କଟକ: ପୁଲିସ୍ ହାଇସ୍କୁଲ୍‌ ପଡ଼ିଆ ସୌନ୍ଦର୍ଯ୍ୟୀକରଣ ଅଧାପନ୍ତରିଆ

କଟକ: ପଡ଼ିଆ ସୌନ୍ଦର୍ଯ୍ୟୀକରଣ କାମ ସରିଲାଣି। ବ୍ୟାଡ୍‌ମିଣ୍ଟନ କୋର୍ଟ ଓ ବାସ୍କେଟବଲ୍‌ କୋର୍ଟ ମଧ୍ୟ ସରିଛି। କିନ୍ତୁ ପଡ଼ିଆରୁ ଆବର୍ଜନା ଉଠି ନାହିଁ। ପଡ଼ିଆ ମଧ୍ୟରେ ଥିବା ଡ୍ରେନ୍ କାମ ମଧ୍ୟ ଅଧାରେ ଅଟକିଛି। ସବୁଠୁ ଗୁରୁତ୍ବପୂର୍ଣ୍ଣ ବିଷୟ ଯେ, କାମ ସରିଥିଲେ ମଧ୍ୟ ସ୍କୁଲ କର୍ତ୍ତୃପକ୍ଷଙ୍କୁ ପ୍ରକଳ୍ପ ବିଷୟରେ ଅବଗତ କରାଯାଇ ନାହିଁ। ଏହେଉଛି ପୁଲିସ୍ ପ୍ରତିଷ୍ଠାନ ଦ୍ବାରା ପ୍ରତିଷ୍ଠିତ ଦେଶର ପ୍ରଥମ ହାଇସ୍କୁଲ ‘ଓଡ଼ିଶା ପୁଲିସ୍ ହାଇସ୍କୁଲ୍‌’ ଅବସ୍ଥା। ବିଦ୍ୟାଳୟ‌ ପଡ଼ିଆରେ ସୌନ୍ଦର୍ଯ୍ୟୀକରଣ ଚାଲିଥିଲେ ମଧ୍ୟ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇ ନାହିଁ କିମ୍ବା କାମକୁ ସଂପୂର୍ଣ୍ଣ କରାଯାଇ ନାହିଁ। ଏଭଳି ଅଧାପନ୍ତରିଆ କାମକୁ ନେଇ ଶିକ୍ଷକ, ଅଭିଭାବକଙ୍କ ମହଲରେ ଅସନ୍ତୋଷ ଦେଖାଦେଇଛି। ସିଏମ୍‌ସି ପକ୍ଷରୁ ମୁକ୍ତା ଯୋଜନାରେ ତୁଳସୀପୁରସ୍ଥିତ ପୁଲିସ ହାଇସ୍କୁଲ୍‌ ପଡ଼ିଆର ସୌନ୍ଦର୍ଯ୍ୟୀକରଣ କାର୍ଯ୍ୟ କରାଯାଇଛି। ଏଥିରେ ସ୍କୁଲ ପଡ଼ିଆର ଉନ୍ନତୀକରଣ କରାଯିବା ସହ ବ୍ୟାଡ୍‌ମିଣ୍ଟନ କୋର୍ଟ, ବ‌ାସ୍କେଟବଲ୍ କୋର୍ଟ ଆଦି ନୂଆ କରି ନିର୍ମାଣ‌ ହୋଇଛି। ଏଥି ସହିତ ପଡ଼ିଆରେ ମଧ୍ୟରେ ଥିବା ଏକ ଡ୍ରେନ୍‌ କାମ ମଧ୍ୟ କରାଯ‌ାଇଛି। କାର୍ଯ୍ୟ କରୁଥିବା ଠିଆ ସଂସ୍ଥା ସବୁ କାମ ସରିଦେଇଥ‌ିଲେ ମଧ୍ୟ କୌଣସି କାମ ସଂପୂର୍ଣ୍ଣ ଭାବେ କରାଯାଇନାହିଁ।

