୩ ମହିଳାଙ୍କ ସମେତ ୭ ଗିରଫ

ଅବକାରୀ ଫ୍ଲାଇଂ ସ୍କ୍ଵାଡ୍‌ର ଚଢ଼ଉ

ଖଣ୍ଡଗିରି: ଫ୍ଲାଇଂ ସ୍କ୍ଵାଡ୍‌ ଓ ଭୁବନେଶ୍ୱର ଅବକାରୀ ଟିମ୍‌ର ମିଳିତ ଚଢ଼ଉ ଯୋଗୁଁ ମଙ୍ଗଳବାର ଚନ୍ଦକା ଓ ନୂଆପଲ୍ଲୀ ଥାନା ଅଞ୍ଚଳରୁ ୩ ମହିଳାଙ୍କ ସମତେ ୭ ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କଠାରୁ ବିପୁଳ ପରିମାଣର(୧୦୫ ଲିଟର ମଦ ଓ ୧୦ କେଜି ପୋଚ) ଦେଶୀ ମଦ ଓ ପୋଚ ଜବତ କରାଯାଇଛି। ଗିରଫ ଚୋରା ମଦ ବେପାରୀଙ୍କ ଭିତରେ ରହିଛି ଚନ୍ଦକା ଅଙ୍ଗାରପଡ଼ା ଅଞ୍ଚଳର କୁଖ୍ୟାତ ମଦ ମାଫିଆ ଅଭି ସାହୁ(୪୫)। ଅବକାରୀ ଟିମ୍‌ ଅଭି ସାହୁ ସହ ତାଙ୍କ ସ୍ତ୍ରୀ ମମତାଙ୍କୁ ମଧ୍ୟ ଗିରଫ କରି କୋର୍ଟ ଚାଲାଣ କରିଛି।

ସୂଚନାନୁସାରେ ଚନ୍ଦକା ଥାନା ଅଙ୍ଗାରପଡ଼ା, ମହୁଲ, ମଧୁପୁର, ମାଜଣା ଓ ଛତାବର ଅଞ୍ଚଳରେ ବ୍ୟାପକ ଚୋରା ଦେଶୀ ମଦ କାରବାର ହେଉଥିବା ନେଇ ଅଭିଯୋଗ ହୋଇ ଆସୁଥିଲା। ମଦ ମାଫିଆ ଅଭି ସାହୁ ଏହି କାରବାରର ମୁଖିଆ ବୋଲି ଅବକାରୀ ବିଭାଗ ନିକଟରେ ଅଭିଯୋଗ ଥିଲା। ପୂର୍ବରୁ ଅବକାରୀ ବିଭାଗ ଦ୍ୱାରା ବାରମ୍ବାର ଗିରଫ ହୋଇଥିଲେ ବି ଅଭି ସାହୁ ଏହି ବେପାରରୁ ନିବୃତ୍ତ ହୋଇନଥିଲା। ବରଂ ତା ବେପାର ପରିଧି ଚନ୍ଦକାରୁ ଭୁବନେଶ୍ୱରର ବିଭିନ୍ନ ବସ୍ତି ଅଞ୍ଚଳକୁ ବ୍ୟାପିବାରେ ଲାଗିଛି। ଏକ ହତ୍ୟାକାଣ୍ଡରେ ଦୋଷୀ ସାବ୍ୟସ୍ତ ହୋଇ ୧୨ ବର୍ଷ ସଜା କାଟି ଜେଲ୍‌ରୁ ଫେରିବା ପରେ ଅଭି ମଦ କାରବାରକୁ ବେଉସା କରିଆସିଛି। ଏଥିରେ ତା ସ୍ତ୍ରୀ ମମତା ମଧ୍ୟ ସାମିଲ୍‌ ହୋଇଥିବା ନେଇ ଅବକାରୀ ବିଭାଗ ଜାଣିବାକୁ ପାଇଥିଲା। ମଙ୍ଗଳବାର ସକାଳ ପ୍ରାୟ ୮ଟା ବେଳେ କଟକ ଫ୍ଲାଇଂ ସ୍କ୍ଵାଡ୍‌ ଓ ଭୁବନେଶ୍ୱର ଟିମ୍‌ ମିଳିତଭାବେ ପ୍ରଥମେ ମାଜଣାସ୍ଥିତ ଅଭି ସାହୁ ଘରେ ଚଢ଼ଉ କରିଥିଲେ। ସେଠାରୁ ବିପୁଳ ମଦ ସହ ଅଭିର ସ୍କୁଟି(ଓଡି୦୨ଭି-୯୦୯୩)କୁ ଜବତ କରାଯାଇଥିଲା। ଏହା ପରେ ଅଭିର ସୂଚନାନୁସାରେ ଲୋଧାରା ଅଞ୍ଚଳରେ ଚଢ଼ାଉ କରାଯାଇ ମାଳି ବଲ୍ଲଭି(୬୦), ବଲମା ପିଙ୍ଗୁଆ(୫୪) ଓ ଅଙ୍ଗାରପଡ଼ାର ଦିଲ୍ଲୀପ ପ୍ରଧାନ(୪୨)ଙ୍କୁ ଗିରଫ କରାଯାଇଥିଲା। ପରେ ପରେ ନୂଆପଲ୍ଲୀ ଥାନା ସିଆର୍‌ପି ଛକ ନିକଟ ନୀଳକଣ୍ଠନଗର ବସ୍ତି ଓ ମୁଣ୍ଡାସାହି ବସ୍ତିରେ ଚଢ଼ାଉ କରି ବଂଶୀଧର ମୁର୍ମୁ ଓ ନରେନ୍ଦ୍ର ଶିଙ୍କୁକୁ ଗିରଫ କରାଯାଇଥିଲା। ଏହି ଚଢ଼ଉରେ ଡେପୁଟି ସୁପରିନ୍‌ଟେଣ୍ଡେଣ୍ଟ ବିକେ ସିଂ ସାମନ୍ତ, ଇନ୍‌ସ୍ପେକ୍ଟର ଏସ୍‌ ସି ଭଂଜ, ଦେବୀପ୍ରସନ୍ନ ଦାସ, ଏସ୍‌ଆଇ ଅନୀତା ପ୍ରଧାନ, ଡିକେ ଟେଣ୍ଡେଲ୍‌, ବିକେ ନାୟକ, ଏଚ୍‌କେ ସାମନ୍ତ ଓ ଏସ୍‌ ମୁଦୁଲି ପ୍ରମୁଖ ସାମିଲ୍‌ ହୋଇଥିଲେ।

ସମ୍ବନ୍ଧିତ ଖବର