ଖୋର୍ଦ୍ଧାରେ ବେଆଇନ ଲଘୁ ଖଣିଜ ଦ୍ରବ୍ୟ ଧରପଗଡ଼: ୮ ମାସରେ ୧ କୋଟି ୩୬ଲକ୍ଷ ଟଙ୍କା ଜୋରିମାନା ଆଦାୟ

ଖୋର୍ଦ୍ଧା: ବେଆଇନ ଲଘୁ ଖଣିଜ ଦ୍ରବ୍ୟ ଚୋରା ଚାଲାଣ ନେଇ ଗଣମାଧ୍ୟମ ଓ ଏନ୍‌ଜିଟିର ଚାପ ପରେ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି। ଗତ ୮ ମାସ ମଧ୍ୟରେ ଉପଖଣ୍ଡରେ ବିଭିନ୍ନ ସ୍ଥାନରେ ଧରପଗଡ଼ କରାଯାଇ ୬ଟି ତହସିଲରୁ ୧ କୋଟି ୩୬ ଲକ୍ଷ ଟଙ୍କା ଆଦାୟ କରାଯାଇଛି।

ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନାନୁସାରେ, ଆଜି ନାଚୁଣୀ ରାଜସ୍ୱ ବିଭାଗ ପକ୍ଷରୁ ଚଢ଼ଉ କରାଯାଉଥିବା ବେଳେ ଏକ ବେଆଇନ ମାଙ୍କଡ଼ା ପଥର ବୋଝେଇ ଟ୍ରକ୍‌ ଖସିଯିବାକୁ ଉଦ୍ୟମ କରିଥିଲା। ରାଜସ୍ୱ ବିଭାଗ କର୍ମଚାରୀମାନେ ଟ୍ରକ୍ଟିର ପିଛା କରିବାରେ କୋଦଳା ତହସିଲର ସୁମଣ୍ଡଳ ଜଙ୍ଗଲ ନିକଟରେ ଟ୍ରକଟିକୁ ଛାଡ଼ି ଡ୍ରାଇଭର ଓ ହେଲପର ଫେରାର୍‌ ହୋଇଯାଇଥିଲେ। ପରେ ବାଣପୁର ଓ କେଶପୁରରୁ ମେକାନିକ୍‌ ଓ ଚାଳକଙ୍କ ସହଯୋଗରେ ଟ୍ରକଟିକୁ ଜବତ କରାଯାଇ ବାଣପୁର ତହସିଲ କାର୍ଯ୍ୟାଳୟକୁ ଅଣାଯାଇଥିଲା।

ସେହିଭଳି ଗତକାଲି ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇ ଖୋର୍ଦ୍ଧା ତହସିଲରୁ ୪୦ହଜାର ଟଙ୍କା, ଟାଙ୍ଗୀ ତହସିଲରୁ ୪୦ହଜାର ଟଙ୍କା ଓ ବାଣପୁର ତହସିଲରୁ ୧୫ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଥିଲା।

ଏନେଇ ଉପଜିଲ୍ଲାପାଳ ଅଶୋକ କୁମାର ବେଉରିଆ ସୂଚନା ଦେଇ କହିଛନ୍ତି। ଯେ ବେଆଇନ ଲଘୁ ଖଣିଜ ଦ୍ରବ୍ୟ ଚାଲାଣ ରୋକିବା ପାଇଁ ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଉଛି। ଚଳିତ ବର୍ଷ ଏପ୍ରିଲ ୧ ତାରିଖରୁ ବିଭିନ୍ନ ସ୍ଥାନରେ ଚଢ଼ଉକୁ ଜୋରଦାର କରାଯାଇଛି। ଆଜି ସୁଦ୍ଧା ମୋଟ ୧କୋଟି ୩୫ ଲକ୍ଷ ୩୪ ହଜାର ୧୬୨ଟଙ୍କା ଆଦାୟ କରାଯାଇଛି। ଏହା ମଧ୍ୟରୁ ବୋଲଗଡ଼ ତହସିଲରୁ ୫ଲକ୍ଷ ୩୫ହଜାର ୨୯୨ଟଙ୍କା, ଚିଲିକା ତହସିଲରୁ ୫ଲକ୍ଷ ୭୨ହଜାର ୫୮୦ଟଙ୍କା, ବାଣପୁର ତହସଲିରୁ ୧୧ଲକ୍ଷ ୮୯ହଜାର ୫୦୦ଟଙ୍କା, ବେଗୁନିଆରୁ ୩୦ଲକ୍ଷ ୭୨ହଜାର ଟଙ୍କା, ଟାଙ୍ଗୀରୁ ୩୩ ଲକ୍ଷ ୮୬ହଜାର ୨୯୦ଟଙ୍କା ଜୋରିମାନା ଆଦାୟ ହୋଇଥିବା ବେଳେ ଖୋର୍ଦ୍ଧା ତହସିଲରୁ ସର୍ବାଧିକ ୪୭ଲକ୍ଷ ୭୮ହଜାର ୫୦୦ଟଙ୍କା ଆଦାୟ କରାଯାଇଛି।

ସମ୍ବନ୍ଧିତ ଖବର