ଇ-ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଅଧୀନରେ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର: ୪୧୭ ଲୋକଙ୍କର ମାଗଣାରେ ବିଭିନ୍ନ ପରୀକ୍ଷା

ପ୍ରଥମ ଦିନରେ ୪୧୭ ଜଣ ନେଲେ ସୁବିଧା

ରାଉରକେଲା: ସୁନ୍ଦରଗଡ଼ବାସୀଙ୍କୁ ମାଗଣାରେ ବିଭିନ୍ନ ପ୍ରକାର ଅତ୍ୟାଧୁନିକ ଡାକ୍ତରୀ ପରୀକ୍ଷା ସେବା ଯୋଗାଇ ଦେବା ଲାଗି ଜିଲ୍ଲାରେ ‘ଇ-ସ୍ୱାସ୍ଥ୍ୟ’ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଶନିବାର ଦୁଇଟି ସ୍ଥାନରେ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ଶିବିର କରାଯାଇ ମୋଟ ୪୧୭ ଜଣ ଲୋକଙ୍କର ମାଗଣାରେ ବିଭିନ୍ନ ପରୀକ୍ଷା କରାଯାଇଛି। ଆଜିର ଦିନରେ ସୁସ୍ଥ ଏବଂ ନିରୋଗ ରହିବା ପାଇଁ ବିଭିନ୍ନ ପ୍ରକାର ପ୍ରତିଷେଧମୂଳକ ଡାକ୍ତରୀ ପରୀକ୍ଷା ଆବଶ୍ୟକ ହୋଇପଡ଼ିଛି। ତେଣୁ ସହରରୁ ଗ୍ରାମାଂଚଳ ପର୍ଯ୍ୟନ୍ତ ଲୋକଙ୍କ ହାତ ପାଆନ୍ତାରେ ଅତ୍ୟାଧୁନିକ ପରୀକ୍ଷା ସୁବିଧା ମାଗଣାରେ ଯୋଗାଇ ଦେବାକୁ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ନିକଟରେ ‘ଇ-ସ୍ୱାସ୍ଥ୍ୟ’ ସେବା ନାମରେ ଏକ ଅଭିନବ କାର୍ଯ୍ୟକ୍ରମ ଆରମ୍ଭ କରିଛି। ଶନିବାର ଦିନ ଜିଲ୍ଲାର ସଦର ବ୍ଲକ କିରେଇ ପଞ୍ଚାୟତ କାର୍ଯ୍ୟାଳୟ ଏବଂ ସୁନ୍ଦରଗଡ଼ ପୌରପାଳିକାର ରଙ୍ଗାଢିପା ସ୍ଥିତ ଦୂର୍ଗା ମଣ୍ଡପ ଠାରେ ‘ଇ-ସ୍ୱାସ୍ଥ୍ୟ’ ପକ୍ଷରୁ କ୍ୟାମ୍ପ ଆୟୋଜନ କରାଯାଇଥିଲା। ଏଥିରେ ୪୧୭ ଜଣ ଲୋକ ପଞ୍ଜୀକୃତ କରି ନିଜର ପରୀକ୍ଷା କରାଇଛନ୍ତି। କିରେଇ ଗ୍ରାମ ପଞ୍ଚାୟତ ଠାରେ ଆୟୋଜିତ ଶିବିରରେ ୧୮୫ ଏବଂ ରଙ୍ଗାଢିପାରେ ୨୩୨ ଜଣଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି।

ଏହି ଅତ୍ୟାଧୁନିକ ପରୀକ୍ଷା ବ୍ୟବସ୍ଥାରେ ଗୋଟିଏ ରକ୍ତ ନମୁନାରୁ ୭୬ ପ୍ରକାର ରିପୋର୍ଟ ବାହାରି ପାରୁଛି। ‘ପ୍ରଶାସନ ପକ୍ଷରୁ ମାଗଣାରେ ସ୍ୱାସ୍ଥ୍ୟ ପରୀକ୍ଷା ହେଉଛି ଜାଣି ମୁଁ କିରେଇ ପଂଚାୟତ କାର୍ଯ୍ୟାଳୟକୁ ଆସିଥିଲି। ଏଠାରେ ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟ ପରୀକ୍ଷା ମଧ୍ୟ କଲି। ମୁଁ ଭିନ୍ନକ୍ଷମ ହୋଇଥିବାରୁ ପରୀକ୍ଷା ପାଇଁ ସୁନ୍ଦରଗଡ଼ ଯିବା ମୋ’ ପାଇଁ କଷ୍ଟକର ହୋଇଥାନ୍ତା। ଏଥିପାଇଁ ଖର୍ଚ୍ଚାନ୍ତ ବି ହୋଇଥାନ୍ତି। କିନ୍ତୁ ‘ଇ-ସ୍ୱାସ୍ଥ୍ୟ’ ପାଇଁ ଘର ପାଖରେ ସବୁ ପ୍ରକାର ପରୀକ୍ଷା କରିପାରିଲି’, କିରେଇ ‘ଇ-ସ୍ୱାସ୍ଥ୍ୟ’ ଶିବିରକୁ ଆସିଥିବା ସ୍ଥାନୀୟ ପଞ୍ଚାୟତର ଜଣେ ଭିନ୍ନକ୍ଷମ ବ୍ୟକ୍ତି ଚନ୍ଦ୍ର ବାଘ କହିଛନ୍ତି। କ୍ୟାମ୍ପର ଦିନକ ପୂର୍ବରୁ ମାଇକ୍ ଯୋଗେ ପ୍ରଚାର କରି ଲୋକଙ୍କୁ ଏ ବିଷୟରେ ସଚେତନ କରିବା ସହ କ୍ୟାମ୍ପକୁ ଆସି ଏହି ସୁବିଧା ନେବାକୁ ଅନୁରୋଧ କରାଯାଇଥିଲା। ଶନିବାର ସକାଳ ୮ଟା ୩୦ରୁ ଲୋକ ମାନେ କ୍ୟାମ୍ପକୁ ଆସି କୋଭିଡ୍ ସତର୍କତା ପୂର୍ବକ ବିଭିନ୍ନ ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ। ସେମାନଙ୍କର ଉଚ୍ଚତା, ଓଜନ, ରକ୍ତଚାପ, ରକ୍ତ ଶର୍କରା, ଇସିଜି ଆଦି ପରୀକ୍ଷା କରି ରେକର୍ଡ଼ କରାଯାଇଥିଲା। ଏହାସହ ହିତାଧିକାରୀ ମାନଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇଛି।

Sambad

ଡିଜିଟାଲ୍ ଟେକ୍ନୋଲୋଜିର ବ୍ୟବହାର କରି ଏହି ନମୁନାରୁ ବିଭିନ୍ନ ପ୍ରକାର ପରୀକ୍ଷା କରାଯାଇ ଏହାର ସମ୍ପୂର୍ଣ୍ଣ ରିପୋର୍ଟ ଦୁଇଦିନ ମଧ୍ୟରେ ସେମାନଙ୍କ ମୋବାଇଲ୍‌କୁ ହ୍ୱାଟ୍‌ସଆପ୍ ଜରିଆରେ ଜଣାଇ ଦିଆଯିବ। ‘ଇ-ସ୍ୱାସ୍ଥ୍ୟ’ କ୍ୟାମ୍ପକୁ ଆସି ଆଜି ଆଖପାଖ ଗାଁର ବହୁ ଲୋକ ମାଗଣାରେ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରିଛନ୍ତି। ତା’ର ସମ୍ପୂର୍ଣ୍ଣ ରିପୋର୍ଟ ସିଧାସଳଖ ସେମାନଙ୍କର ମୋବାଇଲକୁ ପଠାଯିବ। ସ୍ୱାସ୍ଥ୍ୟବସ୍ଥାରେ କୌଣସି ଜଟିଳତା ଥିଲେ ଅଧିକ ଚିକିତ୍ସା ପାଇଁ ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ରେଫର୍‌ କରାଯିବ, କହିଛନ୍ତି ଜରଙ୍ଗଲୋଇ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରର ମେଡିକାଲ ଅଫିସର ଡାକ୍ତର କଲ୍ୟାଣୀ ଦଣ୍ଡସେନା।

‘ଇ-ସ୍ୱାସ୍ଥ୍ୟ’ କାର୍ଯ୍ୟକ୍ରମ ଅଧୀନରେ ‘ଲ୍ୟାବ୍‌-ଇନ୍‌-ଦ-ବ୍ୟାଗ୍‌’ ସୁବିଧା ବ୍ୟବହାର କରାଯାଉଛି। ଅର୍ଥାତ୍ ଗୋଟିଏ ବ୍ୟାଗ୍ ବା ସୁଟ୍‌କେସ୍ ଭିତରେ ଏକ ଅତ୍ୟାଧୁନିକ ପରୀକ୍ଷାଗାର ରହିଛି। ଡିଜିଟାଲ କୌଶଳ ତଥା ମୋବାଇଲ୍ ଆପ୍ ବ୍ୟବହାର କରି ଏହି ସେବାକୁ ଉନ୍ନତ ତଥା ବ୍ୟାପକ କରାଯାଇଛି। ଜିଲ୍ଲାର ୧୨ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଏହି ବ୍ୟବସ୍ଥା ରଖାଯାଇଛି। ଆଗାମୀ ଦିନରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ନମୁନା ସଂଗ୍ରହ କେନ୍ଦ୍ର ମଧ୍ୟ ସ୍ଥାପନ କରାଯିବ। ଏହି କାର୍ଯ୍ୟକ୍ରମ ସମ୍ପର୍କରେ ଲୋକଙ୍କୁ ସଚେତନ କରେଇବା ପାଇଁ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ଉଦ୍ୟମ କରୁଛି। ସ୍ୱାଧୀନତା ଦିବସ ଅବସରରେ ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପୱନ କଲ୍ୟାଣ ‘ଇ-ସ୍ୱାସ୍ଥ୍ୟ’ ସେବା ସହ ଅନ୍ୟାନ୍ୟ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମ ସହ ଅନୁବନ୍ଧିତ ପୁଣେସ୍ଥିତ ‘ଇ-ହେଲ୍‌ଥ ସିଷ୍ଟମ’ ଏହି ଅତ୍ୟାଧୁନିକ ଡିଜିଟାଲ ସେବା ଯୋଗାଇ ଦେଉଛି। ସୁନ୍ଦରଗଡ଼ ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ପରିଚାଳନା ଲାଗି ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଆର୍ଥିକ ସହାୟତା ଦେଉଛି। ଆଜିର ଏହି ଭ୍ରାମ୍ୟମାଣ ଶିବିରରେ ଇ-ହେଲ୍‌ଥ ସିଷ୍ଟମର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭଗବାନ କୋଠୱାଲେ ଉପସ୍ଥିତ ରହିଥିଲେ।

ସମ୍ବନ୍ଧିତ ଖବର