ରୋଲ୍‌ ବିକୁଥିବା ବାଳକକୁ ସାହାଯ୍ୟ କରିବେ ମହିନ୍ଦ୍ରା

ନୂଆଦିଲ୍ଲୀ: ନିଜ ପିତାଙ୍କୁ ହରାଇଥିବା ୧୦ ବର୍ଷୀୟ ବାଳକ ଯଶପ୍ରୀତ୍‌ ଦିଲ୍ଲୀର ଏକ ରାସ୍ତା କଡ଼ରେ ରୋଲ୍ ବିକ୍ରି କରୁଥିବା ଭିଡିଓ ଭାଇରାଲ୍ ହୋଇଛି। ସେହି ଭିଡ଼ିଓ ଦେଖିବା ପରେ ତାଙ୍କୁ ସାହାଯ୍ୟ କରିବାକୁ ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରା ଗ୍ରୁପ୍‌ର ମୁଖ୍ୟ ଆନନ୍ଦ ମହିନ୍ଦ୍ରା ଆଗେଇ ଆସିଛନ୍ତି। ଯୋଗାଯୋଗ ଠିକଣା ମିଳିଲେ ତାଙ୍କ ଫାଉଣ୍ଡେସନ ଯଶପ୍ରୀତ୍‌ର ପାଠପଢ଼ା ଦାୟିତ୍ବ ନେବ ବୋଲି ମହିନ୍ଦ୍ରା କହିଛନ୍ତି। ଯଶପ୍ରୀତ୍ ବାପାଙ୍କୁ ହରାଇବା ପରେ ତାଙ୍କ ମା’ ଦାୟିତ୍ବ ନେବାକୁ ମନା କରିଦେଇଥିଲେ। ଘରେ ତାଙ୍କର ୧୪ ବର୍ଷର ଏକ ଭଉଣୀ ମଧ୍ୟ ରହିଛି। ସକାଳ ବେଳା ସେ ସ୍କୁଲ୍‌ରେ ପାଠପଢ଼ୁଥିବା ବେଳେ ସନ୍ଧ୍ୟାରେ ଠେଲାରେ ଅଣ୍ଡା ରୋଲ୍, ଚିକେନ୍ ରୋଲ୍, କବାବ୍ ରୋଲ୍, ପନିର୍‌ ରୋଲ୍, ଚାଉମିନ୍ ରୋଲ୍ ଓ ଶିଖ୍‌ କବାବ ବିକ୍ରି କରୁଛନ୍ତି। ଯଶ୍‌ପ୍ରୀତ୍‌ଙ୍କୁ ମହିନ୍ଦ୍ରା ଜଣେ ସାହସୀ ବାଳକ ବୋଲି କହିଛନ୍ତି। କିନ୍ତୁ ତାଙ୍କ ପାଠପଢ଼ା ବ୍ୟାହତ ହେଉ ବୋଲି ସେ ଚାହୁନାହାନ୍ତି। ସେଥିପାଇଁ ଯଶ୍‌ପ୍ରୀତ୍‌ଙ୍କୁ ଯୋଗାଯୋଗ କରିବାରେ ସହଯୋଗ କରିବା ଲାଗି ସେ ଲୋକମାନଙ୍କୁ ନିବେଦନ କରିଛନ୍ତି। ମହିନ୍ଦ୍ରାଙ୍କ ଏଭଳି ଦାତବ୍ୟ କାର୍ଯ୍ୟକୁ ଲୋକମାନେ ବେଶ ପ୍ରଶଂସା କରିଛନ୍ତି।

ସମ୍ବନ୍ଧିତ ଖବର