ଗୋଜବାୟାଣୀ ପୀଠରେ ଅଚଳାବସ୍ଥା

ମାର୍ଶାଘାଇ: ରକ୍ଷଣାବେକ୍ଷଣ ଅଭାବରୁ ମାର୍ଶାଘାଇ ବ୍ଲକ୍‌ ବାଘଡିଆର ଅଧିଷ୍ଠାତ୍ରୀ ଦେବୀ ମା’ ଗୋଜବାୟାଣୀ ପୀଠରେ ଅଚଳାବସ୍ଥା ସୃଷ୍ଟି ହୋଇଛି। ପୀଠର ପରିଚାଳନା ସହ ସମ୍ପତ୍ତିର ରକ୍ଷଣାବେକ୍ଷଣ ପାଇଁ ରାଜ୍ୟ ଦେବୋତ୍ତର କମିସନର ଗତ ମାର୍ଚ୍ଚ ୪ ତାରିଖ‌ରେ ଏକ ବର୍ଷ ପାଇଁ ଏକ ଅନ୍ତରୀଣ ଟ୍ରଷ୍ଟ ବୋର୍ଡ ଗଠନ କରିଥିଲେ। ମାର୍ଶାଘାଇ ତହସିଲଦାର, ମାର୍ଶାଘାଇ ଥାନାର ଇନ୍‌ସପେକ୍ଟର ଇନ୍‌ଚାର୍ଜ, ବାଘଡ଼ିଆର ଗ୍ରାମର ଫକୀରମୋହନ ବିଶ୍ବାଳ, କାର୍ତିକ ଚନ୍ଦ୍ର ସ୍ବାଇଁ, ମାନସ କୁମାର ଦାସ, ଗୋପିନାଥ ବେହେରା, ହରିଶ ଚନ୍ଦ୍ର ଦାସ, ଅକ୍ଷୟ କୁମାର ସାହୁ ଓ ଅକ୍ଷୟ କୁମାର ବିଶ୍ବାଳଙ୍କୁ ନେଇ ଏକ ଟ୍ରଷ୍ଟବୋର୍ଡ ଗଠନର ସୁପାରିଶ କରାଯାଇଛି। ତେବେ କମିସନରଙ୍କ କାର୍ଯ୍ୟାଳୟରୁ ନବଗଠିତ ଏହି ଟ୍ରଷ୍ଟବୋର୍ଡର ସଦସ୍ୟମାନଙ୍କ ପାଖକୁ ବ୍ୟକ୍ତିଗତ ଭାବେ କୌଣସି ଚିଠି ଆସି ନ ଥିବାରୁ ତାହା କାର୍ଯ୍ୟକାରୀ କରାଯାଇପାରୁ ନ ଥିବା ଅଭିଯୋଗ ହୋଇଛି। ଏହା ଭିତରେ ୩ ମାସ ବିତି ଯାଇଥିଲେ ହେଁ ବ୍ୟକ୍ତିଗତ ଚିଠି ମିଳି ନ ଥିବାରୁ ନୂତନ ଟ୍ରଷ୍ଟବୋର୍ଡ ଗଠନ ଓ କାର୍ଯ୍ୟଭାର ଗ୍ରହଣ ସମ୍ଭବ ହୋଇ ପାରୁନାହିଁ। ଅନ୍ୟପକ୍ଷରେ ଟ୍ରଷ୍ଟିଙ୍କ ସହଯୋଗ ରହୁ ନ ଥିବାରୁ ଓ ବିଶୃଙ୍ଖଳା ଉପୁଜୁଥିବାରୁ ପୂର୍ବରୁ କାର୍ଯ୍ୟଭାର ତୁଲାଇ ଆସୁଥିବା ଗୋପାଳ ଚରଣ ଦାସ ଏବେ ପୀଠର କୌଣସି କଥା ବୁଝିବାକୁ ଅସହାୟତା ପ୍ରକାଶ କରିଛନ୍ତି। ଦାୟିତ୍ବ ହସ୍ତାନ୍ତର ପାଇଁ ବାରମ୍ବାର କମିଟିରେ କହିଲେ ବି କେହି ନେଉ ନ ଥିବା ସେ କହିଛନ୍ତି। ଶ୍ରୀ ଦାସଙ୍କ ପାଖରେ କ୍ୟାସବୁକ୍, ଜମା ରାଶି ଓ ଆୟବ୍ୟୟର ହିସାବ ରହିଛି। ଆବଶ୍ୟକ ହେଲେ ସେ ଆଉ ପୀଠକୁ ଯିବେନାହିଁ ବୋଲି ରୋକଠୋକ ମନା କରିଦେଇଛନ୍ତି। ପୀଠରେ ଉପୁଜୁଥିବା ବିଶୃଙ୍ଖଳା ନେଇ ଟ୍ରଷ୍ଟି ତଥା ମାର୍ଶାଘାଇ ତହସିଲଦାର ଭାନୁମତି ମାଝିଙ୍କୁ ସେ ସାକ୍ଷାତ କରିଥିଲେ ହେଁ କୌଣସି ସୁଫଳ ମିଳି ପାରିନି। ଗତ ନଭେମ୍ବର ୫ ତାରିଖରେ ତତ୍କାଳୀନ ପରିଚାଳନା କମିଟି ଭୋଗ ଦୋକାନ ୨ ବର୍ଷ ପାଇଁ ୧ଲକ୍ଷ ୯୬ହଜାର ଟଙ୍କାରେ ନିଲାମ ଦେଇଥିଲେ। ନିଲାମଧାରୀ ପ୍ରଥମ କିସ୍ତିରେ ୪୯ ହଜାର ଟଙ୍କା ଜମା ଦେଇଥିଲେ।

