କେଜ୍ରିୱାଲଙ୍କ ବିରୋଧରେ ଏନ୍‌ଆଇଏ ତଦନ୍ତ ହେଉ: ସୁପାରିସ କଲେ ଉପରାଜ୍ୟପାଳ

ଖଲିସ୍ତାନୀ ଆତଙ୍କବାଦୀଙ୍କଠାରୁ ଟଙ୍କା ନେଇଛି ଆପ୍‌

ନୂଆଦିଲ୍ଲୀ: ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ବାରା ଗିରଫ ହୋଇ ତିହାର ଜେଲ୍‌ରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଅଡ଼ୁଆ ବଢ଼ିଛି। ନିଷିଦ୍ଧ ଘୋଷିତ ଆତଙ୍କବାଦୀ ସଂଗଠନ ‘ସିଖ୍‌ସ ଫର୍‌ ଜଷ୍ଟିସ୍‌’ ଠାରୁ ରାଜନୈତିକ ପାଣ୍ଠି ଗ୍ରହଣ କରିବା ଭଳି ସଂଗୀନ ଅଭିଯୋଗ କେଜ୍ରିୱାଲଙ୍କ ସମେତ ତାଙ୍କ ଦଳ ଆପ୍‌ ବିରୋଧରେ ଆସିଛି। ଦିଲ୍ଲୀ ଉପରାଜ୍ୟପାଳଙ୍କୁ ଏହି ଅଭିଯୋଗ ମିଳିବା ପରେ ସେ ଏହାର ଏନ୍‌ଆଇଏ ତଦନ୍ତ ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ସୁପାରିସ କରିଛନ୍ତି।
କେଜ୍ରିୱାଲଙ୍କ ଆମ୍‌ ଆଦ୍‌ମୀ ପାର୍ଟି ଉକ୍ତ ସଂଗଠନ ଠାରୁ ୧୬ ନିୟୁତ ଡଲାର ବା ପ୍ରାୟ ୧୩୩ କୋଟି ଟଙ୍କା ଗ୍ରହଣ କରିଥିବା ଅଭିଯୋଗ ଆସିଛି। ଗୋଟିଏ ପଟେ ୧୯୯୩ ଦିଲ୍ଲୀ ବୋମା ବିସ୍ଫୋରଣ ଘଟଣାର ଦୋଷୀ ଦେବୀନ୍ଦର ପାଲ ସିଂହ ଭୁଲ୍ଲାରଙ୍କୁ ମୁକ୍ତ କରିବା ଏବଂ ଅନ୍ୟପଟେ ଖଲିସ୍ତାନୀ ସମର୍ଥନବାଦୀ ଚିନ୍ତାଧାରାକୁ ପ୍ରୋତ୍ସାହନ ଦେବା ପାଇଁ ଆପ୍‌କୁ ଏହି ଟଙ୍କା ଦିଆଯାଇଛି। ଉପରାଜ୍ୟପାଳଙ୍କ ପ୍ରମୁଖ ସଚିବ ଗୃହ ମନ୍ତ୍ରାଳୟକୁ ଏହି ମର୍ମରେ ଏକ ଚିଠି ଲେଖିଛନ୍ତି। ଯେଉଁବ୍ୟକ୍ତି ଏଲ୍‌ଜିଙ୍କ କାର୍ଯ୍ୟାଳୟରେ ଏହି ଅଭିଯୋଗ କରିଛନ୍ତି ସେ ଖଲିସ୍ତାନୀ ଆତଙ୍କବାଦୀ ଗୁରପତୱନ୍ତ ସିଂହ ପନ୍ନୁନଙ୍କ ଏକ ଭିଡିଓ ବିଷୟରେ ଉଲ୍ଲେଖ କରିଛନ୍ତି। ସେହି ଭିଡିଓରେ ୨୦୧୪ରୁ ୨୦୨୨ ମଧ୍ୟରେ ଉକ୍ତ ଟଙ୍କା ଦିଆଯାଇଥିବା ନେଇ ଅଭିଯୋଗ ରହିଛି।

ସୁପାରିସ କଲେ ଉପରାଜ୍ୟପାଳ
ଖଲିସ୍ତାନୀ ଆତଙ୍କବାଦୀଙ୍କଠାରୁ ଟଙ୍କା ନେଇଛି ଆପ୍‌
ବିଜେପିର ଆଉ ଏକ ଷଡ଼୍‌ଯନ୍ତ୍ର: ଆପ୍‌

