ଅଗ୍ରୀମ ଟଙ୍କା ନଫେରାଇଥିବା ଅଭିଯୋଗରେ ନୃତ୍ୟଶିଳ୍ପୀ ସପ୍‌ନା ଚୌଧୁରୀଙ୍କ ନାମରେ ଗିରଫ ପରୱାନା ଜାରି

ଲକ୍ଷ୍ନୌ: ୨୦୧୮ ମସିହାରେ ସ୍ଥିର ହୋଇଥିବା ଏକ ନୃତ୍ୟ ଉତ୍ସବ ପାଇଁ ନେଇଥିବା ଟିକେଟ୍‌ ଟଙ୍କା ଫେରସ୍ତ ନକରିବା ଅଭିଯୋଗରେ ନୃତ୍ୟଶିଳ୍ପୀ ସପ୍‌ନା ଚୌଧୁରୀଙ୍କ ନାମରେ ଲକ୍ଷ୍ନୌ କୋର୍ଟ ପକ୍ଷରୁ ସୋମବାର ଗିରଫ ପରୱାନା ଜାରି ହୋଇଛି। ଅଭିଯୋଗ ହୋଇଛି ଯେ ସପ୍‌ନା ଯେଉଁ ଉତ୍ସବରେ ନାଚିବେ ବୋଲି ଟଙ୍କା ନେଇଥିଲେ, ପରବର୍ତ୍ତୀ ସମୟରେ ସେଠାରେ ନୃତ୍ୟ ପ୍ରଦର୍ଶନ କରିନଥିଲେ କି ନେଇଥିବା ଟଙ୍କା ବି ଫେରାଇ ନଥିଲେ।

ତାଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୩୦ ତାରିଖରେ ହେବ ବୋଲି ଅତିରିକ୍ତ ମୁଖ୍ୟ ବିଚାରବିଭାଗୀୟ ମାଜିଷ୍ଟ୍ରେଟ୍‌ ଶାନ୍ତ୍ବନୁ ତ୍ୟାଗୀ ସୂଚନା ଦେଇଛନ୍ତି।

ଏହି ମାମଲାକୁ ନେଇ ପୂର୍ବରୁ ୨୦୨୧ ମସିହାରେ ସପ୍‌ନାଙ୍କ ବିରୋଧରେ ଗିରଫ ପରୱାନା ଜାରି ହୋଇଥିଲା। ସପ୍‌ନା ସେ ସମୟରେ କୋର୍ଟରେ ହାଜର ହୋଇ ଜାମିନ୍‌ ପାଇଥିଲେ। ତାଙ୍କୁ ପୁଣି ଥରେ ଗତ ସୋମବାର କୋର୍ଟରେ ହାଜର ହେବାର ଥିଲା। ମାତ୍ର ସପ୍‌ନା କୋର୍ଟରେ ହାଜର ହୋଇନଥିଲେ କି ତାଙ୍କ ଓକିଲଙ୍କ ପକ୍ଷରୁ କୌଣସି କାରଣ ମଧ୍ୟ ଦର୍ଶାଯାଇ ନାହିଁ। ଏହି କାରଣରୁ ଅଦାଲତ ପୁଣି ଥରେ ତାଙ୍କ ବିରୋଧରେ ଗିରଫ ପରୱାନା ଜାରି କରିଛନ୍ତି।

ଏହି ମାମଲାକୁ ନେଇ ୨୦୧୮ ମସିହା ଅକ୍ଟୋବର ୧୪ ତାରିଖରେ ଆସିଆନା ପୁଲିସ୍‌ ଷ୍ଟେସନ୍‌ରେ ସପ୍‌ନାଙ୍କ ନାମରେ ମାମଲା ରୁଜୁ କରିଥିଲେ ସବ୍‌-ଇନ୍‌ସ୍ପେକ୍ଟର ଫିରୋଜ ଖାନ୍‌। ଚୌଧୁରୀଙ୍କ ବ୍ୟତୀତ ଉକ୍ତ ନୃତ୍ୟ ଉତ୍ସବର ଆୟୋଜକ ଜୁନେଦ୍‌ ଅହମ୍ମଦ, ନବୀନ ଶର୍ମା, ଇୱାଦ ଅଲ୍ଲୀ, ଅମିତ ପାଣ୍ଡେ ଓ ରତ୍ନାକର ଉପାଧ୍ୟାୟଙ୍କ ବିରୋଧରେ ବି ମାମଲା ରୁଜୁ ହୋଇଥିଲା।

ସମ୍ବନ୍ଧିତ ଖବର