ମୁମ୍ବାଇ: ୩ ବର୍ଷର ପିଲାକୁ ୭ ତାଲା ଉପରୁ ତଳକୁ ପକାଇ ହତ୍ୟା ଅଭିଯୋଗ

ମୁମ୍ବାଇ: ମୁମ୍ବାଇର କୋଲାବା ଅଞ୍ଚଳରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଶନିବାର ସଂଧ୍ୟାରେ ଜଣେ ୩ ବର୍ଷୀୟ ଶିଶୁକୁ ଏକ ଆପାର୍ଟମେଣ୍ଟ୍‌ର ୭ ତାଲା ଉପରୁ ତଳକୁ ଫୋପାଡ଼ି ଦେବା ପରେ ଶିଶୁଟିର ମୃତ୍ୟୁ ଘଟିଛି। ଏପରି ବର୍ବର କାଣ୍ଡ ଶିଶୁଟର ବାପାଙ୍କ ବନ୍ଧୁ କରିଥିବା ଅଭିଯୋଗ ହୋଇଛି। ଶିଶୁଟିକୁ ଫୋପାଡ଼ି ଦେବା ପରେ ସେ ବିଲ୍ଡିଂ ତଳେ ପାର୍କ ହୋଇଥିବା ଏକ କାର୍‌ ଉପରେ ପଡ଼ି ଛେଚି ହୋଇ ଜୀବନ ଯାଇଥିବା ସୂଚନା ରହିଛି। ସଂଧ୍ୟା ୭.୩୦ ସମୟରେ ଏପରି ଘଟିଛି।

ସ୍ଥାନୀୟ ଲୋକମାନେ ଘଟଣା ଘଟିବା ପରେ ଶିଶୁଟିକୁ ସେଣ୍ଟ୍‌ ଜର୍ଜ ହସ୍ପିଟାଲ୍‌କୁ ଚିକିତ୍ସା ପାଇଁ ନେଇ ଯାଇଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଶିଶୁଟିର ମୃତ୍ୟୁ ହୋଇଛି। ଏହି କଅଁଳା ଶିଶୁର ଜଣେ ଯମଜ ଭଉଣୀ ଥିବା ସୂଚନା ରହିଛି।

ଅଭିଯୁକ୍ତଙ୍କ ନାମ ଅନୀଲ ଚୁକାନି। ତେବେ ଅନୀଲ କାହିଁକି ଏପରି ନିଜ ବନ୍ଧୁଙ୍କ ପିଲାକୁ ହତ୍ୟା କରିଛନ୍ତି ତାହାର କାରଣ ଏଯାବତ୍‌ ସ୍ପଷ୍ଟ ହୋଇନାହିଁ। ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର