ଭଡ଼ାଟିଆ ଗୁଣ୍ଡା ଲଗାଇ ୩ ଭାଇଙ୍କୁ ହାଣିଲା

ଖଣ୍ଡଗିରି: ଜମିବାଡ଼ିକୁ କେନ୍ଦ୍ର କରି ଆଜି ସକାଳ ପ୍ରାୟ ୯ଟାବେଳେ ସ୍ଥାନୀୟ ପାତ୍ରପଡ଼ାସ୍ଥିତ ବୃନ୍ଦାବନ ଭିଲ୍ଲାରେ ଘଟିଛି ଅଭାବନୀୟ ଘଟଣା। ସାବତ ମା’ ପେଟରୁ ଜନ୍ମିତ ସାନ ଭାଇ ବିଦ୍ୟୁତ୍ ପଟ୍ଟନାୟକ ଓରଫ୍ ବାପୁନି ଭଡ଼ାଟିଆ ଗୁଣ୍ଡା ଲଗାଇ ୩ ବଡ଼ ଭାଇ ବିନୋଦ, ବିଶ୍ବ ଓ ବନଙ୍କୁ ପ୍ରାଣାନ୍ତକ ଆକ୍ରମଣ କରିଛି। ବଡ଼ ଭାଇ ବିନୋଦ ଓ ବିଶ୍ବ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ବିନୋଦଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ ଆଇସିୟୁରେ ଭର୍ତି କରାଯାଇଛି। ଖଣ୍ଡଗିରି ଥାନା ପୁଲିସ ଅଭିଯୁକ୍ତ ବାପୁନି ଓ ତା ସହିତ ଥିବା ଜଣେ ଭଡ଼ାଟିଆ ଗୁଣ୍ଡାକୁ ଥାନାରେ ଅଟକ ରଖିଛି। ଅନ୍ୟ ଆକ୍ରମଣକାରୀମାନେ ଖସି ପଳାଇଛନ୍ତି ଓ ପୁଲିସ ସେମାନଙ୍କୁ ଗିରଫ କରିବା ପାଇଁ ଉଦ୍ୟମ ଜାରି ରଖିଛି। ବିନୋଦଙ୍କ ସ୍ତ୍ରୀ କାମିନୀଙ୍କ ଅଭିଯୋଗ ଅନୁସାରେ ବାପୁନି ଓ ତା ସହ ଆସିଥିବା ପ୍ରାୟ ୧୦ ଜଣ ଗୁଣ୍ଡା ବୃନ୍ଦାବନ ଭିଲ୍ଲା ଫ୍ଲାଟ ନମ୍ବର-୨୦୨୧ରେ ପହଞ୍ଚିଥିଲେ। ବାପୁନି କବାଟ ବାଡ଼େଇବାରୁ ତାଙ୍କ ସ୍ବାମୀ ବିନୋଦ ବାହାରି ଆସିଥିଲେ। କିଛି ବୁଝିବା ପୂର୍ବରୁ ବାପୁନି ଓ ଗୁଣ୍ଡାମାନେ ତାଙ୍କୁ ଖଣ୍ଡା ଫାର୍ସା ଓ ଭୁଜାଲିରେ ଅତର୍କିତ ଆକ୍ରମଣ କରିଥିଲେ। ତାଙ୍କ ଚିତ୍କାର ଶୁଣି କାମିନୀ ଓ ଦୁଇ ଭାଇ ବନ ବିହାରୀ, ବିଶ୍ବବିହାରୀ ଘର ଭିତରୁ ବାହାରି ଆସିଥିଲେ। ଗୁଣ୍ଡାମାନଙ୍କ ଆକ୍ରମଣରେ ବିନୋଦଙ୍କ ମୁଣ୍ଡରେ ଗଭୀର କ୍ଷତ ସୃଷ୍ଟି ହୋଇଥିବାବେଳେ ବିଶ୍ବଙ୍କ ଗୋଡ଼ କ୍ଷତିଗ୍ରସ୍ତ ହୋଇଛି। ଆହତଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ବାପୁନି ଓ ଅନ୍ୟ ଜଣଙ୍କୁ ଗୋଡ଼ାଇ କାବୁ କରିନେଇଥିଲେ। ପରେ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କ କବଳରୁ ବାପୁନି ଓ ଅନ୍ୟ ଯୁବକକୁ ଉଦ୍ଧାର କରି ଥାନାକୁ ନେଇଥିଲା। ଉଲ୍ଲେଖଯୋଗ୍ୟ ଯେ ରଣପୁର ଅଞ୍ଚଳର ବିଶିଷ୍ଟ ଠିକାଦାର ବ୍ରଜକିଶୋର ସୁମନ୍ତ ପଟ୍ଟନାୟକଙ୍କ ସମ୍ପତ୍ତି ବଣ୍ଟନକୁ ନେଇ ପ୍ରଥମ ସ୍ତ୍ରୀଙ୍କ ୩ ପୁଅ ବିନୋଦ, ବିଶ୍ବ, ବନ ଓ ଦ୍ବିତୀୟ ସ୍ତ୍ରୀଙ୍କ ପୁଅ ବାପୁନି ମଧ୍ୟରେ ବହୁ ଦିନ ହେଲା ବିବାଦ ଲାଗି ରହିଛି। ମାମଲା ଏବେ କୋର୍ଟରେ ବିଚାରାଧୀନ ରହିଛି।

ସମ୍ବନ୍ଧିତ ଖବର