ସ୍କୁଲ ପାଚେରି ପାର୍ଶ୍ବରେ ଜମା ହୋଇଥିବା କୁଢ଼ କୁଢ଼ କଂକ୍ରିଟ୍ ଆବର୍ଜନା ସମେତ ଅନ୍ୟାନ୍ୟ ଅଳିଆ ଆବର୍ଜନା ଏହାକୁ ସ୍ପଷ୍ଟ କରୁଛି। ମୁକ୍ତା ଯୋଜନାରେ କେଉଁ ସବୁ କାମ ହେବ, ଏବିଷୟରେ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯିବାକୁ ସିଏମ୍‌ସି କମିସନର୍‌ କହିଥ‌ିଲେ ମଧ୍ୟ ଏବିଷୟରେ ‌ଆଦୌ ସ୍କୁଲ୍‌ର ପ୍ରଧାନଶିକ୍ଷକ ବା ପରିଚାଳନା କମିଟିକୁ ଅବଗତ କରାଯାଇ ନାହିଁ। ଡ୍ରେନ୍‌କୁ ସଂପୂର୍ଣ୍ଣ ଭାବେ ସ୍ଲାବ୍‌ ଦ୍ବାରା ଆଚ୍ଛାଦନ କରାଯାଇନାହିଁ। ‌ପାଚେରି କଡ଼ରେ ଯେଉଁଭଳି ଭାବେ ଅଳିଆ ଆବର୍ଜନା ଗଦା ହୋଇଛି, ତାହା ସରୀସୃପଙ୍କୁ ଆମନ୍ତ୍ରଣ କରୁଛି। ପଡ଼ିଆ ଉନ୍ନତୀକରଣରେ ୧୪ଲକ୍ଷ ଟଙ୍କାରୁ ଅଧିକ ଖର୍ଚ ହୋଇଥିଲେ ମଧ୍ୟ ତାହା ଠିକ୍ ଭା‌ବେ କାର୍ଯ୍ୟ ହୋଇ ନ ଥିବା ପ୍ରତିଫଳିତ ହେଉଛି। କାମ ସରିଥିଲେ ମଧ୍ୟ ପଡ଼ିଆରୁ ନିର୍ମାଣ ଆବର୍ଜନାକୁ ଉଠାଯାଇ ନାହିଁ କିମ୍ବା ଠିକା ସଂସ୍ଥାର ଆଉ ଦେଖା ନାହିଁ।
ଏସଂକ୍ରାନ୍ତରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁଜାତା ବେହେରା କହିଛନ୍ତି ଯେ, ମୁକ୍ତା ଯୋଜନାରେ ପଡ଼ିଆ ସୌନ୍ଦର୍ଯ୍ୟୀକରଣ, ବ୍ୟାଡମିଣ୍ଟନ୍‌ କୋର୍ଟ, ବାସ୍କେଟବଲ୍ ପଡ଼ିଆ ଆଦି ନିର୍ମାଣ ହୋଇଛି। କିନ୍ତୁ ଏହି ପ୍ରକଳ୍ପରେ କେଉଁ କାମ ଥିଲା, ଆଉ କ’ଣ କରାଯିବାକୁ ଅଛି, ସେ ବିଷୟରେ ବିଦ୍ୟାଳୟକୁ କିଛି ଅବଗତ କରାଯାଇ ନାହିଁ। ଏବେ କାମ ପରେ ସ୍କୁଲ୍‌ ପାଚେରି କଡ଼ରେ ଆବର୍ଜନା ଗଦା ହୋଇଛି ଯାହା ବିଦ୍ୟାଳୟର ପରି‌ବେଶକୁ ନଷ୍ଟ କରୁଛି ବୋଲି ପ୍ରଧାନଶିକ୍ଷକ ଶ୍ରୀମତୀ ବେହେରା ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର