ଘର ଭାଙ୍ଗିଲା ଦନ୍ତା, ବର୍ତ୍ତିଲେ ପରିବାର

ଆନନ୍ଦପୁର: ଆନନ୍ଦପୁର ସୀମାନ୍ତ ଧାତିକିଡିହା ପଞ୍ଚାୟତର ଗୋଡ଼ଭଙ୍ଗା ଗ୍ରାମରେ ଏକ ଦନ୍ତାହାତୀ ପଶି ଘର ଭାଙ୍ଗିଛି। ଗତକାଲି ରାତି ପ୍ରାୟ ୯ଟା ସମୟରେ ଏକ ଦନ୍ତାହାତୀ ଗୋଡ଼ଭଙ୍ଗା ଗ୍ରାମରେ ପଶିଥିଲା। ସୁରେନ୍ଦ୍ର ବାନ୍ଧିଆଙ୍କ ସ୍ତ୍ରୀ, ଦୁଇଛୁଆ ଘରେ ଶୋଇଥିବା ବେଳେ ହାତୀ ତାଙ୍କ ଘର ଭାଙ୍ଗି ଦେଇଥିଲା। ପରିବାର ଲୋକଙ୍କ କୌଣସି କ୍ଷତି ହୋଇନାହିଁ। ହାତୀଟି ଘରେ ଥିବା ଧାନଚାଉଳ ଖାଇବା ସହ ଆସବାବପତ୍ର ନଷ୍ଟ କରିଛି। ସୁରେନ୍ଦ୍ର ଘରେ ନଥିବାରୁ ପରିବାର ଲୋକେ ଗ୍ରାମବାସୀଙ୍କୁ ଜଣାଇଥିଲେ। ଗ୍ରାମବାସୀ ଏକାଠି ଦନ୍ତାହାତୀକୁ ଘଉଡ଼ାଇ ଦେଇଛନ୍ତି।

ବନ ବିଭାଗ ତୁରନ୍ତ କ୍ଷୟକ୍ଷତି ଆକଳନ କରି କ୍ଷତିଗ୍ରସ୍ତ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି। ସୂଚନାଯୋଗ୍ୟ, ଗତ ୬ ତାରିଖ ରାତିରେ ଏହି ଦନ୍ତାହାତୀଟି ତଳେଇପାଳ ଗ୍ରାମା ଦିଲୀପ ମହାନ୍ତ ଓ ୭ ତାରିଖରେ ଚିତ୍ରିସାହିର ସର୍ଦ୍ଦାର ହୋଙ୍କ ଘର ଭାଙ୍ଗିଥିଲା। ଗୋଠଛଡ଼ା ଦନ୍ତାଟି ମୟୂରଭଞ୍ଜଓ କେ‌ନ୍ଦୁଝର ଜିଲ୍ଲା ସୀମାରେ ଘୂରି ବୁଲୁଛି। ଗାଁରେ ପଶି ଲୋକଙ୍କ ଘରଦ୍ବାର ଭାଙ୍ଗୁଛନ୍ତି। ଦନ୍ତା ଆତଙ୍କ ଯୋଗୁଁ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି।

ସମ୍ବନ୍ଧିତ ଖବର