ବାଲି ମାଫିଆଙ୍କୁ ନେଇ ଷ୍ଟିଙ୍ଗ ଅପରେସନ୍‌ କରିଥିବାରୁ ସାମ୍ବାଦିକଙ୍କୁ ଟ୍ରକ ଚଢ଼ାଇ ହତ୍ୟା

ଭିଣ୍ଡ୍‌ : ବେଆଇନ୍‌ ଭାବରେ ଚୋରା ବାଲି ଚାଲାଣକୁ ନେଇ ସ୍ୱର ଉତ୍ତୋଳନ କରିବା ପଡ଼ିଛି ମହଙ୍ଗା । ବାଲି ମାଫିଆଙ୍କ ଉପରେ ଷ୍ଟିଙ୍ଗ ଅପରେସନ କରିଥିବାରୁ ୩୫ ବର୍ଷିୟ ସାମ୍ବାଦିକ ସନ୍ଦୀପ ଶର୍ମାଙ୍କୁ ହତ୍ୟା କରାଯିବାର ଅଭିଯୋଗ ହୋଇଛି । ସୋମବାର ସକାଳେ ସେ ବାଇକ୍‌ ଯୋଗେ ବାହାରକୁ ଯାଉଥିବା ବେଳେ ଗୋଟିଏ ଟ୍ରକ ତାଙ୍କୁ ପଛପଟୁ ଧକା ଦେଇଥିଲା । ସଙ୍ଗେ ସଙ୍ଗେ ତାଙ୍କୁ ଡ଼ାକ୍ତରଖାନା ନିଆ ଯାଇଥିଲେ ମଧ୍ୟ ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣା ପଡ଼ିଛି । ପୁଲିସ ଟ୍ରକ୍‌କୁ ଜବତ କରିଥିବା ବେଳେ ଚାଳକ ଜଣଙ୍କ ଫେରାର ଥିବା ଜଣା ପଡ଼ିଛି । ଘଟଣାଟି ପୁଲିସ ଷ୍ଟେସନ ପାଖାପାଖି ଘଟିଥିବା ବେଳେ ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ସନ୍ଦୀପ୍‌ଙ୍କୁ ଡ଼ାକ୍ତରଖାନା ନେଇଥିଲେ ।

ସୂଚନା ମୁତାବକ, ଚୋରା ବାଲି ଚାଲାଣକୁ ନେଇ ସନ୍ଦୀପ ଷ୍ଟିଙ୍ଗ ଅପରେସନ କରିଥିବାରୁ ବାଲି ମାଫିଆମାନେ ତାଙ୍କୁ ମାରିବାର ଧମକ ଦେଇଥିଲୋ ଏ ନେଇ ସନ୍ଦୀପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ୍‌ଙ୍କୁ ସାହାଯ୍ୟ ପାଇଁ ଚିଠି ଲେଖିଥିଲେ । କିନ୍ତୁ ସରକାରଙ୍କ ତରଫରୁ ତାଙ୍କ ପାଇଁ କୌଣସି ସାହାଯ୍ୟ ଯୋଗାଇ ଦିଆ ଯାଇ ନଥିଲା । ସୋମବାର କାମରେ ସେ ବାହାରକୁ ଯାଇଥିବା ବେଳେ ଏକ ଟ୍ରକ ତାଙ୍କୁ ପଛପଟୁ ଧକା ଦେଇଥିଲା । ଏହି ପୂରା ଘଟଣାଟି ଲାଗିଥିବା ସିସିଟିଭିରେ କଏଦ୍‌ ହୋଇଥିବା ବେଳେ ଭିଡ଼ିଓରୁ ଏହା ହତ୍ୟା ବୋଲି ସନ୍ଦେହ କରାଯାଉଛି । ପୁଲିସ ସବୁ ଦିଗକୁ ଦେଖି ତଦନ୍ତ ଆରମ୍ଭ କରିଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର