ଡେଙ୍ଗୁ ଅଣାୟତ୍ତ: ମାଲକାନଗିରି ଜିଲ୍ଲାରେ ୪୭ ଜଣ ସଂକ୍ରମିତ

ମାଲକାନଗିରି: ଏବେ ମାଲକାନଗିରି ଜିଲ୍ଲାରେ ଡେଙ୍ଗୁ ଅଣାୟତ୍ତ। ଜିଲ୍ଲାରେ ପରିମଳ ବ୍ୟବସ୍ଥା ଶୋଚନୀୟ ହୋଇପଡିଥିବା ବେଳେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଜିଲ୍ଲାରେ ଆଜି ସୁଦ୍ଧା ୪୭ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇସାରିଲେଣି। ସବୁଠାରୁ ବେଶୀ ମାଲକାନଗିରି ପୌର ପରିଷଦରେ ୨୭ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଚିତ୍ରକୋଣ୍ଡା ବ୍ଲକରେ ୭ ଜଣ, ମାଲକାନଗିରି ବ୍ଲକରେ ୪ ଜଣ, କାଲିମେଳା ବ୍ଲକରେ ଜଣେ, କୋରକୋଣ୍ଡା ବ୍ଲକରେ ୨ ଜଣ, ମାଥିଲି ବ୍ଲକରେ ୨ ଜଣ, ବାଲିମେଳା ଏନଏସିରେ ଜଣେ ଏବଂ ସୁକମାରେ ୨ ଜଣ ଚିହ୍ନଟ ହୋଇଛନ୍ତି।

ସେହିପରି ଆଜି ସୁଦ୍ଧା ୨୮୦- ଜଣଙ୍କୁ ଡେଙ୍ଗୁ ପରୀକ୍ଷା କରାଯାଇଥିଲା। ମାଲକାନଗିରି ପୌର ପରିଷଦରେ ସଫେଇ କାର୍ଯ୍ୟ ଠିକ ରୂପେ ହେଉନଥିବାରୁ ବିଭିନ୍ନ ସ୍ଥାନରେ ନାଳନର୍ଦମାରେ ପାଣି ଜମି ରହୁଥିବାରୁ ମଶା ସଂଖ୍ୟା ବଢୁଥିବାରୁ ପରିସ୍ଥିତି ଏଭଳି ଉପଜୁଥିବା ଦେଖିବାକୁ ମିଳିଛି। ବ୍ଲକ ଗୁଡିକରେ ମଧ୍ୟ ସଫାସୁତରା ହେଉନଥିବାରୁ ଏଭଳି ସମସ୍ୟା ଉପୁଜୁଥିବା କୁହାଯାଇଛି।

ତେବେ ଏନେଇ ସିଡିଏମଓ ପ୍ରଫୁଲ ନନ୍ଦଙ୍କୁ ପଚରାଯିବାରୁ ସେ ବର୍ତ୍ତମାନ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା କମି ୩ରେ ପହଞ୍ଚିଛି। ମେଡିକାଲରେ ବର୍ତ୍ତମାନ ତିନି ଜଣ ହିଁ ଚିକିତ୍ସିତ ହେଉଛନ୍ତି। ମାଲକାନଗିରିରେ ସର୍ବାଧିକ ରହିଥିବା ବେଳେ ଅନ୍ୟ ବ୍ଲକରେ ଜଣେ କିମ୍ବା ଦୁଇ ଜଣ ରହିଛନ୍ତି ବୋଲି କହିଥିଲେ। ଖଇରପୁଟ ଏବଂ ପଡିଆ ବ୍ଲକରେ ଜଣେ ବି ଡେଙ୍ଗୁ ରୋଗୀ ଚିହ୍ନଟ ହୋଇନାହାନ୍ତି। ସିଡିଏମଓ ଶ୍ରୀ ନନ୍ଦ ଆସନ୍ତାକାଲି ଠାରୁ ଡେଙ୍ଗୁ ସଚେତନତା ରଥ ସହର ପରିକ୍ରମା କରିବା ସହ ଜିଲ୍ଲାରେ ମଧ୍ୟ ବୁଲି ଲୋକଙ୍କୁ ସଚେତନ କରାଇବ ବୋଲି କହିଛନ୍ତି। ସେହିପରି ଆଶା ଏବଂ ଅଂଗନବାଡିଙ୍କ ଦ୍ବାରା ମଧ୍ୟ ସଚେତନ କରାଯାଉଥିବା କୁହାଯାଇଛି। ସମସ୍ତଙ୍କୁ ମଶାରି ପ୍ରଦାନ କରାଯାଇଥିବା ବେଳେ ଡିଡିଟି ସ୍ପ୍ରେ ମଧ୍ୟ କରାଯାଉଥିବା ସିଡିଏମଓ କହିଥିଲେ। ତେବେ ଏହା ବଢିବା ପୂର୍ବରୁ ଲୋକଙ୍କୁ ସଚେତନ କରାଇବା ସହ ମାଲକାନଗିରି ପୌର ପରିଷଦରେ ନାଳ ନର୍ଦମାକୁ ସଫାସୁତରା ରଖିବାକୁ ବିଭିନ୍ନ ମହଲରେ ଦାବି ହୋଇଛି।

 

ସମ୍ବନ୍ଧିତ ଖବର