ଦିବ୍ୟାଙ୍ଗ ଅମ୍ରିତାଙ୍କ ଚିତ୍ରକଳା, ୭୦ଟି ଦେଶରେ ପ୍ରଦର୍ଶନ; ସାଉଁଟିଛନ୍ତି ଅନେକ ସମ୍ମାନ

କଟକ: ଦୃଢ଼ ଇଚ୍ଛାଶକ୍ତି ହିଁ ସଫଳତାର ଶୀର୍ଷରେ ପହଞ୍ଚାଇଥାଏ। ଏହାକୁ ପ୍ରମାଣ କରିଛନ୍ତି କଟକର ଅମ୍ରିତା ଶତପଥୀ। ଦିବ୍ୟାଙ୍ଗ ହେଲେ ବି ତାଙ୍କ ଚିତ୍ରକଳା ଏବଂ ଅନ୍ତର୍ଜାତୀୟସ୍ତରରେ ବି ପ୍ରଶଂସା ସାଉଁଟିଛି। ୭୦ଟି ଦେଶରେ ତାଙ୍କର ଚିତ୍ରକଳା ପ୍ରଦର୍ଶନୀ କରାଯାଇଥିବା ବେଳେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଚିତ୍ର ଆଙ୍କି ସେ ବହୁ ପୁରସ୍କାର ପାଇଛନ୍ତି। କଟକ ଶିଖରପୁର ଉପରସାହିରେ ବାସ କରୁଥିବା ଦେବବ୍ରତ ଶତପଥୀ ଓ ସଶ୍ମିତା ଶତପଥୀଙ୍କ ସାନ ଝିଅ ଅମ୍ରିତାଙ୍କ ବୟସ ୨୩ ବର୍ଷ। ଗଣ୍ତପରପୁର ସ୍ଥିତ ଏଲଆରଡିଏଭି ସ୍କୁଲରେ ଚତୁର୍ଥ ଶ୍ରେଣୀରେ ପାଠ ପଢ଼ୁଥିବା ସମୟରେ ପ୍ରଥମେ ଫିଟ୍‌ସ (ଏପିଲେପ୍ସି) ମାରିବା ଆରମ୍ଭ ହୋଇଥିଲା। ପରେ ପରେ ପକ୍ଷାଘାତ ରୋଗର ଶିକାର ହୋଇଥିବା ବେଳ ସେ ପାଠପଢା ଜାରି ରଖି ପାରି ନଥିଲେ। ଅମ୍ରିତାଙ୍କ ମା’ ଜଣେ ଅଧ୍ୟାପିକା। ଝିଅର ଏପରି ଅବସ୍ଥା ଦେଖି ଚାକିରି ଛାଡ଼ି ସେ ତାଙ୍କର ଚିକିତ୍ସା କରି ଆସୁଛନ୍ତି। ଆଜିକୁ ୧୬ ବର୍ଷ ହେବ ଅମ୍ରିତା ଚିକିତ୍ସାଧୀନ ଅବସ୍ଥାରେ ଘରେ ରହି ଆସୁଛନ୍ତି। ୧୧ବର୍ଷ ତଳେ ସେ ଭିନ୍ନ ଭିନ୍ନ ଚିତ୍ର ଆଙ୍କିବା ଆରମ୍ଭ କରିଥିଲେ। ଝିଅର ଏଭଳି କଳାକୁ ସଶ୍ମିତା ଲକ୍ଷ୍ୟ କରିବା ପରେ ଅମ୍ରିତାଙ୍କୁ ଏନେଇ ସମସ୍ତ ସାମଗ୍ରୀ ଯୋଗାଇଥିଲେ।

