ଧାମରା ଏଲ୍‌ଏନ୍‌ଜି ପାଇଁ ଋଣ କରିବେ ଆଦାନି: ବ୍ୟାଙ୍କ ସହ ଆଲୋଚନା

ନୂଆଦିଲ୍ଲୀ: ଭଦ୍ରକ ଜିଲ୍ଲାର ଧାମରାରେ ଆଦାନି ଗ୍ରୁପ୍ ପକ୍ଷରୁ ସ୍ଥାପନ କରାଯାଇଥିବ‌ା ଏଲ୍‌ଏନ୍‌ଜି ପ୍ରକଳ୍ପ ଲାଗି ଶିଳ୍ପପତି ଗୌତମ ଆଦାନି ଋଣ ସନ୍ଧାନରେ ବାହାରିଛନ୍ତି। ଏହି ପ୍ରକଳ୍ପ ଲାଗି ଯେଉଁ ଋଣ ନିଆଯାଇଥିଲା ତାହାକୁ ରିଫାଇନାନ୍ସ କରିବା ଲାଗି ସେ ୬୦୦ ନିୟୁତ ଡଲାର (ପ୍ରାୟ ୫୦୦୦ କୋଟି ଟଙ୍କା) ଋଣ କରିବାକୁ ଚାହୁଛନ୍ତି। ବିଦେଶରୁ ଋଣ ହାସଲ କରିବା ଲାଗି କ୍ରେଡିଟ୍ ଆଗ୍ରିକୋଲ୍, ଡିବିଏସ୍ ବ୍ୟାଙ୍କ ଲିମିଟେଡ୍, ବିଏନ୍‌ପି ପରିବାସ, ମିତସୁବିସି ୟୁଏଫ୍‌ଜେ ଫାଇନାନ୍ସିଆଲ୍ ଗ୍ରୁପ୍ ଓ ମିଜୁହୋ ବ୍ୟାଙ୍କ ସହ କଥାବାର୍ତ୍ତା ଜାରି ରହିଛି। ଆସନ୍ତା ଦୁଇ ମାସ ଭିତରେ ଆଦାନି ଏହି ଋଣ କରିବା ସମ୍ଭାବନା ରହିଛି। ଆଦାନି ଗ୍ରୁପ୍ ପକ୍ଷରୁ ଧାମରାରେ ପ୍ରାୟ ୬୪୫୦ କୋଟି ଟଙ୍କା ବିନିଯୋଗରେ ଏଲ୍‌ଏନ୍‌ଜି ଆମଦାନି ଟର୍ମିନାଲ୍ ନିର୍ମାଣ କରାଯାଇଛି। ଏଥିପାଇଁ ଆଦାନି ଗ୍ରୁପ୍ ଇକ୍ବିଟି ଓ ଋଣ ଜରିଆରେ ପାଣ୍ଠି ଯୋଗାଡ଼ କରିଛି। ଏହି ପ୍ରକଳ୍ପର ୫୦ ପ୍ରତିଶତ ଅଂଶଧନ କିଣିବା ଲାଗି ୨୦୧୬ ସେପ୍ଟେମ୍ବର ୨୧ରେ ଇଣ୍ଡିଆ ଅଏଲ୍‌ ଓ ଗେଲ୍‌ ବୁଝାମଣା କରିଥିଲେ। କିନ୍ତୁ ସେହି ବୁଝାମଣାର ଅବଧି ୨୦୧୮ ସେପ୍ଟେମ୍ବର ୨୦ରେ ଶେଷ ହୋଇଯାଇଥିଲା। ମୂଲ୍ୟକୁ ନେଇ ମତଭେଦ ରହିବାରୁ ତାହା କାର୍ଯ୍ୟକାରୀ ହୋଇପାରିନଥିଲା।

ଧାମରା ଏଲ୍‌ଏନ୍‌ଜି ଟର୍ମିନାଲ୍ ହେଉଛି ଆଦାନି ପୋର୍ଟସ୍ ଆଣ୍ଡ୍ ଏସ୍‌ଇଜେଡ୍ ଓ ଫ୍ରାନ୍ସର ଟୋଟାଲ୍ ଏନର୍ଜିସ୍ ମଧ୍ୟରେ ସ୍ଥାପନ ହୋଇଥିବା ଏକ ଯୌଥ ଉଦ୍ୟୋଗ। ଧାମରା ବନ୍ଦର ଭିତରେ ସ୍ଥାପନ କରାଯାଇଥିବା ଏହି ଟର୍ମିନାଲ୍‌ ପୂର୍ବ ଭାରତର ଆଠଟି ରାଜ୍ୟର ଆବଶ୍ୟକତା ପୂରଣ କରିବ। ଏହି ପ୍ରକଳ୍ପରେ ଆଦାନି ପୋର୍ଟସ୍ ଆଣ୍ଡ୍‌ ଏସ୍‌ଇଜେଡ୍ ଓ ଟୋଟାଲ୍ ଏନର୍ଜିସ୍ ମିଳିତ ଭାବେ ୧୯୦୦ କୋଟି ଟଙ୍କା ନିବେଶ କରିଛନ୍ତି। ୨୦୧୬ ପରଠାରୁ ଏହି ପ୍ରକଳ୍ପରେ ଆଦାନି ଗ୍ରୁପ୍ ନିବେଶ ଆରମ୍ଭ କରିଛି। ଗତବର୍ଷ ଏପ୍ରିଲ୍‌ରେ ଏହି ଟର୍ମିନାଲ୍‌ରେ ପ୍ରଥମ ଏଲ୍‌ଏନ୍‌ଜି ଜାହାଜ ଲାଗିଥିଲା। ମେ’ ମାସରୁ ତାହା କାର୍ଯ୍ୟକ୍ଷମ ହୋଇଥିଲା। ପୂର୍ବ ଭାରତର ଉପକୂଳରେ ଏହା ହେଉଛି ଏକମାତ୍ର ଏଲ୍‌ଏନ୍‌ଜି ଆମଦାନି ଟର୍ମିନାଲ୍। ଇସ୍ପାତଠାରୁ ଆରମ୍ଭ କରି ସାର ଉତ୍ପାଦନ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟ ପାଇଁ ଏହା ପ୍ରାକୃତିକ ଗ୍ୟାସ୍‌ ଉପଲବ୍ଧ କରାଇବ। ଗ୍ୟାସ୍‌କୁ ସିଏନ୍‌ଜିରେ ପରିବର୍ତ୍ତିତ କରି ତାହାକୁ ଗାଡ଼ିର ଇନ୍ଧନ ଓ ରୋଷେଇ ଗ୍ୟାସ୍ ଭାବେ ବ୍ୟବହାର କରାଯାଇପାରିବ।

ସମ୍ବନ୍ଧିତ ଖବର