ମାତ୍ର ଏବେ ଏକାଧିକ ଲୋକ ପୀଠରେ ବେଆଇନ ଭାବେ ଭୋଗ ଦୋକାନ ଦେଇଥିବାରୁ ନିଲାମଧାରୀ ଗତମାସରେ ପଇଠ କରିବାକୁ ଥିବା ଦ୍ବିତୀୟ କିସ୍ତି ଟଙ୍କା ଜମା ଦେବାକୁ ମନା କରିଦେଇଛନ୍ତି। ପୂର୍ବପରି ମା’ଙ୍କ ପୀଠରେ ଶ୍ରଦ୍ଧାଳୁମାନଙ୍କ ଭିଡ଼ ଲାଗି ରହୁଥିବାବେଳେ ବିବାହ ବ୍ରତ, ନର୍ବନ୍ଧ, ସଭା, ସମିତି ଚାଲୁ ରହିଥିବାରୁ ପୀଠ ପରିସର ସଫେଇ ଅଭାବରୁ ଦୂଷିତ ହୋଇପଡିଛି। ଅଳିଆ, ଆବର୍ଜନା ସଫେଇ ନ ହୋଇ ଜମା ହୋଇ ରହୁଥିବାରୁ ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ହୋଇଛି। ଖାଲି ସେତିକିନୁହେଁ, କାଳବୈଶାଖୀରେ ଭାଙ୍ଗି ପଡିଥିବା ଜଙ୍ଗଲରୁ ବେଆଇନ ଭାବେ କେତେକ ଲୋକ ଗଛ କାଟି ନେଇଯାଉଥିଲେ ହେଁ ସେଥିପ୍ରତି କାହାର ନିଘା ନାହିଁ। ସର୍ବୋପରି କେହି କାହାରିକୁ ମାନିବାକୁ ନ ଥିବାରୁ ଅନ୍ୟାନ୍ୟ କାର୍ଯ୍ୟର ପରିଚାଳନା ନେଇ ଚରମ ବିଶୃଙ୍ଖଳା ଦେଖାଦେଇଛି। ଫଳରେ ପୀଠର ଉନ୍ନୟନମୂଳକ କାର୍ଯ୍ୟମଧ୍ୟ ବାଧାପ୍ରାପ୍ତ ହୋଇଛି। ସେହିପରି ଚୂଳପକା, ପୂଜାର୍ଚ୍ଚନା ଓ ପାର୍କିଂ ବ୍ୟବସ୍ଥା ଆଦି ବିପର୍ଯ୍ୟସ୍ତ ହୋଇପଡିଛି। ପ୍ରକାଶ ଯେ, ଗତ ୧୯୯୭ରେ ପୀଠରୁ ଚୋରି ଅଭିଯୋଗରେ ପୂଜକ କରୁଣାକର ଦାଶଙ୍କ ନାମରେ ମାମଲା ରୁଜୁ କରାଯାଇଥିବା ବେଳେ ଅପରପକ୍ଷ ପୂଜକ ଶ୍ରୀ ଦାଶଙ୍କ ପକ୍ଷରୁ ଗ୍ରାମର ନିରଞ୍ଜନ ପ୍ରଧାନ ଓ ତାଙ୍କ ପରିବାରର ୪ଜଣଙ୍କ ନାମରେ ପାଲଟା ମାମଲା ରୁଜୁ କରାଯାଇଥିଲା। ଏବେ ଗ୍ରାମବାସୀ କରୁଣାକର ଦାଶଙ୍କ ଦୁଇ ପୁଅଙ୍କୁ ମା’ଙ୍କ ପୂଜାର୍ଚ୍ଚନାର ଦାୟିତ୍ବ ଦେବା ପରେ ମାମଲା ସମାଧାନ ହୋଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର