବ: ଧର୍ମେନ୍ଦ୍ର
ଅଖିଳ ଭାରତୀୟ ଶିକ୍ଷା ସମ୍ପାନର ଉଦ୍ଯାପନୀ ସମାରୋହ
ନୂଆଦିଲ୍ଲୀ/ଭୁବନେଶ୍ୱର: ଶିକ୍ଷା ଏବଂ ଦକ୍ଷତା ବିକାଶ କ୍ଷେତ୍ରରେ ଶିକ୍ଷକଙ୍କ କାପାସିଟି ବିଲ୍ଡିଂ ବୃଦ୍ଧି ପାଇଁ ପ୍ରଶିକ୍ଷଣ ଦେବା ଦିଗରେ ବ୍ୟାପକ ଯୋଜନା ପ୍ରସ୍ତୁତ ହୋଇଛି ବୋଲି ରବିବାର ନୂଆଦିଲ୍ଲୀସ୍ଥିତ ଭାରତ ମଣ୍ଡପମ୍ଠାରେ ଆୟୋଜିତ ଦ୍ବିଦିବସୀୟ ‘ଅଖିଳ ଭାରତୀୟ ଶିକ୍ଷା ସମ୍ପାନ’ର ଉଦ୍ଯାପନୀ ସମାରୋହରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
Sambad is now on WhatsApp
Join and get latest news updates delivered to you via WhatsApp
ଜାତୀୟ ଶିକ୍ଷାନୀତି-୨୦୨୦ ପ୍ରଣୟନର ତୃତୀୟ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଧାନ କହିଛନ୍ତି ଯେ, ଶିକ୍ଷାନୁଷ୍ଠାନ ଏକ ମନ୍ଦିର। ଆମେ ସମସ୍ତେ ଶିକ୍ଷା ପରିବାରର ଏକ ଅଂଶ, ଛାତ୍ରଛାତ୍ରୀମାନଙ୍କ ପ୍ରତି ଥିବା ଆମର ଦାୟିତ୍ୱବୋଧକୁ ସମ୍ପାଦନ କରିବା ଆମର ଦାୟିତ୍ୱ। ଏକବିଂଶ ଶତାବ୍ଦୀରେ ଦେଶକୁ ଆଗକୁ ନେବା ପାଇଁ ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ରରେ ଶିକ୍ଷକଙ୍କ କାପାସିଟି ବିଲ୍ଡିଂ ବଢାଇବା ପାଇଁ ସେମାନଙ୍କୁ ପ୍ରଶିକ୍ଷଣ ଦେବା ଉପରେ ବ୍ୟାପକ ଯୋଜନା ପ୍ରସ୍ତୁତ ହେଉଛି। ଚଳିତ ଶିକ୍ଷାବର୍ଷରେ ୧୦୦ଟି ଡାଇଟ୍ (ଡିଆଇଇଟି)କୁ ଉତ୍କର୍ଷ କେନ୍ଦ୍ରରେ ପରିଣତ କରାଯିବ। ଆମ ଦେଶରେ ୧ କୋଟି ସ୍କୁଲ ଶିକ୍ଷକ ଅଛନ୍ତି। ତାଙ୍କର କ୍ଷମତା ବଢାଇବା ଆମର ପ୍ରାଥମିକତା। ଆମ ଦେଶରେ ୫୦ ହଜାର କଲେଜ ଏବଂ ୧୧୦୦ ବିଶ୍ୱବିଦ୍ୟାଳୟ ତଥା ତତ୍ସହ ଅନୁବନ୍ଧିତ ଅନେକ ଶିକ୍ଷାନୁଷ୍ଠାନ ଅଛି। ଏହାକୁ ଗତି