ଯୋଜନାରେ ରହିଯିବ କର୍ମଜୀବୀ ମହିଳା ହଷ୍ଟେଲ୍‌!

ଶିଳାନ୍ୟାସର ୩ ମାସ ପରେ ବି ଆରମ୍ଭ ହେଲାନି କାମ

କଟକ: ପୌର ନିଗମ ପକ୍ଷରୁ ସହରର ବିଭିନ୍ନ ସରକାରୀ ଓ ବେସରକାରୀ ସଂସ୍ଥାରେ କାମ କରୁଥିବା ମହିଳାଙ୍କ ପାଇଁ ଏକ ସ୍ବତନ୍ତ୍ର ହଷ୍ଟେଲ ନିର୍ମାଣ ହେବ। ଏଥିପାଇଁ ଗତ ଫେବ୍ରୁଆରିରେ ନିଗମ ତରଫରୁ ୱାର୍ଡ ନମ୍ବର ୨୨ର ବେପାରୀସାହିରେ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା। ପାଖାପାଖି ୪ କୋଟି ଟଙ୍କାରେ ଏହା ହେବାକୁ ଥିବା ବେଳେ ଏହାର ନିର୍ମାଣ ଦାୟିତ୍ବ ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମ (ଓଏସ୍‌ଆଇସିକୁ) ଦିଆଯାଇଛି। ଦେଢ଼ବର୍ଷ ମଧ୍ୟରେ ପ୍ରକଳ୍ପ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଥିଲା। ମାତ୍ର ଏହା ମଧ୍ୟରେ ୩ ମାସ ବିତିଯାଇଥିଲେ ବି ହଷ୍ଟେଲ ନିର୍ମାଣ କାମ କେବଳ ନକ୍ସାରେ ରହିଯାଇଛି। ପୌର ନିଗମର ବିଭିନ୍ନ ପ୍ରକଳ୍ପ କାମ ସମୟସୀମା ମଧ୍ୟ‌ରେ ଶେଷ କରିବାକୁ ନିଗମର କର୍ତ୍ତୃପକ୍ଷ ଏବେ ସରକାରୀଙ୍କ ବିଭିନ୍ନ ନିର୍ମାଣକାରୀ ସଂସ୍ଥାଙ୍କୁ ବଡ଼ ବଡ଼ କାମର ନିର୍ମାଣ ଦାୟିତ୍ବ ଦେଉଛନ୍ତି। ମାତ୍ର ମହିଳା ହଷ୍ଟେଲ ନିର୍ମାଣ କାମ ଆରମ୍ଭ ହେବାରେ ବିଳମ୍ବ ହେବାକୁ ନେଇ ନିଗମ ଅଧିକାରୀଙ୍କ ନିଷ୍ପତ୍ତି ଉପରେ ଏବେ ସାଧାରଣରେ ପ୍ରଶ୍ନ ଉଠିଛି। ସହରର ବକ୍ସିବଜାର ଅଞ୍ଚଳରେ କର୍ମଜୀବୀ ମହିଳାଙ୍କ ପାଇଁ ଏକ ଅତ୍ୟାଧୁନିକ ମହିଳା ନିବାସ ତିଆରି କରିବା ଉଦ୍ଦେଶ୍ୟରେ ଗତବର୍ଷ ଜୁନ୍‌ରେ ପୌର ନିଗମ ପକ୍ଷରୁ ଯୋଜନା ପ୍ରସ୍ତୁତ କରାଗଲା। ନିଗମର ୨୨ ନମ୍ବର ୱାର୍ଡ ବେପାରୀସାହିସ୍ଥିତ ପୁରାତନ ଭଗତ ହଷ୍ଟେଲ୍‌ ସ୍ଥାନରେ ଏହା ନିର୍ମାଣ କରିବାକୁ ସ୍ଥିର ହେଲା।

ଏଥିପାଇଁ ପୁରାତନ ଭଗତ ହଷ୍ଟେଲକୁ ଭାଙ୍ଗି ଦିଆଗଲା। ୩ କୋଟି ୯୮ ଲକ୍ଷ ୯୩ ହଜାର ୬୨୭ ଟଙ୍କାରେ ୬୬ ଶଯ୍ୟାବିଶିଷ୍ଟ ମହିଳା ନିବାସ ନିର୍ମାଣ ପାଇଁ ବ୍ୟୟ ଅଟକଳ କରାଗଲା। ତିନି ମହଲା ବିଶିଷ୍ଟ ଉକ୍ତ ପ୍ରକଳ୍ପ ପାଇଁ ଗତ ଫେବ୍ରୁଆରି ୪ ତାରିଖରେ ଭିତ୍ତିପ୍ରସ୍ତର ସ୍ଥାପନ କରାଗଲା। ନିର୍ମାଣ କାମ ଦେଢ଼ବର୍ଷ ମଧ୍ୟରେ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇ ଏହାର ଦାୟିତ୍ବ ଓଏସ୍‌ଆଇସିକୁ ପ୍ରଦାନ ହେଲା। ଏହା ମଧ୍ୟରେ ନିଗମ ପକ୍ଷରୁ ୱାର୍କଅର୍ଡର୍‌ ପ୍ରଦାନ କରିବା ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବାକୁ ୩ ମାସ ବିତିଲାଣି। ହେଲେ ଓଏସ୍‌ଆଇସି କେବଳ ନକ୍ସା ପ୍ରସ୍ତୁତ କରିବା ଓ ସବ୍‌ଟେଣ୍ଡର୍‌ ମଧ୍ୟରେ ରହିଯାଇଛି। ୧୮ ମାସ ମଧ୍ୟରେ କାମ ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ବେଳେ ଏବେ ୩ ମାସ ବିତିଗଲାଣି। ସେପଟେ ପୌର ନିଗମ ତରଫରୁ ଉକ୍ତ ଅଞ୍ଚଳର ଚାରିପାର୍ଶ୍ବରେ ପାଚେରି କାମ ଶେଷ ହୋଇଛି। ନିଗମର ଠିକାଦାରଙ୍କ ଦ୍ବାରା କରାଯାଉଥିବା ବିଭିନ୍ନ କାମ ସମୟରେ ଶେଷ ‌ହେଉଥିବା ଅଭିଯୋଗ ଦର୍ଶାଇ କର୍ତ୍ତୃପକ୍ଷ ଏବେ ବିଭିନ୍ନ ସରକାରୀ ସଂସ୍ଥାଙ୍କୁ କାମ ଦେଉଛନ୍ତି। ମାତ୍ର ମହିଳା ହଷ୍ଟେଲ କାମ ସରକାରୀ ସଂସ୍ଥା ନେଇଥିବା ବେଳେ କାମ ଆରମ୍ଭରେ ବିଳମ୍ବ ହେବାକୁ ନେଇ କର୍ତ୍ତୃପକ୍ଷ କାହାକୁ ଦୋଷ ଦେବେ ବୋଲି ସାଧାରଣରେ ପ୍ରଶ୍ନ ହୋଇଛି। ସୂଚନାଯୋଗ୍ୟ, କର୍ମଜୀବୀ ମହିଳା ହଷ୍ଟେଲରେ ମହିଳାଙ୍କୁ ଟଙ୍କା ଦେଇ ରହିବାକୁ ହେବ। ଏଠାରେ ମହିଳାଙ୍କ ରହିବା ପାଇଁ ସ୍ବତନ୍ତ୍ର କୋଠରି, ଶଯ୍ୟା, ଖାଦ୍ୟ ପରି ବିଭିନ୍ନ ମୌଳିକ ସୁବିଧା ଯୋଗାଇ ଦିଆଯିବ। ଏହାସହ ସେମାନଙ୍କ ସୁରକ୍ଷା ପାଇଁ ସିସିଟିଭି, ସୁରକ୍ଷାକର୍ମୀ ନିୟୋଜିତ ପରି ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯିବ।

ସମ୍ବନ୍ଧିତ ଖବର