ଅଧିକାରୀ ଲେଖିଥିବା ଚିଠିରେ ଏହା ମଧ୍ୟ ଉଲ୍ଲେଖ କରିଛନ୍ତି ଯେ କେଜ୍ରିୱାଲ ଏବଂ ଖଲିସ୍ତାନୀ ସମର୍ଥନବାଦୀ ନେତାଙ୍କ ମଧ୍ୟରେ ଏକ ଗୋପନ ବୈଠକ ୨୦୧୪ରେ ନ୍ୟୁୟର୍କସ୍ଥିତ ରିଚମଣ୍ଡ୍‌ ହିଲ୍‌ସ ଗୁରୁଦ୍ବାରରେ ହୋଇଛି। ଆପ୍‌କୁ ପାଣ୍ଠି ଦେଲେ ଭୁଲ୍ଲାରଙ୍କୁ ଛାଡ଼ି ଦିଆଯିବା ନେଇ କେଜ୍ରିୱାଲ ପ୍ରତିଶ୍ରୁତି ଦେଇଥିବା ବିଷୟ କୁହାଯାଉଛି। ଚିଠିରେ ଏହା ମଧ୍ୟ ଉଲ୍ଲେଖ ରହିଛି ଯେ ଆପ୍‌ କର୍ମୀ ମୁନିଷ କୁମାର ରାଇଜାଦା ଏକ ଫଟୋ ଦେଇଛନ୍ତି ଯେଉଁଥିରେ କେଜ୍ରିଓାଲ ଉକ୍ତ ଗୁରୁଦ୍ବାରରେ ଶିଖ୍‌ ନେତାମାନଙ୍କ ସହିତ ଆଲୋଚନା କରୁଛନ୍ତି। ଏପରିକି ଖଲିସ୍ତାନ ସମର୍ଥନବାଦୀ ନେତାଙ୍କ ସହିତ କେଜ୍ରିଓାଲ ରୁଦ୍ଧଦ୍ବାର ବୈଠକ କରିଥିବା ଅଭିଯୋଗ ହୋଇଛି। ଏଲ୍‌ଜିଙ୍କ କାର୍ଯ୍ୟାଳୟକୁ ଆସିଥିବା ଅଭିଯୋଗରେ କୁହାଯାଇଛି ଯେ ଭୁଲ୍ଲାରଙ୍କୁ ରାଜକ୍ଷମା ଦେବାକୁ ତତ୍କାଳୀନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ କେଜ୍ରିୱାଲ ୨୦୧୪ ଜାନୁଆରିରେ ଚିଠି ଲେଖିଥିଲେ। ଭୁଲ୍ଲାରଙ୍କୁ ମୁକୁଳାଇବା ‌ପାଇଁ ସେତେବେଳେ ଜନ୍ତରମନ୍ତରରେ ଅନଶନରେ ବସିଥିବା ଇକବଲ ସିଂହଙ୍କୁ ମଧ୍ୟ ଏକ ଚିଠି ଲେଖିଥିଲେ। ସେଥିରେ ଭୁଲ୍ଲାରକୁ ମୁକ୍ତ କରିବା ପାଇଁ ରାଷ୍ଟ୍ରପତିଙ୍କ ନିକଟକୁ ଚିଠି ଲେଖାଯାଇଛି ଏବଂ ଦିଲ୍ଲୀ ସରକାର ଏହି ବିଷୟକୁ ସହୃଦୟତାର ସହ ବିଚାର କରୁଛନ୍ତି ବୋଲି କହିଥିଲେ। ଦିଲ୍ଲୀ ସରକାରଙ୍କ ଏହି ଲିଖିତ ପ୍ରତିଶ୍ରୁତି ପାଇବା ପରେ ଇକବାଲ ସିଂହ ଅନଶନ ଭଙ୍ଗ କରିଥିଲେ। ନିଷିଦ୍ଧ ‌ଆତଙ୍କବାଦୀ ସଂଗଠନ ଠାରୁ ପାଣ୍ଠି ଗ୍ରହଣ କରିବା ଏବଂ ଅଭିଯୋଗରେ ଇଲେକ୍ଟ୍ରୋନିକ୍ସ ପ୍ରମାଣ ରହିଥିବାରୁ ତାହାର ଫରେନସିକ ତଦନ୍ତ ଆବଶ୍ୟକ। ଏଥିସହ ଅଭିଯୋଗ ଜଣେ ମୁଖ୍ୟମନ୍ତ୍ରୀଙ୍କ ନାମରେ ଆସିଛି। ଅଭିଯୋଗର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଉପରାଜ୍ୟପାଳ ଏନ୍‌ଆଇଏ ତଦନ୍ତ ପାଇଁ ଗୃହ ମନ୍ତ୍ରାଳୟକୁ ଲେଖିଛନ୍ତି। ତେବେ ପ୍ରତିକ୍ରିୟାରେ ଆପ୍‌ ନେତା ତଥା ମନ୍ତ୍ରୀ ସୌରଭ ଭରଦ୍ବାଜ କହିଛନ୍ତି ଯେ ଏହା ତାଙ୍କ ନେତା କେଜ୍ରିୱାଲ୍‌ ଓ ଦଳ ବିରୋଧରେ ଆଉ ଏକ ଷଡ଼ଯନ୍ତ୍ର। ଦିଲ୍ଲୀର ସମସ୍ତ ୭ଟି ଆସନରେ ବିଜେପି ହାରିବାକୁ ଯାଉଛି ସେଥିପାଇଁ ଦଳ ଚିନ୍ତିତ ରହିଛି ଓ ଆପ୍‌ ବିରୋଧରେ ନୂଆନୂଆ ଅଭିଯୋଗ ପ୍ରସ୍ତୁତ କରୁଛି।

ସମ୍ବନ୍ଧିତ ଖବର