ଦେବା ପାଇଁ ୟୁଜିସି ଓ ଉଚ୍ଚ ଶିକ୍ଷାନୁଷ୍ଠାନ ବିଭାଗ ପ୍ରାରମ୍ଭରେ ମାଲବୀୟ ମିସନ ଅନ୍ତର୍ଗତ ସବୁ ରାଜ୍ୟରେ ଉଚ୍ଚ ଶିକ୍ଷା କ୍ଷେତ୍ରର ଶିକ୍ଷକମାନଙ୍କ ପାଇଁ କାପାସିଟି ବିଲ୍ଡିଂ ନିମନ୍ତେ ବ୍ୟବସ୍ଥା କରାଯିବ। ଏହାବ୍ୟତୀତ ଏକବିଂଶ ଶତାବ୍ଦୀର ନୂଆପିଢି ନିମନ୍ତେ ସ୍କୁଲ୍ ଶିକ୍ଷା ପାଇଁ ୧୦୦ଟି, ଉଚ୍ଚଶିକ୍ଷାନୁଷ୍ଠାନ ପାଇଁ ୧୦୦ଟି ଏବଂ ଦକ୍ଷତା ପରିସଂସ୍ଥାନ କ୍ଷେତ୍ରରେ ୧୦୦ଟି ଟ୍ରେନର ଟ୍ରେନିଂ ଇନଷ୍ଟିଚ୍ୟୁସନ ଏବଂ ଟିଚର୍ କାପାସିଟି ବଲ୍ଡିଂ ଇନଷ୍ଟ୍ୟୁଚେସନ ପ୍ରତିଷ୍ଠା କରିବା ଲାଗି ଭାରତ ସରକାର କାମ କରୁଛନ୍ତି।
ଜାତୀୟ ଶିକ୍ଷା ନୀତି କ୍ରିୟାନ୍ୱୟନର ପ୍ରାରମ୍ଭିକ ପ୍ରୟୋଗଶାଳା ହେବ ପିଏମ୍ଶ୍ରୀ ସ୍କୁଲ
ବିଶ୍ୱ ସମସ୍ୟାର ସମାଧାନର ରାସ୍ତା ବାହାର କରିବା ଏବଂ ଭାରତକୁ ଜ୍ଞାନ ଆଧାରିତ ଅର୍ଥନୀତିରେ ପରିଣତ କରିବା ପାଇଁ ନୂଆ ଶିକ୍ଷା ନୀତି ଏକ ମାଧ୍ୟମ
ମୋଦୀ ସରକାରରେ ଶିକ୍ଷା କ୍ଷେତ୍ରରେ ଜିଡିପିର ୪.୬୭ ପ୍ରତିଶତ ନିବେଶ ବୃଦ୍ଧି ପାଇଛି
ଜାତୀୟ ଶିକ୍ଷା ନୀତି ଏପରି ଏକ ଦସ୍ତାବିଜ, ଯାହା ଦେଶର ଶିକ୍ଷା ବ୍ୟବସ୍ଥାକୁ ପରିବର୍ତ୍ତନ କରିବାର କ୍ଷମତା ରଖିଛି। ଦେଶକୁ ୫ ଟ୍ରିଲିୟନ ଡଲାର ଅର୍ଥନୀତିରେ ପରିଣତ କରିବାକୁ ହେଲେ ଏହି ଶିକ୍ଷାନୀତିକୁ କ୍ରିୟାନ୍ୱୟନ କରିବାକୁ ପଡିବ। ବିଶ୍ୱ ସମସ୍ୟା ସମାଧାନର ରାସ୍ତା ବାହାର କରିବା ହେଉ କିମ୍ବା ଦେଶକୁ ଜ୍ଞାନ ଆଧାରିତ ଅର୍ଥନୀତିରେ ପରିଣତ କରିବା ପାଇଁ ନୂଆ ଶିକ୍ଷା ନୀତିକୁ ଲାଗୁ କରିବା ପାଇଁ ପଡିବ। ସେହିପରି ପିଏମ୍ଶ୍ରୀ ସ୍କୁଲ ଜାତୀୟ ଶିକ୍ଷା ନୀତି କ୍ରିୟାନ୍ୱୟନର ପ୍ରାରମ୍ଭିକ ପ୍ରୟୋଗଶାଳା ହେବ। ଏହି ସ୍କୁଲକୁ ସଫଳ କରିବା ପାଇଁ ଉଚ୍ଚ ଶିକ୍ଷାନୁଷ୍ଠାନ ସମେତ ସମସ୍ତଙ୍କର ସହଯୋଗ ଆବଶ୍ୟକ। ପିଏମ୍ଶ୍ରୀ ସ୍କୁଲ ଶିକ୍ଷାର ଏକ ବୃହତ୍ ବ୍ୟବସ୍ଥା। ଦେଶର ଉଚ୍ଚ ଶିକ୍ଷାନୁଷ୍ଠାନଗୁଡିକ ଏହାର ଦାୟିତ୍ୱ ନେବା ଉଚିତ। ଏହାବ୍ୟତୀତ ମୋଦୀ ସରକାରରେ ଦେଶରେ ଶିକ୍ଷା ବ୍ୟବସ୍ଥାରେ ରେକର୍ଡସଂଖ୍ୟକ ଅର୍ଥ ବରାଦ ହୋଇଛି। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଶିକ୍ଷା କ୍ଷେତ୍ରରେ ଜିଡିପିର ୪.୬୭ ପ୍ରତିଶତ ନିବେଶ ବୃଦ୍ଧି ପାଇଛି। ପିଲାମାନଙ୍କୁ ଶିକ୍ଷା ଓ ଦକ୍ଷତା କ୍ଷେତ୍ରରେ ଉତ୍ତମ ସୁବିଧା ପ୍ରଦାନ କରିବା, ଗବେଷଣା ପାଇଁ ତଥା ଆନୁଷଙ୍ଗିକ ବ୍ୟବସ୍ଥା ପାଇଁ ଦାୟିତ୍ୱ ନିଆଯାଇଛି। ଦେଶରେ ଶିଶୁଙ୍କ ସାମଗ୍ରିକ ବିକାଶକୁ ଜାତୀୟ ଶିକ୍ଷା ନୀତିରେ ଗୁରୁତ୍ୱ ଦିଆଯାଇଛି। ବାଲବାଟିକାର ଶୁଭାରମ୍ଭ କରାଯାଇଛି। ପ୍ରଥମ ଥର ପାଇଁ ପ୍ରାରମ୍ଭିକ ଶିଶୁ ଯତ୍ନ ଏବଂ ଶିକ୍ଷା (ଇସିସିଇ) ଆନୁଷ୍ଠାନିକ ବିଦ୍ୟାଳୟ ଶିକ୍ଷା ବ୍ୟବସ୍ଥାରେ ସମନ୍ୱିତ ହୋଇଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।
ଶିକ୍ଷା ସମ୍ପାନରେ ଛାତ୍ରଛାତ୍ରୀ, ଅଭିଭାବକ ଏବଂ ଶିକ୍ଷା ସମାଜର ସମର୍ଥନ ଉତ୍ସାହଜନକ। ଅଖିଳ ଭାରତୀୟ ଶିକ୍ଷା ସମ୍ପାନକୁ ଏକ ଅନୁଷ୍ଠାନରେ ପରିଣତ କରିବା ପାଇଁ ସମସ୍ତେ ଉଦ୍ୟମ କରିବା ପାଇଁ ଶ୍ରୀ ପ୍ରଧାନ ଆହ୍ୱାନ କରିଛନ୍ତି। ଏହି ଦୁଇ ଦିନିଆ କାର୍ଯ୍ୟକ୍ରମରେ ସ୍କୁଲ, ଉଚ୍ଚଶିକ୍ଷାନୁଷ୍ଠାନ ଓ ସ୍କିଲିଂ କ୍ଷେତ୍ରରେ ୧୦୬ଟି ଗୁରୁତ୍ୱପୂର୍ଣ୍ଣ ଏମ୍ଓୟୁ ମଧ୍ୟ ସ୍ୱାକ୍ଷରିତ ହୋଇଛି। ଏହି ଉପଲକ୍ଷେ ଆୟୋଜିତ ପ୍ରଦର୍ଶନୀରେ ପ୍ରାୟ ୨ ଲକ୍ଷ ଛାତ୍ରଛାତ୍ରୀ ତଥା ଶିକ୍ଷା ଓ ଦକ୍ଷତା ବିକାଶ ବିଭାଗର ପ୍ରତିନିଧିମାନେ ଉପସ୍ଥିତ ଥିଲେ।