Sambad

ଏହାସହ ଚିତ୍ର ଆଙ୍କିବା ନେଇ ଅମ୍ରିତାଙ୍କ ପାଇଁ ତାଲିମ ପ୍ରଦାନର ବ୍ୟବସ୍ଥା କରିଥିଲେ। ଅମ୍ରିତାଙ୍କ ଡ଼ାହାଣ ହାତ ଠିକ୍‌ ଭାବେ କାର୍ଯ୍ୟ କରୁ ନଥିବା ‌ସତ୍ବେ ସେ ଆଙ୍କୁଛନ୍ତି ଆକର୍ଷଣୀୟ ଚିତ୍ର। ତାଙ୍କ ଚିତ୍ର ମଧ୍ୟରେ ରହିଛି କାନଭାସ ପେଣ୍ଟିଙ୍ଗ ଓ କ୍ରାଫ୍ଟ ପେଣ୍ଟିଙ୍ଗ। ବର୍ଜ୍ୟବସ୍ତୁକୁ ବ୍ୟବହାର କରି ସେ ତିଆରି କରୁଛନ୍ତି କଳାକୃତି। ପେଣ୍ଟିଙ୍ଗ କରିବା ପାଇଁ ପ୍ରଥମେ ଅମ୍ରିତାଙ୍କୁ ଦୁଇରୁ ତିନି ଦିନ ସମୟ ଲାଗୁଥିବା ବେଳେ ଏବେ ଶରୀରର ଆଭ୍ୟନ୍ତରୀଣ ଅଙ୍ଗ ପକ୍ଷାଘାତର ଶିକାର ହୋଇ ଆସୁଥିବାରୁ ଅମ୍ରିତାଙ୍କ ପାଇଁ ବସିକି ଚିତ୍ର ଆଙ୍କିବା ମଧ୍ୟ କଷ୍ଟକର ହୋଇପଡ଼ୁଛି। ଅମ୍ରିତାଙ୍କ ନିଶ୍ବାସ ପ୍ରଶ୍ବାସ ନେବାରେ ସମସ୍ୟା ହେଉଥିବାବେଳେ ଅଧିକ ସମୟ ଧରି ବସି ଚିତ୍ର ଆଙ୍କିବ ସମ୍ଭବପର ହୋଇ ପାରୁନ‌ାହିଁ। ପ୍ରାୟ ଛଅ ମାସ ହେବ ଏବେ ଗୋଟିଏ ଚିତ୍ର ଆଙ୍କିବା ପାଇଁ ତାଙ୍କୁ ୧୫ଦିନ ସମୟ ଲାଗୁଛି। ତେବେ ଅମ୍ରିତାଙ୍କୁ ତାଲିମ ଦେବାକୁ ଆସୁଥିବା ଶିକ୍ଷକ ହେମନ୍ତ କୁମାର ଦାସ ଏହି ଚିତ୍ରକୁ ଏକ ଘରୋଇ କମ୍ପାନି ସାହାଯ୍ୟରେ ୭୦ଟି ଦେଶରେ ପ୍ରଦର୍ଶନୀ କରାଇଛନ୍ତି। ଫଳରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ପ୍ରତିଯୋଗିତାରେ ନିଜ ଚିତ୍ର ପ୍ରଦର୍ଶନୀ କରି ସେ ବହୁ ପୁରସ୍କାର ଜିତିବା ସହ ସମ୍ମାନିତ ହୋଇଛନ୍ତି।

Sambad

ଚିତ୍ର ଆଙ୍କି ପାରୁଥିବାରୁ ବହୁତ ଖୁସି
ପାଠପଢ଼ା ଜାରି ରଖି ପାରି ନାହିଁ। ମନରେ ବହୁ ଦୁଃଖ ରହିଛି। ହେଲେ ଚିତ୍ର ଆଙ୍କିବା ଇଚ୍ଛା ରହିଥିବାବେଳେ ଏହାକୁ ଏବେ ପୂରଣ କରିପାରୁଛି। ସେଥିପାଇଁ ଖୁସି ଅନୁଭବ କରୁଛି। କୌଣସି ପ୍ରକାର ସହାୟତା ମିଳି ପାରିଲେ ଏ ଦିଗରେ ଅନେକ କିଛି କରିପାରିବି। ଆଗାମୀ ଦିନରେ ଏକ ପ୍ରଦର୍ଶନୀ ମଧ୍ୟ କରିବାକୁ ଇଚ୍ଛା ରହିଥିବା କହିଛନ୍ତି ଅମ୍ରିତା ଶତପଥୀ।

ଝିଅର ଚିତ୍ରକଳା ପ୍ରଦର୍ଶନୀ କଟକରେ କରିବି
ଅମ୍ରିତା ପାଇଁ କୌଣସି ପ୍ରକାରର ସରକାରୀ ସ୍ତରରେ ସହ‌ଯୋଗ କରାଗଲେ ଝିଅ ଏହି ଚିତ୍ର ଆଙ୍କିବା ଦିଗରେ ଆଗକୁ ବଢ଼ି ପାରିବ। ଏହାସହ ଦିବ୍ୟାଙ୍ଗ ପିଲାଙ୍କ ପାଇଁ ସରକାର ସମସ୍ତ ଜାଗାରେ ହୁଇଲ ଚେୟାରର ସୁବିଧା କରନ୍ତୁ। ଯାହାଫଳରେ ‌ମୋ ଝିଅ ଅମ୍ରିତାର ସମସ୍ତ ଜାଗା ବୁଲି ଦେଖିବାର ଇଚ୍ଛା ପୂରଣ ହୋଇପାରିବ। ଆଗାମୀ ଦିନରେ ଅମ୍ରିତାର ସମସ୍ତ ଚିତ୍ର ଗୁଡ଼ିକୁ ନେଇ ଏକ ପ୍ରଦର୍ଶନୀ କଟକରେ କରିବା ଲକ୍ଷ୍ୟ ରଖିଛନ୍ତି ବୋଲି ଅମ୍ରିତାଙ୍କ ମା’ ସଶ୍ମିତା ଶତପଥୀ କହିଛନ୍ତି।

ସମ୍ବନ୍ଧିତ ଖବର